ବେଗୁନିଆରେ ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିତ
ବେଗୁନିଆରେ ୮0ତମ ସ୍ବାଧୀନତା ଦିବସ ପାଳିତ। ଶ୍ରମିକଙ୍କ ଠାରୁ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସବୁଠି ମହାଆଡମ୍ୱରରେ ପାଳିତ ହୋଇଛି ସ୍ୱାଧୀନତା ଦିବସ।
ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ ଓ ସରକାରୀ-ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ପତାକା ଉତ୍ତୋଳନ ଓ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବେଗୁନିଆ-କୁଶପଲ୍ଲା ରାସ୍ତାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ଶ୍ରମିକ ମଧ୍ୟ ଦେଶର ଏହି ପବିତ୍ର ଦିନକୁ ଭୁଲି ନାହାନ୍ତି। କାମ ଆରମ୍ଭ କରିବା ପୂର୍ବରୁ ସେମାନେ ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ଦେଶକୁ ସ୍ୱାଧୀନତା ଦେବା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ବୀର ଯବାନ ଓ ମହାପୁରୁଷମାନଙ୍କୁ ସ୍ମରଣ କରି ପତାକା ଉତ୍ତୋଳନ କରିଥିଲେ। ଦିନ ମଜୁରି କରି ଜୀବିକା ନିର୍ବାହ କରୁଥିବା ଏହି ଶ୍ରମିକମାନଙ୍କ ଦେଶପ୍ରେମ ଉପସ୍ଥିତ ଲୋକଙ୍କ ମନକୁ ଛୁଇଁଥିଲା। ସେହିପରି ବେଗୁନିଆ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ରଙ୍ଗାରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀ, ଓକିଲ, ବୁଦ୍ଧିଜୀବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଦେଶପ୍ରେମର ବାର୍ତ୍ତା ଦିଆଯାଇଥିଲା। ପତାକା ଉତ୍ତୋଳନ ପରେ ସବ୍-ରେଜିଷ୍ଟ୍ରାରଙ୍କ ପକ୍ଷରୁ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସମଗ୍ର ବେଗୁନିଆ ଅଞ୍ଚଳରେ ଦେଶଭକ୍ତିର ଭାବନା ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ ସ୍ୱାଧୀନତା ଦିବସର ଏହି ଉତ୍ସବ ସମସ୍ତଙ୍କ ମନରେ ଦେଶପ୍ରେମର ନୂଆ ଉତ୍ସାହ ଭରିଦେଇଛି।
