ଉପଜିଲ୍ଲାପାଳଙ୍କ ଛେରାପହଁରାକୁ ନେଇ ଉତ୍ତେଜନା
ନୟାଗଡ଼ରେ ରଥଯାତ୍ରା ବେଳେ ଉତ୍ତେଜନା। ଉପଜିଲ୍ଲାପାଳଙ୍କ ଛେରାପହଁରା କରିବାକୁ ନେଇ ବିରୋଧ କଲେ ମନ୍ଦିର ସେବାୟତ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରଥରେ ଛେରାପହଁରା କରିଥିଲେ ବ୍ରାହ୍ମଣ ପରିଛା ।
ନୟାଗଡ: ରଥଯାତ୍ରା ସମୟରେ ଛେରାପହଁରାକୁ ନେଇ ନୟାଗଡ଼ ପୁରୁଣା ସହରରେ ଉତ୍ତେଜନା ସୃଷ୍ଟି। ଉପ ଜିଲ୍ଲାପାଳ ରଥରେ ଛେରାପହଁରା କରିବାକୁ ଯାଇଥିବା ବେଳେ ଜଗନ୍ନାଥ ମନ୍ଦିରର ସେବାୟତ ଏବଂ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏହାପରେ ବ୍ରାହ୍ମଣ ପରିଛା ପ୍ରଭାକର ମିଶ୍ର ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା କରିଥିଲେ। ପରବର୍ତ୍ତୀ ସମୟରେ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥରେ ମଧ୍ୟ ଛେରାପହଁରା ସମ୍ପନ୍ନ କରିଥିଲେ। ଏହା ପରେ ସୁରୁଖୁରୁରେ ରଥଟଣା ଆରମ୍ଭ ହୋଇଥିଲା। ତେଵେ ବ୍ରାହ୍ମଣ ପରିଛାଙ୍କ ଦ୍ୱାରା ଛେରାପହଁରା କରାଯିବା ପରେ ଉପ ଜିଲ୍ଲାପାଳ ରଥରୁ ଓହ୍ଲାଇ ସେଠାରୁ ଚାଲିଯାଇଥିଲେ।
ସୂଚନା ଅନୁଯାୟୀ, ନୟାଗଡ଼ର ଦୁଇ ରାଜ ପରିବାର ମଧ୍ୟରେ ରଥରେ ଛେରାପହଁରା କରିବା ପାଇଁ ଲାଗି ରହିଥିବା ବିବାଦ ପାଇଁ endowment Commissioner ନୟାଗଡ଼ ଉପ ଜିଲ୍ଲାପାଳଙ୍କୁ ରଥରେ ଛେରାପହଁରା କରିବା ପାଇଁ ନିର୍ଦେଶ ଦେଇଥିଲେ।
