ଆତଙ୍କବାଦ ବିରୋଧରେ ଭାରତ-ଇଣ୍ଡୋନେସିଆ ଏକାଠି: ମୋଦି
ନୂଆଦିଲ୍ଲୀରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସମୟରେ ଇଣ୍ଡୋନେସିଆ ଭାରତ ପ୍ରତି ଯେଉଁ ସମର୍ଥନ ପ୍ରଦର୍ଶନ କରିଛି, ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତ ଓ ଇଣ୍ଡୋନେସିଆର ଆଭିମୁଖ୍ୟ ସମାନ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସମୟରେ ଇଣ୍ଡୋନେସିଆ ଭାରତ ପ୍ରତି ଯେଉଁ ସମର୍ଥନ ପ୍ରଦର୍ଶନ କରିଛି, ସେଥିପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶ ମଧ୍ୟରେ ରହିଥିବା ରଣନୀତିକ ସମ୍ପର୍କ ଓ ବାଣିଜ୍ୟିକ ଭାଗୀଦାରିକୁ ଆଗକୁ ବଢ଼ାଇବା ନେଇ ଦ୍ୱିପାକ୍ଷିକ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶର ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ଦୋହରାଇବା ସହ ଆତଙ୍କବାଦ ବିରୋଧରେ ଏକାଠି ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତ ପଛରେ ଦୃଢ଼ ଭାବେ ଠିଆ ହୋଇଥିବାରୁ ମୋଦି ଇଣ୍ଡୋନେସିଆକୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ କେବଳ ଭୌଗୋଳିକ ସୀମା ନାହିଁ, ବରଂ ଦୁଇ ଦେଶର ବିଚାରଧାରା ମଧ୍ୟ ସମାନ। ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ସହଯୋଗ ଏବଂ ଅର୍ଥନୈତିକ ସମୃଦ୍ଧି ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଏହି ଭାଗୀଦାରି ବିଶ୍ୱ ଶାନ୍ତି ପାଇଁ ଏକ ପ୍ରମୁଖ ସ୍ତମ୍ଭ ସାଜିବ। ଭାରତର ‘ଆକ୍ଟ ଇଷ୍ଟ ପଲିସି’ ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଇଣ୍ଡୋନେସିଆ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ବାଣିଜ୍ୟ ଠାରୁ ଆରମ୍ଭ କରି କାଉଣ୍ଟର-ଟେରରିଜମ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମନ୍ୱୟ ଆହୁରି ମଜବୁତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
