IIT-Bombay student death; ଜୀବନ ଗଲା ପରେ ପଶ୍ଚାତାପ କଲା ଅନୁଷ୍ଠାନ
ପ୍ରତିଷ୍ଠିତ ସଂସ୍ଥାନ ଆଉ ସେମାନଙ୍କର ସରକାରୀ ଶିକ୍ଷା ବ୍ୟବସ୍ଥାର ପ୍ରଶାସନିକ ଢାଞ୍ଚା ଏତେ ଅଡୁଆ ଯେ ସୁଧାର ପାଇଁ କୌଣସି ଦୁର୍ଘଟଣା ଘଟିବାର ଅପେକ୍ଷା କରିବାକୁ ପଡେ | 'ଆଣ୍ଟି-ସୁସାଇଡ୍' ଫ୍ୟାନ୍ ବଦଳିବାର ପ୍ରତିଶୃତି ୩ ମାସ ହେଲା ଫାଇଲ ଭିତରେ ଝୁଲୁଥିବାବେଳେ, ହଷ୍ଟେଲ ରୁମରେ ଝୁଲିପଡୁଛନ୍ତି ଛାତ୍ର | ଏବେ ୧୮-ଦଫା ଦାବିପତ୍ରରେ ହସ୍ତାକ୍ଷର କରି ପୁଣି ଦୋଷଛଡ଼ା ହେବକି ଶିକ୍ଷାନୁଷ୍ଠାନ ?
ଦେଶର ପ୍ରତିଷ୍ଠିତ ସଂସ୍ଥା ଆଇଆଇଟି ବମ୍ବେ କ୍ୟାମ୍ପସରେ ଜଣେ ବିଟେକ ଦ୍ଵିତୀୟ ବର୍ଷ ଛାତ୍ର ସାହିଲ ଵାକୋଡେଙ୍କ ଅକାଳ ମୃତ୍ୟୁ ପରେ ଆମ ଶିକ୍ଷା ବ୍ୟବସ୍ଥାର ଅସଲ ରୂପ ପୁଣି ଥରେ ପଦାରେ ପଡ଼ିଛି। ଲଗାତାର ତିନି ଦିନ ଧରି ଛାତ୍ରଛାତ୍ରୀମାନେ ମୁଖ୍ୟଦ୍ଵାରରେ ଠିଆହେବା ଦେବା ପରେ ଯାଇ ନିନ୍ଦ ଭାଙ୍ଗିଲା ନିର୍ଦ୍ଦେଶକ ମହୋଦୟଙ୍କର ଏବଂ ସେ ବାଧ୍ୟ ହୋଇ ୧୮-ଦଫା ଦାବିପତ୍ରରେ ଦସ୍ତଖତ କରି କ୍ଷମା ପ୍ରାର୍ଥନା କଲେ। ମାନେ, ସୁଧାର ବ୍ୟବସ୍ଥା ଫାଇଲରୁ ବାହାରିବାପାଇଁ ସଂସ୍ଥାରେ ପ୍ରଥମେ ନିରୀହ ଜୀବନ ବଳି ପଡ଼ିବା ଏବଂ ତା'ପରେ ଜୋରଦାର ହଙ୍ଗାମାର ଦରକାର ରହିଛି।
ସଂସ୍ଥା ଏବଂ ସରକାରୀ ଶିକ୍ଷା ନୀତି ର ଫୁର୍ତି ର ଅନୁମାନ ଏହିଥିରୁ ଲଗେଇ ହେବଯେ,ଗତ ଜୁଲାଇ ମାସରେ ଜଣେ ଛାତ୍ରଙ୍କ ସୁସାଇଡ୍ ପରେ ହଷ୍ଟେଲରେ 'ଆଣ୍ଟି-ସୁସାଇଡ୍' ଫ୍ୟାନ୍ ଲଗାଇବାର ପ୍ରତିଶୃତି, ୩ ମାସ ହେଲା ସରକାରୀ ଫାଇଲ ଭିତରେ ହିଁ ଦବି ଯାଇଛି। ତେବେ,ଘଟଣା ଅନୁସାରେ ପରୀକ୍ଷା ହଲ୍ରେ ସାହିଲ୍ ମୋବାଇଲ୍ ଫୋନ୍ ବ୍ୟବହାର କରି ଚାଟ୍-ଜିପିଟି (ChatGPT) ସାହାଯ୍ୟରେ ପ୍ରଶ୍ନର ଉତ୍ତର ଖୋଜୁଥିବା ବେଳେ ପ୍ରଫେସର ତାଙ୍କୁ ଧରିଥିଲେ । ଏହାପରେ ପ୍ରଫେସର ତାଙ୍କୁ ବାହାରକୁ ନେଇ କଥା ହୋଇଥିଲେ। ଯାହା ପରେ ଛାତ୍ର ଜଣକ ହଷ୍ଟେଲକୁ ଫେରି ସୁସାଇଡ୍ ଭଳି ଚରମ ନିଷ୍ପତ୍ତି ନେଲେ ! କିନ୍ତୁ ସଂସ୍ଥା ଏହା କେବଳ 'ସାଧାରଣ କାଉନସେଲିଂ' ଥିଲା ବୋଲି ଦାବି କରୁଥିବାବେଳେ , କାହାଣୀ ନୂଆ ମୋଡ ସାମ୍ନାକୁ ଆସିଛି , ସାହିଲଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଗତ ତିନି ମାସ ଧରି କ୍ୟାମ୍ପସରେ ତାଙ୍କ ପୁଅକୁ ଲଗାତାର ଭାବେ ଜାତିଗତ ଆକ୍ଷେପ (caste abuse), ମାନସିକ ନିର୍ଯାତନା ଏବଂ କୋର୍ସରୁ ବହିଷ୍କାର ସହ ଏକ ବର୍ଷ ସସପେଣ୍ଡ କରିବାର ଧମକ ଦିଆଯାଉଥିଲା।
ଘଟଣା ଗମ୍ଭୀର ହେଲାପରେ କ୍ରାଇମ ବ୍ରାଞ୍ଚ ହାତକୁ ନେଇଛି ତଦନ୍ତ ଦାୟିତ୍ୱ | ସେପଟେ,ସମ୍ପୃକ୍ତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲାଙ୍କ ବିରୋଧରେ ଆତ୍ମହତ୍ୟା ପ୍ରରୋଚନା ଏବଂ ଜାତିଗତ ଆକ୍ଷେପ SC/ST, Act ଅଧୀନରେ ମାମଲା ରୁଜୁ ହେବା ପରେ ଯାଇ ପ୍ରଶାସନକୁ ମାନସିକ ସ୍ୱାସ୍ଥ୍ୟ କଥା ମନେପଡ଼ିଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିର୍ଦ୍ଦେଶକ କ୍ଷମା ପ୍ରାର୍ଥନା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହେଲେ ଇସ୍ତଫା ଦେବାକୁ ଆଶ୍ୱାସନା ଦେଇଥିଲେ। ଏହି ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ କମିଟି ଗଠନ କରାଯାଇଛି। ସତରେ, ଶିକ୍ଷା ନୀତି ଏଠି ଛାତ୍ରଙ୍କ ସୁରକ୍ଷାରେ ନୁହେଁ , ବରଂ ଦୁର୍ଘଟଣା ପରେ କାଗଜପତ୍ର ସମ୍ଭାଳିବାରେ ପାରଙ୍ଗମ | ଶେଷରେ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା ଇସ୍ତଫା ଦେଇଛନ୍ତି।
