ମୌସୁମୀ ବର୍ଷାରୁ ଆଶ୍ୱସ୍ଥି, ମୁମ୍ବାଇରେ ଜନଜୀବନ ସ୍ୱାଭାବିକ
ମୌସୁମୀ ବର୍ଷାରୁ ଆଶ୍ୱସ୍ଥି, ମୁମ୍ବାଇରେ ଜନଜୀବନ ସ୍ୱାଭାବିକ, ସେପଟେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀର ଜନଜୀବନ ପ୍ରଭାବିତ, ଅନେକ ସ୍ଥାନ ଜଳବନ୍ଦୀ ।
ମୁମ୍ବାଇ-ଦିଲ୍ଲୀ: ଗତ କିଛି ଦିନ ଧରି ଲଗାତାର ମୌସୁମୀ ବର୍ଷା ପରେ ଗୁରୁବାର ସକାଳେ ମୁମ୍ବାଇରେ ଆକାଶ ମେଘାଚ୍ଛନ୍ନ ଥିଲେ ମଧ୍ୟ ବର୍ଷା ପ୍ରାୟ ହୋଇନଥିଲା। ତେବେ ଆଜି ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ହାଲୁକାରୁ ମଧ୍ୟମ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ମୁମ୍ୱାଇ ମହାନଗର ପାଳିକା (BMC) ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ଆଇଲ୍ୟାଣ୍ଡ ସିଟିରେ ହାରାହାରି ୧୪.୨୧ ମିଲିମିଟର, ପୂର୍ବ ଉପନଗରରେ ୩୯.୩୭ ମି.ମି. ଏବଂ ପଶ୍ଚିମ ଉପନଗରରେ ୨୮.୮୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। BMC କହିବା ଅନୁଯାୟୀ, ସହରର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟପଟେ ଅଧିକାରୀମାନଙ୍କ ସୂଚନା ଅନୁସାରେ, ଉପନଗରୀୟ ଲୋକାଲ୍ ଟ୍ରେନ୍, ମେଟ୍ରୋ ଓ ବସ୍ ସେବା ସ୍ୱାଭାବିକ ଭାବେ ଚାଲୁଥିବାବେଳେ ଲୋକାଲ୍ ଟ୍ରେନ୍ଗୁଡ଼ିକ ୫ରୁ ୧୦ ମିନିଟ୍ ବିଳମ୍ବରେ ଚଳାଚଳ କରୁଛି।
ସେପଟେ ବୁଧବାର ରାତିଠାରୁ ଲଗାତାର ବର୍ଷା ହେବା ଫଳରେ ଗୁରୁବାର ସକାଳେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ଜନଜୀବନ ପ୍ରାୟ ଅଚଳ ହୋଇପଡ଼ିଛି। ରାଜଧାନୀ ଦିଲ୍ଲୀ ସମେତ ଏହାର ଆଖପାଖ ସହରଗୁଡ଼ିକର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭୟଙ୍କର ଟ୍ରାଫିକ ଜାମ୍ ଦେଖାଦେଇଛି। ଗତକାଲି ବର୍ଷାକୁ ନେଇ ଦିଲ୍ଲୀର ଅଧିକାଂଶ ଅଞ୍ଚଳ ପାଇଁ ଆଇଏମଡି ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଥିଲା ।
