ଶରଧାବାଲିରେ ତିନି ରଥ, ଆସନ୍ତାକାଲି ଆଡ଼ପ ବିଜେ
ନିର୍ଦ୍ଧାରିତ ସମୟରେ ଶରଧାବାଲିରେ ପହଞ୍ଚିଲେ ମହାବାହୁ। ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ପୁରା ଶ୍ରୀକ୍ଷେତ୍ର। ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ।
ପୁରୀ: ଶରଧାବାଲିରେ ଦଣ୍ଡାମାନ ତିନି ରଥ। ଦ୍ୱିତୀୟ ଦିନରେ ରଥଟଣା ସମ୍ପୂର୍ଣ୍ଣ ହୋଇ ଗୁଣ୍ଡିଚା ଯାତ୍ରାର ଏକ ମହତ୍ୱପୂର୍ଣ୍ଣ ପର୍ବ ଶେଷ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବ ଓ ଭକ୍ତିର ଡୋରିରେ ଟାଣି ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନି ରଥ ଶରଧାବାଲିରେ ପହଞ୍ଚିଛି। ଆଜି ସକାଳେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା। ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରଚିକୋଟ ଛକରୁ ଗଡ଼ିବା ଆରମ୍ଭ କରିଥିଲା। ‘ଜୟ ମା’ ସୁଭଦ୍ରା’ ଧ୍ୱନି ଓ ହରିବୋଲ ନାଦରେ ପରିବେଶ ମୁଖରିତ ହୋଇଥିବାବେଳେ ଭକ୍ତମାନେ ଅପାର ଭକ୍ତିଭାବରେ ରଥକୁ ଟାଣିଥିଲେ। ପରେ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା। ଗତକାଲି ଅଳ୍ପ ଦୂର ଗଡ଼ି ଅଟକି ରହିଥିବା ନନ୍ଦିଘୋଷ ଆଜି ସୁରୁଖୁରୁରେ ଆଗେଇ ଶରଧାବାଲିରେ ପହଞ୍ଚିଛି। ପୁରା ବଡଦାଣ୍ଡ ଘଣ୍ଟଘଣ୍ଟା ନାଦ, ହରିବୋଲ ଧ୍ୱନି ଓ ଭକ୍ତଙ୍କ ଉତ୍ସାହରେ ଗୁଞ୍ଜରିତ ହୋଇଉଠିଥିଲା। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ। ଅନ୍ୟପଟେ ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ।
