ଭଟଲିରେ ମହାଆଡ଼ମ୍ବରରେ ପାଳିତ ହେଲା ଦଧିବାମନଙ୍କ ଘୋଷଯାତ୍ରା
ପଶ୍ଚିମ ଓଡ଼ିଶାର ଭଟଲି ରଥଯାତ୍ରାର ନିଆରା ପରମ୍ପରା, ନବଜାତ ଶିଶୁଙ୍କ ରଥ ଛୁଆଁ ପାଇଁ ଭକ୍ତଙ୍କ ଭିଡ଼। ଝିପିଝିପି ବର୍ଷାରେ ମଧ୍ୟ କମିଲାନି ଭକ୍ତଙ୍କ ଉତ୍ସାହ, ଦଧିବାମନଙ୍କ ଦର୍ଶନ ପାଇଁ ଲାଗିଲା ଲମ୍ବା ଧାଡ଼ି।
ବରଗଡ଼: ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲାର ଭଟଲିରେ ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଛି ପ୍ରଭୁ ଦଧିବାମନଙ୍କ ଘୋଷଯାତ୍ରା। ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରଭୁ ରଥାରୂଢ଼ ହୋଇ ମାଉସୀମା' ମନ୍ଦିରକୁ ବିଜେ କରିଥିଲେ। ଆଗରେ ହରିନାମ ସଂକୀର୍ତ୍ତନ, ପଛରେ ଛେରାପହଁରା ଏବଂ ସବାଶେଷରେ ଭକ୍ତଙ୍କ ଗହଣରେ ପହଣ୍ଡି ବିଜେରେ ମନ୍ଦିରରୁ ବାହାରି ଆସିଥିଲେ ପ୍ରଭୁ ଦଧିବାମନ। ଗାଁ ଦାଣ୍ଡରେ ଭକ୍ତଙ୍କ ଭିଡ଼, ହରିବୋଲ ଧ୍ୱନି ଓ ଭକ୍ତିମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା ଭଟଲିର ପ୍ରସିଦ୍ଧ ରଥଯାତ୍ରା। ପୁରୀ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ପହଡ଼ଭଙ୍ଗ, ଦ୍ୱାରଫିଟା, ସୂର୍ଯ୍ୟପୂଜା, ଛେରାପହଁରା ଓ ପହଣ୍ଡି ବିଜେ ପରେ ପ୍ରଭୁ ରଥାରୂଢ଼ ହୋଇଥିଲେ। ଏହାପରେ ହଜାର ହଜାର ଭକ୍ତ ରଥ ଟାଣି ପ୍ରଭୁଙ୍କୁ ମାଉସୀମା' ମନ୍ଦିରକୁ ନେଇଥିଲେ।
ଭଟଲି ରଥଯାତ୍ରାର ସବୁଠାରୁ ନିଆରା ପରମ୍ପରା ହେଉଛି ନବଜାତ ଶିଶୁଙ୍କ ରଥ ଛୁଆଁ। ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ପଛରେ ରହିଛି ଗଭୀର ବିଶ୍ୱାସ। ବାମନ ରୂପୀ ପ୍ରଭୁ ଦଧିବାମନଙ୍କ ଦର୍ଶନ ଓ ରଥ ସ୍ପର୍ଶ କଲେ ଶିଶୁଙ୍କ ଜୀବନ ସୁଖମୟ ହେବା ସହ ଭଗବାନଙ୍କ ଆଶୀର୍ବାଦ ମିଳେ ବୋଲି ଲୋକବିଶ୍ୱାସ ରହିଛି। ସେଥିପାଇଁ ନିଜ ନବଜାତ ଶିଶୁଙ୍କୁ ରଥ ଛୁଆଁଇବା ପାଇଁ ଅଭିଭାବକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି।
ବରଗଡ଼ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶୀ ଛତିଶଗଡ଼ରୁ ମଧ୍ୟ ହଜାର ହଜାର ଭକ୍ତ ଏହି ଅବସରରେ ଭଟଲିରେ ପହଞ୍ଚିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଝିପିଝିପି ବର୍ଷା ମଧ୍ୟ ଭକ୍ତଙ୍କ ଆସ୍ଥାକୁ ଅଟକାଇ ପାରିନଥିଲା। ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଦଧିବାମନଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ୱୟ ପୁଣିଥରେ ଭଟଲି ରଥଯାତ୍ରାକୁ ପଶ୍ଚିମ ଓଡ଼ିଶାର ଏକ ଅନନ୍ୟ ଧାର୍ମିକ ମହୋତ୍ସବ ଭାବେ ପ୍ରତିଷ୍ଠିତ କରିଛି।
