ଭାରତ–ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ଚୁକ୍ତି
ଭାରତ–ନ୍ୟୁଜିଲ୍ୟାଣ୍ଡ ନୂଆ ଅଧ୍ୟାୟ। ଦୁଇ ଦେଶ ମଧ୍ୟରେ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଘୋଷଣା। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ଦୁଇଗୁଣ ଲକ୍ଷ୍ୟ, FTA ଉପରେ ସହମତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଶନିଵାର ଅକଲାଣ୍ଡରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ବୈଠକରେ ଉଭୟ ଦେଶ ଭାରତ–ନ୍ୟୁଜିଲ୍ୟାଣ୍ଡ ସମ୍ପର୍କକୁ ରଣନୈତିକ ସହଭାଗୀତା (Strategic Partnership)ସ୍ତରକୁ ଉନ୍ନୀତ କରିବାକୁ ସହମତି ପ୍ରକାଶ କରିବା ସହ ‘ଭାରତ-ନ୍ୟୁଜିଲାଣ୍ଡ ରଣନୈତିକ ସହଭାଗୀତା-ରୋଡମ୍ୟାପ୍ ୨୦୩୦’ କୁ ଅନୁମୋଦନ କରିଛନ୍ତି। ଆଲୋଚନା ପରେ ୨୦୩୦ ସୁଦ୍ଧା ବାର୍ଷିକ ଦ୍ୱିପାକ୍ଷିକ ପଣ୍ୟ ଓ ସେବା ବାଣିଜ୍ୟକୁ ୩୫,୦୦୦ କୋଟିରେ ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଚାରି ବର୍ଷ ପାଇଁ ସହଭାଗୀତା ରୋଡମ୍ୟାପ୍, ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ସାମୁଦ୍ରିକ ସହଯୋଗ ବୃଦ୍ଧି ପାଇଁ ଏକ ନୂଆ ଢାଞ୍ଚା ଏବଂ ଭାରତୀୟ ନୌସେନା ଓ ନ୍ୟୁଜିଲ୍ୟାଣ୍ଡ ଡିଫେନ୍ସ ଫୋର୍ସ ସମେତ ମୋଟ ୧୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦୁଇଗୁଣ କରିବା ଲକ୍ଷ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) କରିବାକୁ ଉଭୟ ଦେଶ ସହମତ ହୋଇଥିଲେ। ଏହି ଚୁକ୍ତି ଅନୁଯାୟୀ, ପ୍ରଥମ ଦିନରୁ ନ୍ୟୁଜିଲ୍ୟାଣ୍ଡର ଭାରତକୁ ହେଉଥିବା ୫୭% ରପ୍ତାନି ଉପରେ ଶୁଳ୍କ ହଟାଯିବ।
ଗସ୍ତ ସମୟରେ ଉଭୟ ପ୍ରଧାନମନ୍ତ୍ରୀ ବ୍ୟବସାୟିକ ଏବଂ କ୍ରୀଡ଼ା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ସ୍ମାରକପତ୍ର (MoU) ବିନିମୟ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନ୍ୟୁଜିଲ୍ୟାଣ୍ଡର ପାରମ୍ପରିକ ମାଓରୀ ପୋୱିରି (Pōwhiri) ସ୍ୱାଗତ ସମାରୋହ ଏବଂ ଗଭର୍ଣ୍ମେଣ୍ଟ ହାଉସରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଅକଲାଣ୍ଡରେ ଆୟୋଜିତ ଭାରତୀୟ ପ୍ରବାସୀ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଦୁଇ ଦେଶ ପାଇଁ ସୁଯୋଗର ଏକ ବିଶାଳ ସାଗର ଅପେକ୍ଷା କରିଛି। ସେ କହିଥିଲେ, “ୱାକା (Waka) କେବଳ ଏକ ଡଙ୍ଗା ନୁହେଁ, ଏହା ଆମର ସାମୂହିକ ଯାତ୍ରାର ପ୍ରତୀକ। ଭାରତ–ନ୍ୟୁଜିଲ୍ୟାଣ୍ଡ ୱାକା ଏକ ନୂତନ ଯାତ୍ରା ପାଇଁ ପ୍ରସ୍ତୁତ।”
ତେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହି ନୂଆ କୌଶଳଗତ ସହଭାଗିତା ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
