୨୦୩୦ କମନଓ୍ୱେଲଥ ଗେମ୍ସର ଆୟୋଜକ ସାଜିବ ଭାରତ..
୨୦୩୦ କମନୱେଲଥ ଗେମ୍ସର ଆୟୋଜନ ଦାୟିତ୍ୱ ଗ୍ଲାସଗୋରୁ ଭାରତକୁ ହସ୍ତାନ୍ତର କରାଯାଇଛି। ୨୦୩୦ ମସିହାରେ ଏହି କ୍ରୀଡ଼ା ମହାକୁମ୍ଭ ଗୁଜରାଟର ଅହମଦାବାଦରେ ଅନୁଷ୍ଠିତ ହେବ।ଏହାକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ଭାବେ ଦେଖାଯାଉଛି।

୨୦୩୦ କମନଓ୍ୱେଲଥ ଗେମ୍ସ ପାଇଁ ଭାରତକୁ ମିଳିଲା କମନଓ୍ୱେଲଥ ପତାକା। ଅହମଦାବାଦରେ ହେବ ଶତବାର୍ଷିକୀ ଆୟୋଜନ। ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆୟୋଜିତ ୨୦୨୬ କମନଓ୍ୱେଲଥ ଗେମ୍ସର ସମାପନୀ ଉତ୍ସବରେ ଭାରତ ଆନୁଷ୍ଠାନିକ ଭାବେ କମନୱେଲଥ ଗେମ୍ସର ପତାକା ଓ ସେରେମୋନିଆଲ ବାଟନ୍ ଗ୍ରହଣ କରିଛି। ଏହା ସହିତ ୨୦୩୦ କମନୱେଲଥ ଗେମ୍ସର ଆୟୋଜନ ଦାୟିତ୍ୱ ଗ୍ଲାସଗୋରୁ ଭାରତକୁ ହସ୍ତାନ୍ତର କରାଯାଇଛି। ୨୦୩୦ ମସିହାରେ ଏହି କ୍ରୀଡ଼ା ମହାକୁମ୍ଭ ଗୁଜରାଟର ଅହମଦାବାଦରେ ଅନୁଷ୍ଠିତ ହେବ। ସମାପନୀ ସମାରୋହରେ ବ୍ରିଟେନର ରାଜା ଚାର୍ଲସ ତୃତୀୟଙ୍କ ପ୍ରତିନିଧି ପ୍ରିନ୍ସ ଏଡୱାର୍ଡ (ଡ୍ୟୁକ୍ ଅଫ୍ ଏଡିନବରା) କମନୱେଲଥ ଗେମ୍ସର ସମାପ୍ତି ଘୋଷଣା କରିବା ସହ ବିଶ୍ୱର ବିଭିନ୍ନ କମନୱେଲଥ ଦେଶର କ୍ରୀଡ଼ାବିତମାନଙ୍କୁ ୨୦୩୦ରେ ଅହମଦାବାଦରେ ପୁଣି ମିଳିବାକୁ ଆମନ୍ତ୍ରଣ ଜଣାଇଥିଲେ। ଭାରତ ପକ୍ଷରୁ ଅଲିମ୍ପିକ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା, ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷା ପି.ଟି. ଉଷା ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭୀ କମନୱେଲଥ ପତାକା ଗ୍ରହଣ କରିଥିଲେ। ଏହାକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ଭାବେ ଦେଖାଯାଉଛି। ପତାକା ହସ୍ତାନ୍ତର ପରେ ଭାରତ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏଥିରେ ଭାରତୀୟ ପାରମ୍ପରିକ ଓ ଆଧୁନିକ ସଙ୍ଗୀତ, ନୃତ୍ୟ ସହ ଭାରତ-ସ୍କଟଲ୍ୟାଣ୍ଡ ସାଂସ୍କୃତିକ ସମନ୍ୱୟର ଝଲକ ଦେଖିବାକୁ ମିଳିଥିଲା। ପ୍ରସିଦ୍ଧ ଗାୟକ ଶଙ୍କର ମହାଦେବନ, ସିଦ୍ଧାର୍ଥ ଓ ଶିବମ ମହାଦେବନଙ୍କ ସହ ଗାୟିକା ଭୂମି ତ୍ରିବେଦୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। "ବସୁଧୈବ କୁଟୁମ୍ୱକମ୍"ର ବାର୍ତ୍ତାକୁ ମଧ୍ୟ ଏହି ପ୍ରଦର୍ଶନରେ ପ୍ରମୁଖ ଭାବେ ଉପସ୍ଥାପନ କରାଯାଇଥିଲା। ୨୦୩୦ କମନୱେଲଥ ଗେମ୍ସ ଏହାର ୧୦୦ ବର୍ଷ ପୂର୍ତ୍ତି (ଶତବାର୍ଷିକ) ସଂସ୍କରଣ ହେବ। ଏହା ସହ ଭାରତ ୨୦୧୦ରେ ନୂଆଦିଲ୍ଲୀ ପରେ ଦ୍ୱିତୀୟ ଥର ପାଇଁ କମନୱେଲଥ ଗେମ୍ସ ଆୟୋଜନ କରିବ। ଅଷ୍ଟ୍ରେଲିଆ ପରେ ଭାରତ ଦ୍ୱିତୀୟ ଦେଶ ଭାବେ ଦୁଇଥର କମନୱେଲଥ ଗେମ୍ସ ଆୟୋଜନର ସମ୍ମାନ ହାସଲ କରିବ। ଗ୍ଲାସଗୋ କମନୱେଲଥ ଗେମ୍ସ-୨୦୨୬ରେ ଭାରତ ମୋଟ ୩୯ଟି ପଦକ ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଭାରତ ୧୩ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ଜିତି ଉଲ୍ଲେଖନୀୟ ସଫଳତା ହାସଲ କରିଛି।
