Man Of Xerox:ବି.କେ. ମୋଦୀ:ଜେରକ୍ସ କ୍ରାନ୍ତିର ମହାପୁରୁଷ
ଠିକ୍ ୪୩ ବର୍ଷ ପୂର୍ବେ ଆଜି ଦିନରେ (୨୯ ସେପ୍ଟେମ୍ବର ୧୯୮୩) ଡକ୍ଟର ଭୂପେନ୍ଦ୍ର କୁମାର ମୋଦୀ ଭାରତରେ ପ୍ରଥମ ଥର ପାଇଁ 'Xerox' ପ୍ରଯୁକ୍ତିବିଦ୍ୟାର ପ୍ରତିଷ୍ଠା କରି କାର୍ବନ ପେପର ଯୁଗର ଅନ୍ତ କରିଥିଲେ। ‘ମୋଦୀ ଜେରକ୍ସ’ ନାମରେ ଦେଶର ପ୍ରଥମ ସ୍ୱତନ୍ତ୍ର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଥିଲା, ଯାହା କାର୍ଯ୍ୟସ୍ଥଳୀର ଆଧୁନିକୀକରଣର ପଥ ପରିଷ୍କାର କରିଥିଲା।
ଭାରତରେ ୧୯୮୦ ଦଶକର ପ୍ରାରମ୍ଭରେ କଠୋର ଲାଇସେନ୍ସର ରାଜ୍ ଚାଲିଥିଲା ସେଥିରେ ପୁଣି ବିଦେଶୀ ପ୍ରଯୁକ୍ତିବିଦ୍ୟା ଆଣିବା ଥିଲା କାଠିକର ପାଠ,ସେତେବେଳେ ଜଣେ ଭାରତୀୟ ଯୁବକ ଦେଶପାଇଁ ଆଧୁନିକୀକରଣର ବାଟ ଖୋଲିଦେଇଥିଲେ। ସେ ହେଉଛନ୍ତି ଡକ୍ଟର ଭୂପେନ୍ଦ୍ର କୁମାର ମୋଦୀ ଯିଏକି ନିଜ ବୈଷୟିକ ବୁଦ୍ଧି ବଳରେ ଭାରତୀୟ ବଜାରର ଭବିଷ୍ୟତକୁ ଚିହ୍ନି ପାରିଥିଲେ | ସେ IIT (BHU) ରୁ କେମିକାଲ୍ ଇଞ୍ଜିନିୟରିଂ ଏବଂ ୟୁନିଭର୍ସିଟି ଅଫ୍ ସଦର୍ଣ୍ଣ କାଲିଫର୍ଣ୍ଣିଆରୁ ଏମବିଏ (MBA) କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବ୍ୟବସାୟ ପ୍ରଶାସନରେ ପିଏଚଡି (PhD) ଡିଗ୍ରୀ ହାସଲ କରିଥିଲେ। | ୧୯୮୧ ମସିହାରେ ସେ ‘ଗ୍ରାଫିକ୍ସ ଇଣ୍ଡିଆ’ ସ୍ଥାପନ କରି ‘ରାଙ୍କ ଜେରକ୍ସ’ର ଏକମାତ୍ର ଡିଷ୍ଟ୍ରିବ୍ୟୁଟର ହୋଇଥିଲେ | ଏହାପରେ ୨୯ ସେପ୍ଟେମ୍ବର ୧୯୮୩ ରେ ସେ ଔପଚାରିକ ଭାବେ ‘ମୋଦୀ ଜେରକ୍ସ’ ନାମକ ଏକ ସଂଯୁକ୍ତ ଉଦ୍ୟୋଗ ପ୍ରତିଷ୍ଠା କରି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ଅନ୍ତର୍ଗତ ମୋଦୀପୁରଠାରେ ଦେଶର ପ୍ରଥମ ଅଫିସ ଅଟୋମେସନ ମାନୁଫ୍ୟାକଚରିଂ ୟୁନିଟ୍ ସ୍ଥାପନ କରିଥିଲେ। ଦଶନ୍ଧି ଦଶନ୍ଧି ଧରି ଚାଲିଆସିଥିବା ଏହି ବ୍ୟବସାୟ ଆଜି ମଧ୍ୟ 'ଜେରକ୍ସ ଇଣ୍ଡିଆ' (Xerox India) ନାମରେ ସଫଳତାର ସହ କାର୍ଯ୍ୟ କରୁଛି। ୧୯୯୧ ର ଅର୍ଥନୈତିକ ଉଦାରୀକରଣର ବହୁ ପୂର୍ବରୁ ଭାରତୀୟ ବଜାରରେ ବିଶ୍ୱସ୍ତରୀୟ ଉତ୍ପାଦନ ମାନଦଣ୍ଡ ଏବଂ ଜ୍ଞାନକୌଶଳର ହସ୍ତାନ୍ତର କରି ସେ ଦେଶର ଶିଳ୍ପ ଜଗତରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ | ଫୋର୍ବସର ୨୦୧୭ ରିପୋର୍ଟ ଅନୁଯାୟୀ, ବି.କେ. ମୋଦୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୬୫ ମିଲିୟନ ଡଲାର ଅର୍ଥାତ୍ ୬,୩୮୪ କୋଟି ଟଙ୍କା ଥିଲା । ସେ ଭାରତୀୟ ବ୍ୟବସାୟରେ ନୂଆ ଆଶା ସଞ୍ଚାର କରିବା ସହ ଉଦ୍ୟୋଗୀମାନଙ୍କ ପାଇଁ ଏକ ଦୃଢ଼ ରାସ୍ତା ପ୍ରଶସ୍ତ କରିଥିଲେ, ଯାହା ଭାରତରେ ବ୍ୟବସାୟିକ ପ୍ରଗତିକୁ ସହଜ କରିଥିଲା |
