ଦିଲ୍ଲୀରେ INDIA ମେଣ୍ଟର ବଡ଼ ବୈଠକ
ଏଥର ଗଠବନ୍ଧନର ରୂପ ବଦଳିସାରିଛି। ଆରମ୍ଭରୁ ଏହି ମେଣ୍ଟରେ ଥିବା କିଛି ଦଳ ମେଣ୍ଟରୁ ଓହରିସାରିଛନ୍ତି। ତେବେ ବଡ଼ କଥା ହେଲା, ଯେଉଁ ଦଳର କୌଣସି ସାଂସଦ ନାହାନ୍ତି, ସେ ଦଳକୁ ଏହି ବୈଠକକୁ ଡକାଯାଇନି।

ଆଜି ଦିଲ୍ଲୀରେ INDIA ମେଣ୍ଟ ବୈଠକ, ଯୋଗଦେବେ ୨୩ ଦଳର ନେତା। ଦିନ ୧୨ଟାରେ ଆରମ୍ଭ ହେବ ବୈଠକ। ନିକଟରେ ହୋଇଥିବା ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଏହା INDIA ମେଣ୍ଟର ପ୍ରଥମ ବଡ଼ ବୈଠକ ବୋଲି କୁହାଯାଉଛି। ବୈଠକରେ ବିରୋଧୀ ଏକତାକୁ ମଜବୁତ କରିବା, ସଂସଦର ଆଗାମୀ ମୌସୁମୀ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବା ଏବଂ ଭବିଷ୍ୟତ ନିର୍ବାଚନକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଏହାସହିତ ପେଟ୍ରୋଲ-ଡିଜେଲ ଦରବୃଦ୍ଧି, ଅର୍ଥନୈତିକ ପ୍ରସଙ୍ଗ ଓ କେନ୍ଦ୍ର ସରକାର ବିରୋଧରେ ସାଧାରଣ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇପାରେ। ତେବେ ବୈଠକ ପୂର୍ବରୁ ମେଣ୍ଟ ଭିତରେ ମତଭେଦ ମଧ୍ୟ ସାମ୍ନାକୁ ଆସିଛି। ଡିଏମକେ ଓ ଆପ୍ ଦୂରତା ବଜାୟ ରଖିଛି। ଅନ୍ୟପଟେ CPI(M) ଓ JMM ପକ୍ଷରୁ କଂଗ୍ରେସର କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏହି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସପା ମୁଖ୍ୟ ଅଖିଳେଶ ଯାଦବ ଓ ଆରଜେଡିରୁ ତେଜସ୍ୱୀ ଯାଦବ ପ୍ରମୁଖ ବୈଠକରେ ଉପସ୍ଥିତ ରହିବେ। ଭିଡ଼ିଓ କନଫରେନ୍ସରେ ସାମିଲ୍ ହେବେ ଉଦ୍ଧବ ଠାକରେ। ତେବେ ଏଥର ଗଠବନ୍ଧନର ରୂପ ବଦଳିସାରିଛି। ଆରମ୍ଭରୁ ଏହି ମେଣ୍ଟରେ ଥିବା କିଛି ଦଳ ମେଣ୍ଟରୁ ଓହରିସାରିଛନ୍ତି। ତେବେ ବଡ଼ କଥା ହେଲା, ଯେଉଁ ଦଳର କୌଣସି ସାଂସଦ ନାହାନ୍ତି, ସେ ଦଳକୁ ଏହି ବୈଠକକୁ ଡକାଯାଇନି। ଅର୍ଥାତ ସଂସଦରେ ଯେଉଁ ଦଳର ପ୍ରତିନିଧିତ୍ୱ ନାହିଁ, ସେମାନଙ୍କୁ ନିମନ୍ତ୍ରଣ କରାଯାଇନି। ସେପଟେ ଏଭଳି ବୈଠକକୁ ନେଇ ବିଜେପି କହିଛି, ଏହି ଗଠବନ୍ଧନର କୌଣସି ଅସ୍ତିତ୍ୱ ନାହିଁ। ଦିଲ୍ଲୀପ ଘୋଷ କହିଛନ୍ତି, ବାଧ୍ୟବାଧକତାରେ ଏହି ବୈଠକରେ ସାମିଲ ହେଉଛନ୍ତି ମମତା। କାରଣ ମମତାଙ୍କ ସହ ତାଙ୍କ ନିଜ ବିଧାୟକ ଓ ସାଂସଦ ବି ନାହାନ୍ତି। ସତ୍ତାରୁ ହଟିବା ପରେ ଟିଏମସି ଦୋହଲୁଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଏହି ବୈଠକ INDIA ମେଣ୍ଟର ଏକତା ଓ ଭବିଷ୍ୟତ ଦିଗ ନିର୍ଦ୍ଧାରଣ ପାଇଁ ଏକ ବଡ଼ ପରୀକ୍ଷା ହେବ। ସମ୍ପ୍ରତି କେତେକ ରାଜ୍ୟରେ ମେଣ୍ଟର ସହଯୋଗୀ ଦଳମାନଙ୍କ ପରାଜୟ ଓ ଆଭ୍ୟନ୍ତରୀଣ ମତଭେଦ ପରିପ୍ରେକ୍ଷୀରେ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।
