ପାରାଦୀପ ରଥଯାତ୍ରାରେ ଅଘଟଣ: ଉପର କଳସ ପଡ଼ି ଦୁଇ ଶ୍ରଦ୍ଧାଳୁ ଗୁରୁତର
ପାରାଦୀପ ରଥଯାତ୍ରାରେ ଅଘଟଣ। ରଥ ଉପରୁ କଳସ ଖସି ଦୁଇ ଶ୍ରଦ୍ଧାଳୁ ଗୁରୁତର। ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ବଡ଼ ପ୍ରଶ୍ନ।
ପାରାଦୀପରେ ଅନୁଷ୍ଠିତ ରଥଯାତ୍ରା ସମୟରେ ଘଟିଛି ଅଘଟଣ। ଗତକାଲି ରଥ ଉପରେ ଥିବା ଉପର କଳସ ଖସି ପଡ଼ିବାରୁ ଦୁଇ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ପାରାଦୀପ ଜଗନ୍ନାଥ କଲୋନୀର ଜୋସ୍ନାମୟୀ ମଣ୍ଡଳ ଓ ଏରସମା ବ୍ଲକ ଗଡ଼ ବିଷ୍ଣୁପୁର ଅଞ୍ଚଳର ଧନେଶ୍ୱର ପ୍ରଧାନ। ଉଭୟଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଅଠରବାଙ୍କୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ପାରାଦୀପ ମଧୁବନ ଜଗନ୍ନାଥ ମନ୍ଦିରରୁ ମାଉସୀମା ମନ୍ଦିର ଅଭିମୁଖେ ରଥ ଯାଉଥିବା ବେଳେ ରାସ୍ତାରେ ଥିବା ଏକ ଗଛ ଡାଳରେ ରଥର ଉପର କଳସ ବାଜିଥିଲା। ଏଥିରେ କଳସଟି ଭାଙ୍ଗି ତଳକୁ ଖସି ପଡ଼ିଥିଲା। ରଥ ପଛ ପାର୍ଶ୍ୱରେ ଯାଉଥିବା ଧନେଶ୍ୱର ଓ ଜୋସ୍ନାମୟୀଙ୍କ ଉପରେ ଏହା ପଡ଼ିଥିଲା। ଧନେଶ୍ୱେରଙ୍କର ମୁଣ୍ଡ ଫାଟିଥିବା ବେଳେ ସେ ସଂଜ୍ଞାହୀନ ହୋଇ କଥାବାର୍ତା କରି ପାରୁନଥିବା ଓ ଜୋସ୍ନାମୟୀଙ୍କ ଛାତି ଯନ୍ତ୍ରଣା ହେଉଥିବାରୁ ଉଭୟଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି | ଘଟଣା ପରେ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ବଡ଼ ପ୍ରଶ୍ନ। ରଥ ଚାରିପାଖରେ ପୋଲିସ ସୁରକ୍ଷା ବଳୟ ଥିବା ସତ୍ତ୍ୱେ ଆହତ ଦୁଇ ଜଣ କିପରି ରଥର ନିକଟକୁ ପହଞ୍ଚିଲେ? ରଥ ଯିବା ରାସ୍ତାରେ ବିପଦ ସୃଷ୍ଟି କରୁଥିବା ଗଛ ଡାଳ ପୂର୍ବରୁ କାହିଁକି କଟାଯାଇନଥିଲା? ଏସବୁ ଦିଗ ଏବେ ତଦନ୍ତର ବିଷୟ ହୋଇଛି।
