ଆମେରିକା-ଇରାନ ଯୁଦ୍ଧ: ଶକ୍ତିସଂକଟକୁ କେମିତି ମୁକାବିଲା କରିବ ଭାରତ
ଜାତିସଂଘ ସମେତ ବିଭିନ୍ନ ଦେଶ ଉଭୟ ପକ୍ଷକୁ ସଂଯମ ଆଚରଣ ରଖିବା ଓ ଯୁଦ୍ଧକୁ ଆହୁରି ବ୍ୟାପକ ନ କରିବାକୁ ଅପିଲ କରିଛନ୍ତି।ହୋର୍ମୁଜକୁ ନେଇ ପୁଣି ସଂଘର୍ଷ ତେଜିଲେ, ଭାରତ ଉପରେ ଏହାର ପୁଣି ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ରହି଼ଛି। ଇରାନ- ଆମେରିକା ଡିଲ୍ ଭାଙ୍ଗିଗଲେ, ତେଲ ଓ ଗ୍ୟାସର ଖେଳ ବିଗିଡ଼ିବ।

ଆମେରିକା ଓ ଇରାନ ମଧ୍ୟରେ ପୁଣିଥରେ ସାମରିକ ସଂଘର୍ଷ ତୀବ୍ର ହୋଇଛି। ସମ୍ପ୍ରତି ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ପରେ ପୂର୍ବରୁ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ପ୍ରାୟ ଭାଙ୍ଗିଯାଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଇରାନର ୮୦ରୁ ଅଧିକ ସାମରିକ ଠିକଣା ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଏୟାର ଡିଫେନ୍ସ ବ୍ୟବସ୍ଥା, କମାଣ୍ଡ ସେଣ୍ଟର, ଉପକୂଳୀୟ ରାଡାର, ଆଣ୍ଟି-ଶିପ୍ ମିସାଇଲ ଘାଟି ଏବଂ ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC)ର ଏକାଧିକ ନୌକାକୁ ଟାର୍ଗେଟ କରାଯାଇଥିଲା। ଆମେରିକାର କହିବା ଅନୁଯାୟୀ, ହର୍ମୁଜ୍ ଜଳସନ୍ଧି ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ଜବାବରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏହାର ଜବାବରେ ଇରାନ ମଧ୍ୟ ବାହାରିନ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିକୁ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଛି। ଇରାନ ସ୍ପଷ୍ଟ କରିଛି ଯେ, ନିଜ ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷାର ସୁରକ୍ଷା ପାଇଁ ସେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ସହ ହୋଇଥିବା ପୂର୍ବ ବୁଝାମଣା ବର୍ତ୍ତମାନ ଶେଷ ହୋଇଯାଇଛି। ତେବେ ଉଭୟ ଦେଶ ମଧ୍ୟରେ କୂଟନୀତିକ ଆଲୋଚନାର ସମ୍ଭାବନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଏହି ସଂଘର୍ଷର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ପଡ଼ିଛି। ହର୍ମୁଜ୍ ଜଳସନ୍ଧିରେ ତିକ୍ତତା ବଢ଼ିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି ଏବଂ ସାମୁଦ୍ରିକ ବାଣିଜ୍ୟ ଉପରେ ମଧ୍ୟ ଚାପ ସୃଷ୍ଟି ହୋଇଛି।ଏହି ପରିସ୍ଥିତିକୁ ନେଇ ବିଶ୍ୱର ଅନେକ ଦେଶ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଜାତିସଂଘ ସମେତ ବିଭିନ୍ନ ଦେଶ ଉଭୟ ପକ୍ଷକୁ ସଂଯମ ଆଚରଣ ରଖିବା ଓ ଯୁଦ୍ଧକୁ ଆହୁରି ବ୍ୟାପକ ନ କରିବାକୁ ଅପିଲ କରିଛନ୍ତି। ବର୍ତ୍ତମାନ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଅତ୍ୟନ୍ତ ସମ୍ୱେଦନଶୀଳ ରହିଛି। ଆଗାମୀ ଦିନରେ ଏହି ସଂଘର୍ଷ କେଉଁ ଦିଗକୁ ମୋଡ଼ ନେବ, ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ହୋର୍ମୁଜକୁ ନେଇ ପୁଣି ସଂଘର୍ଷ ତେଜିଲେ, ଭାରତ ଉପରେ ଏହାର ପୁଣି ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ରହି଼ଛି। ଇରାନ- ଆମେରିକା ଡିଲ୍ ଭାଙ୍ଗିଗଲେ, ତେଲ ଓ ଗ୍ୟାସର ଖେଳ ବିଗିଡ଼ିବ। ହୋର୍ମୁଜକୁ ନେଇ ପୁଣି ଥରେ ବୋବାଲ ପରିସ୍ଥିତି ସୃଷ୍ଟି ହେବାରୁ ଜାହାଜ ଉପରେ ଆକ୍ରମଣ ଓ ପ୍ରତିଜବାବରେ ସୈନ୍ୟ ଠିକଣାକୁ ଟାର୍ଗେଟ ସୂଚାଇଛି, ସିଜଫାୟାର କେବଳ ନାମକୁ ମାତ୍ର ଥିଲା। ଆମେରିକା-ଇରାନ ଭିତରେ ଶାନ୍ତିର ଆଶାରେ ପୁଣି ଥରେ ସଂକଟର ବାଦଲ ଦେଖାଯାଇଛି। ଯେତେବେଳେ ଉଭୟ ରାଷ୍ଟ୍ର ଭିତରେ କୂଟନୀତିର ଏକ ଦୁର୍ବଳ ବିକଳ୍ପ ରାସ୍ତା ବଞ୍ଚିଛି। ଠିକ ଏହି ସମୟରେ ଷ୍ଟ୍ରେଟ ଅଫ ହୋର୍ମୁଜକୁ ନେଇ ଯୁଦ୍ଧ ଉତ୍ତେଜନାକୁ ବଢ଼ାଇଦେଇଛି। ଆଗ ତିନୋଟି ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣରୁ ଏହି ସଂଘର୍ଷ ପୁଣି ତାଜା ହୋଇଯାଇଛି। ଯେଉଁଥିରେ କତାରର ଏଲଏନଜି ଟାଙ୍କର ବି ସାମିଲ ଥିଲା। ମାସ ମାସ ଧରି ପରିଶ୍ରମରୁ ତିଆରି ଶାନ୍ତିର ପ୍ରୟାସ ଏବେ ପୁଣି ଧୂଳିରେ ମିଶିଯିବାର ଆଶଙ୍କା ଦେଖାଗଲାଣି। ଦୁଇ ଦେଶ ୬୦ ଦିନ ପାଇଁ କଥାବାର୍ତ୍ତା କରିବାକୁ ଫ୍ରେମଓ୍ୱାର୍କ ଚୂଡ଼ାନ୍ତ କରିସାରିଥିଲେ। ହେଲେ ଏହି ବୁଝାମଣାର ମାତ୍ର କେଇଟା ସପ୍ତାହ ଭିତରେ ଘମାଘୋଟ ଲଢ଼େଇ। ଏ ଯୁଦ୍ଧ ଦୁଇ ପକ୍ଷ ଭିତରେ ବିଶ୍ୱାସର ସଂକଟକୁ ଉଜାଗର କରିଛି। ଆକ୍ରମଣ ପରେ ଇରାନୀ ତେଲ ବିକ୍ରି ଅନୁମତିକୁ ତୁରନ୍ତ ରଦ୍ଦ କରିଦେଇଛି ଆମେରିକା। ଆମେରିକା ଯଦି ୮୦ ସୈନ୍ୟ ଠିକଣାକୁ ଆକ୍ରମଣ କରିଛି। ପ୍ରତିଜବାବରେ ଆମେରିକାର ୮୫ ଏୟାରବେସକୁ ନିଶାନା କରିଛି ଇରାନ। ଏ ସମସ୍ତ ଗତିବିଧିକୁ ଭାରତ ବହୁତ ଧ୍ୟାନର ସହ ଦେଖୁଛି। ଭାରତ ନିଜର ପ୍ରାୟ ୪୦ ପ୍ରତିଶତ କଚ୍ଚା ତେଲ ଖାଡ଼ି ଦେଶରୁ ଆମଦାନୀ କରେ। ଯାହା ହୋର୍ମୁଜ ରାସ୍ତା ଦେଇ ଆସେ। ସ୍ଥିତି ବିଗୁଡ଼ିଥିବା ଦେଖି ପୁଣି ଥରେ ତେଲ ଓ ଗ୍ୟାସର ଦର ବଢ଼ିପାରେ। ଏହା ବ୍ୟତୀତ ଖାଡ଼ି ଦେଶରେ ଲକ୍ଷାଧିକ ଭାରତୀୟ କାମ କରୁଛନ୍ତି। ଅନେକ ଭାରତୀୟ ଛାତ୍ର ରୁହନ୍ତି। ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଯଦି ଯାତାୟାତ ବାଧାପ୍ରାପ୍ତ ହୁଏ, ପରିବହନ, ବୀମା ଓ ତେଲର ଦର ବଢ଼ିଯିବ। ଭାରତରେ ପେଟ୍ରୋଲ ଓ ଡିଜେଲ ପୁଣି ମହଙ୍ଗା ହୋଇପାରେ। ଇରାନକୁ ତେଲ ବିକ୍ରିରେ ଥିବା ପ୍ରତିବନ୍ଧକ ହଟିବାରୁ ଭାରତକୁ ଶସ୍ତା ଦରରେ ଅଶୋଧିତ ତେଲ ମିଳିଯାଉଥିଲା। କିନ୍ତୁ ପୁଣି ଥରେ ପ୍ରତିବନ୍ଧକ ଲାଗିବାରୁ ତେଲର ଏକ ପ୍ରମୁଖ ସ୍ରୋତ କମ୍ ହେବାର ଆଶଙ୍କା ଉପୁଜିଛି। ଭାରତର ଅଧିକାଂଶ ଗ୍ୟାସ୍ କତାରରୁ ଆସେ। ସେଥିଲାଗି ଏ କ୍ଷେତ୍ରରେ କୌଣସିପ୍ରକାର ଅଶାନ୍ତି ଆମଦାନୀରେ ବାଧା ଦେବ। ତଥାପି ଭାରତ ଏହି ସ୍ଥିତିକୁ ମୁକାବିଲା ଲାଗି କୂଟନୀତିକସ୍ତରରେ ବିଦେଶ ମନ୍ତ୍ରାଳୟ ଜରିଆରେ ଲଗାତାର ସକ୍ରିୟ ରହିଛି। ନିଜର ଆର୍ଥିକ ଓ ରଣନୀତି ହିତର ରକ୍ଷା ଲାଗି ପ୍ରୟାସ କରୁଛି। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହେଲେ ଏହାର ସିଧାସଳଖ ପ୍ରଭାବ ଭାରତର ଉର୍ଜା (ଏନର୍ଜି) କ୍ଷେତ୍ର ଉପରେ ପଡ଼ିପାରେ। ଭାରତ ନିଜର ପ୍ରାୟ ୮୫% ଅଶୋଧିତ ତୈଳ (Crude Oil) ଆମଦାନୀ କରୁଥିବାରୁ ପଶ୍ଚିମ ଏସିଆରେ ଯେକୌଣସି ଅସ୍ଥିରତା ଭାରତ ପାଇଁ ବଡ଼ ଚିନ୍ତାର ବିଷୟ। ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ଦ୍ରୁତ ବେଗରେ ବଢ଼ିପାରେ। ଏହା ଭାରତର ଆମଦାନୀ ବିଲ୍କୁ ବଢ଼ାଇବ। ବିଶ୍ୱର ପ୍ରାୟ ୨୦% ତୈଳ ଯୋଗାଣ ହର୍ମୁଜ୍ ଜଳସନ୍ଧି ଦେଇ ହୋଇଥାଏ। ଯୁଦ୍ଧ ସମୟରେ ଏହି ମାର୍ଗ ବାଧାପ୍ରାପ୍ତ ହେଲେ ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହୋଇପାରେ। କ୍ରୁଡ୍ ଅଏଲ୍ ଦର ବଢ଼ିଲେ ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ବିମାନ ଇନ୍ଧନର ମୂଲ୍ୟ ବଢ଼ିବାର ସମ୍ଭାବନା ରହିଛି। ପରିବହନ ଖର୍ଚ୍ଚ ବଢ଼ିବା ସହିତ ଖାଦ୍ୟ ଓ ଦୈନନ୍ଦିନ ସାମଗ୍ରୀର ଦାମ ମଧ୍ୟ ବଢ଼ିପାରେ। ଗ୍ୟାସ ଏବଂ ତୈଳ ଆଧାରିତ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ବଢ଼ିବା ସହ ଶିଳ୍ପ କ୍ଷେତ୍ରର ଉତ୍ପାଦନ ବ୍ୟୟ ମଧ୍ୟ ବୃଦ୍ଧି ପାଇପାରେ। ତୈଳ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କୁ ଏକ୍ସାଇଜ୍ ଶୁଳ୍କ କମାଇବା କିମ୍ୱା ସବସିଡି ଦେବାକୁ ପଡ଼ିପାରେ, ଯାହାର ପ୍ରଭାବ ସରକାରୀ ଆର୍ଥିକ ସ୍ଥିତି ଉପରେ ପଡ଼ିବ। ତେବେ ଭାରତ ପୂର୍ବ ସଙ୍କଟରୁ ସ୍ଥିତିକୁ ମୁକାବିଲା ଲାଗି ପ୍ରସ୍ତୁତ ରହିଛି। ଭାରତ ପାଖରେ Strategic Petroleum Reserve (SPR) ରହିଛି, ଯାହା ଜରୁରୀ ସମୟରେ କିଛି ସପ୍ତାହ ପର୍ଯ୍ୟନ୍ତ ତୈଳ ଯୋଗାଣରେ ସହାୟକ ହୋଇପାରିବ। ସରକାର ଋଷ, ସାଉଦି ଆରବ, ଇରାକ, ୟୁଏଇ ପରି ବିଭିନ୍ନ ଦେଶରୁ ତୈଳ ଆମଦାନୀ କରି ଯୋଗାଣକୁ ବ୍ୟବସ୍ଥିତ କରୁଛନ୍ତି। ଦୀର୍ଘମିଆଦୀ ଭାବେ ସୌର, ପବନ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ପରି ବିକଳ୍ପ ଶକ୍ତି ଉତ୍ସ ଉପରେ ଭାରତ ଅଧିକ ଗୁରୁତ୍ୱ ଦେଉଛି। ମୋଟ୍ ଉପରେ କହିବାକୁ ଗଲେ, ଆମେରିକା-ଇରାନ ଯୁଦ୍ଧ ଦୀର୍ଘସ୍ଥାୟୀ ହେଲେ ଭାରତର ଉର୍ଜା ସୁରକ୍ଷା, ତୈଳ ଆମଦାନୀ, ଇନ୍ଧନ ମୂଲ୍ୟ ଓ ସାମଗ୍ରିକ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିପାରେ।
