ହସ୍ପିଟାଲରୁ ଜେଲ ଫେରିଲେ ଇମ୍ରାନ ଖାନ
ହସ୍ପିଟାଲରୁ ଆଦିଆଲା ଜେଲ ଫେରିଲେ ଇମ୍ରାନ ଖାନ, ଡାକ୍ତର କହିଲେ ‘ମେଡିକାଲି ଫିଟ୍’ । କଡ଼ା ସୁରକ୍ଷା ବ୍ୟବସ୍ଥାରେ ଶିଫା ହସ୍ପିଟାଲରୁ ଆଦିଆଲା ଜେଲ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।
ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା PTI ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ପୁଣି ଆଦିଆଲା ଜେଲକୁ ଫେରାଇ ନିଆଯାଇଛି। ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ପରୀକ୍ଷା କରାଯାଇଥିଲା। ପାକିସ୍ତାନର ସୂଚନାମନ୍ତ୍ରୀ ଅତାଉଲ୍ଲାହ ତାରାରଙ୍କ କହିବା ଅନୁସାରେ, ଚକ୍ଷୁ ବିଶେଷଜ୍ଞ, ହୃଦରୋଗ ବିଶେଷଜ୍ଞ ଓ ଜଣେ ଫିଜିସିଆନଙ୍କୁ ନେଇ ଗଠିତ ଡାକ୍ତରୀ ଟିମ୍ ଇମ୍ରାନଙ୍କର ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ତାଙ୍କୁ ଜେଲରେ ରଖିବା ପାଇଁ ଚିକିତ୍ସା ଦୃଷ୍ଟିରୁ ଫିଟ୍ ବୋଲି ଘୋଷଣା କରାଯାଇଥିଲା। ସୂଚନା ଅନୁଯାୟୀ, ଜେଲରେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କୁ ବିଶେଷଜ୍ଞ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗୁରୁବାର ମଧ୍ୟରାତ୍ରି ପରେ ତାଙ୍କୁ ଶିଫା ହସ୍ପିଟାଲକୁ ନିଆଯାଇଥିଲା। ଇମ୍ରାନଙ୍କ ଓକିଲମାନେ ଦାବି କରିଥିଲେ ଯେ ଜେଲରେ ରହିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି ଏବଂ ଡାହାଣ ଆଖିର ଦୃଷ୍ଟିଶକ୍ତି ଯଥେଷ୍ଟ କମିଛି। ଏହାକୁ ନେଇ ସୁପ୍ରିମକୋର୍ଟ ଇମ୍ରାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନେବା ସହ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ମେଡିକାଲ ପ୍ୟାନେଲରେ ସାମିଲ କରିବାକୁ କହିଥିଲେ।
ଇମ୍ରାନ ଖାନଙ୍କୁ ହସ୍ପିଟାଲରୁ ଆଦିଆଲା ଜେଲକୁ ନେବା ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜେଲକୁ ଫେରିବା ପରେ ତାଙ୍କୁ ପୁଣି ତାଙ୍କ ସେଲ୍କୁ ନିଆଯାଇଛି। ଏହି ସମୟରେ ଇମ୍ରାନ ଖାନଙ୍କ ସମର୍ଥନରେ ଅନେକ PTI କର୍ମୀ ଓ ସମର୍ଥକ ହସ୍ପିଟାଲ ନିକଟରେ ଏକାଠି ହୋଇଥିବା ଜଣାପଡ଼ିଛି।
