India Series Win:ନ୍ୟୁଜିଲାଣ୍ଡକୁ ହରାଇ ଭାରତର ସିରିଜ୍ କବଜା
ଭାରତର ଦମଦାର ବିଜୟ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ମାରିଲା ବାଜି। ୬ ଓ୍ୱିକେଟରେ ହରାଇଲା। ଅଭିଷେକ ଶର୍ମାଙ୍କ ଧୂଆଁଧାର ୩୮ବଲରୁ ୧୧୩ ରନ ବଳରେ ବିଜୟୀ ହେଲା ଭାରତ। ବ୍ୟାକ୍ ଟୁ ବ୍ୟାକ୍ ୩ଟି ଯାକ ମ୍ୟାଚ୍ ଜିତି ସିରିଜକୁ କବଜା କଲା ଭାରତ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଆକ୍ରମଣାତ୍ମକ ପାଳି ବଳରେ ତୃତୀୟ T20 ମ୍ୟାଚ୍କୁ ୬ ୱିକେଟ୍ରେ ଜିତିନେଇଛି ଭାରତ। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିବା ସହ ସିରିଜ୍ ମଧ୍ୟ କବ୍ଜା କରିଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଡାରିଲ୍ ମିଚେଲଙ୍କ ଅପରାଜିତ ୮୮ ରନ୍ର ଦମ୍ଦାର ପାଳି ବଳରେ ନ୍ୟୁଜିଲାଣ୍ଡ ୩ ୱିକେଟ୍ ହରାଇ ୧୯୮ ରନ୍ କରିଥିଲା। ଫିନ୍ ଆଲେନ୍ ୪୦ ରନ୍ କରିଥିବା ବେଳେ ବେଭନ୍ ଜ୍ୟାକବ୍ସ ୩୯ ରନ୍ରେ ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ନୀତୀଶ କୁମାର ରେଡ୍ଡୀ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ୧୯୯ ରନ୍ର ଲକ୍ଷ୍ୟ ପିଛା କରିବାକୁ ଆସି ଭାରତୀୟ ଓପନର୍ ଅଭିଷେକ ଓ ବୈଭବ ଆରମ୍ଭରୁ କିୱି ବୋଲର୍ଙ୍କ ଉପରେ ଚାପ ପକାଇଥିଲେ। ଅଭିଷେକ ମାତ୍ର ୧୫ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ଉଭୟଙ୍କ ଆକ୍ରମଣରେ ଭାରତ ପାୱାରପ୍ଲେରେ ୧୧୮ ରନ୍ ସଂଗ୍ରହ କରିଥିଲା। T20 ଅନ୍ତର୍ଜାତୀୟ କ୍ରିକେଟ୍ରେ ପାୱାରପ୍ଲେ ଭିତରେ ଏହା ଏକ ଐତିହାସିକ ଦଳଗତ ସ୍କୋର। ବୈଭବ ମାତ୍ର ୧୯ ବଲ୍ରେ ୪ ଚୌକା ଓ ୪ ଛକା ସହ ୪୫ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଅଭିଷେକଙ୍କ ବ୍ୟାଟ୍ ଥମି ନଥିଲା। ସେ ମାତ୍ର ୩୫ ବଲ୍ରେ ନିଜର ଚତୁର୍ଥ T20 ଅନ୍ତର୍ଜାତୀୟ ଶତକ ପୂରଣ କରିଥିଲେ। ୩୮ ବଲ୍ରେ ୧୧୩ ରନ୍ର ବିସ୍ଫୋରକ ପାଳି ଖେଳି ସେ ଆଉଟ୍ ହୋଇଥିଲେ। ଶେଷରେ ଭାରତ ୧୩.୨ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ମାଟିରେ ଘରୋଇ ଦଳ ବିପକ୍ଷରେ ଭାରତର ଏହା କ୍ରମାଗତ ତୃତୀୟ T20 ସିରିଜ୍ ବିଜୟ। ଏହି ବିଜୟ ସହ ଭାରତୀୟ ଦଳ ନିଜର ଦବଦବା ପ୍ରମାଣିତ କରିଥିବା ବେଳେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୈଭବଙ୍କ ଆକ୍ରମଣାତ୍ମକ ଆରମ୍ଭ ମ୍ୟାଚ୍ର ପ୍ରମୁଖ ଆକର୍ଷଣ ପାଲଟିଛି।
