ବାହାମାସରେ ବିମାନ ଦୁର୍ଘଟଣାଗ୍ରସ୍ତ: ୧୦ ମୃତ, ଫ୍ଲେମିଙ୍ଗୋ ଏୟାରର ଉଡ଼ାଣ ସ୍ଥଗିତ
ଶୁକ୍ରବାର ବାହାମାସ ନର୍ଥ ଆଣ୍ଡରସ ଭୟାବହ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଭୟାବହ ଘଟଣା ପରେ ସରକାର ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ସାମୟିକ ଭାବେ ବନ୍ଦ କରିଛନ୍ତି।

ବାହାମାସ : ବାହାମାସରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ। ଶୁକ୍ରବାର ବାହାମାସ ନର୍ଥ ଆଣ୍ଡରସ ଭୟାବହ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଭୟାବହ ଘଟଣା ପରେ ସରକାର ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ସାମୟିକ ଭାବେ ବନ୍ଦ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ଦୁଇ ଇଞ୍ଜିନ୍ ବିଶିଷ୍ଟ ସେସ୍ନା ୪୦୨ (Cessna 402) ଥିଲା। ଏହା ରାଜଧାନୀ ନାସାଉସ୍ଥିତ ଲିଣ୍ଡେନ୍ ପିଣ୍ଡଲିଙ୍ଗ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଉଡ଼ାଣ ଭରି ସାନ୍ ଆଣ୍ଡ୍ରୋସ୍ ଅଭିମୁଖେ ଯାଉଥିଲା। ଅବତରଣ ପୂର୍ବରୁ ବିମାନଟି କିଛି ସମସ୍ୟାର ସମ୍ମୁଖୀନ ହୋଇ ନର୍ଥ ଆଣ୍ଡ୍ରୋସ୍ର ଏକ ଘଞ୍ଚ ଜଙ୍ଗଲି ଅଞ୍ଚଳରେ ଖସିପଡ଼ିଥିଲା। ବିମାନରେ ୯ ଜଣ ଯାତ୍ରୀ ଓ ଜଣେ ପାଇଲଟ୍ ଥିଲେ। ପ୍ରଥମେ ଦୁର୍ଘଟଣା ପରେ ଜଣେ ବ୍ୟକ୍ତି ଜୀବିତ ଥିବା ସୂଚନା ମିଳିଥିଲା। କିନ୍ତୁ ପରେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ। ବାହାମାସର ପ୍ରଧାନମନ୍ତ୍ରୀ ଫିଲିପ୍ ବ୍ରେଭ୍ ଡେଭିସ୍ ଘଟଣାରେ ଶୋକ ପ୍ରକାଶ କରି କହିଛନ୍ତି, “ଆମେ ଆଜି ଗଭୀର ଦୁଃଖର ମୁହୂର୍ତ୍ତରେ ଏକତ୍ରିତ ହୋଇଛୁ। ଯେଉଁ ପରିବାରମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି।”ଏହି ଦୁର୍ଘଟଣା ବାହାମାସର ୫୩ତମ ସ୍ୱାଧୀନତା ଦିବସ ଅବସରରେ ଘଟିଥିବାରୁ ଦେଶର ଉତ୍ସବମୁଖର ପରିବେଶ ଶୋକରେ ପରିଣତ ହୋଇଛି। ଦୁର୍ଘଟଣା ପରେ ବାହାମାସର ଶକ୍ତି, ଉପଯୋଗିତା ଓ ବିମାନ ଚଳାଚଳ ମନ୍ତ୍ରଣାଳୟ ଫ୍ଲେମିଙ୍ଗୋ ଏୟାରର ଏୟାର ଅପରେଟର ସାର୍ଟିଫିକେଟ୍ ଅସ୍ଥାୟୀ ଭାବେ ସ୍ଥଗିତ କରିଛି। ଅଧିକାରୀମାନେ ଏହାକୁ ସୁରକ୍ଷାମୂଳକ ପଦକ୍ଷେପ ବୋଲି କହିଛନ୍ତି। ବାହାମାସ ବିମାନ ଦୁର୍ଘଟଣା ତଦନ୍ତ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନଟି ଉଡ଼ାଣ ପରେ କିଛି ସମସ୍ୟାରେ ପଡ଼ିଥିଲା ଏବଂ ଅବତରଣ ପୂର୍ବରୁ ଜଙ୍ଗଲି ଅଞ୍ଚଳରେ ଖସିପଡ଼ିଥିଲା। ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ବାହାମାସ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ଅଥରିଟି (AAIA) ଘଟଣାର ତଦନ୍ତ ଆରମ୍ଭ କରିଛି। ବିମାନର ଭଗ୍ନାବଶେଷ ଓ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରି ଦୁର୍ଘଟଣାର ପ୍ରକୃତ କାରଣ ଖୋଜାଯାଉଛି। ଏହା ସହ ଶୁକ୍ରବାର ଫ୍ଲେମିଙ୍ଗୋ ଏୟାରର ଆଉ ଏକ ବିମାନରେ ମଧ୍ୟ ସୁରକ୍ଷା ସମସ୍ୟା ଦେଖାଦେଇଥିଲା। ମାୟାଗୁଆନା ଅଭିମୁଖେ ଯାଉଥିବା ଏହି ବିମାନର ପାଇଲଟ୍ ସମସ୍ୟା ଅନୁଭବ କରି ନାସାଉକୁ ଫେରିଥିଲେ। ଯାତ୍ରୀମାନେ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାର ମଧ୍ୟ ତଦନ୍ତ ଚାଲିଛି।
