ସୋନମ ରଘୁବଂଶୀଙ୍କୁ ଦୁଇଟି ବିକଳ୍ପ- ସରେଣ୍ଡର ନଚେତ ଜାମିନ ରଦ୍ଦ
ସେ ଯଦି ଆତ୍ମସମର୍ପଣ ନକରନ୍ତି, ତେବେ ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ବିଷୟରେ କୋର୍ଟ ବିଚାର କରିପାରନ୍ତି।ପରିବାରର କହିବା କଥା, ସେମାନେ ଲମ୍ୱା ସମୟ ଧରି ନ୍ୟାୟର ଅପେକ୍ଷାରେ ଅଛନ୍ତି। କିନ୍ତୁ ବାରମ୍ୱାର ତାରିଖ ଗଡ଼ୁଥିବାରୁ ଆଶାଭରସା ମରିଯାଉଛି। ଏ ପ୍ରକରଣରେ ଆଜି ଯାଏ ଚାରିରୁ ଅଧିକ ଥର ଶୁଣାଣୀ ତାରିଖ ପଡିଲାଣି ସୁପ୍ରିମକୋର୍ଟରେ।

ଇନ୍ଦୋରର ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହନିମୁନ ହତ୍ୟାକାଣ୍ଡ ମାମଲାରେ ପୁଣି ଥରେ ଶୁଣାଣୀ ସ୍ଥଗିତ ରହିଲା। ମେଘାଳୟ ସରକାରଙ୍କ ପକ୍ଷରୁ ଦାଏର ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହାର ଶୁଣାଣୀ ଗୁରୁବାର ଅର୍ଥାତ୍ ଜୁଲାଇ ୨୩ରେ କରିବେ। ଶୁଣାଣୀ ବେଳେ ଅଭିଯୁକ୍ତ ସୋନମ ରଘୁବଂଶୀକୁ ଦୁଇଟି ବିକଳ୍ପ ଦେଇଛନ୍ତି କୋର୍ଟ। ଅଦାଲତ କହିଛନ୍ତି ଯେ, ସେ ସରେଣ୍ଡର କରନ୍ତୁ। ନଚେତ ଜାମିନ୍ ରଦ୍ଦ କରିଦିଆଯିବ। ଆଉ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ପୁଣି ଥରେ ଜାମିନ ଲାଗି ଆବେଦନ କରିପାରିବେ ସୋନମ। ନଚେତ ଅଦାଲତ ଏ ମାମଲାରେ ଥିବା ରେକର୍ଡ, ଆଚରଣ ଓ ଦୋଷ ଆଧାରରେ ନିଷ୍ପତ୍ତି ଶୁଣାଇବେ। ପ୍ରଥମତଃ, ସେ ଟ୍ରାଏଲ୍ କୋର୍ଟରେ ଆତ୍ମସମର୍ପଣ କରି ମାମଲାର ପ୍ରମୁଖ ସାକ୍ଷୀମାନଙ୍କର ସାକ୍ଷ୍ୟଗ୍ରହଣ ପ୍ରକ୍ରିୟାକୁ ଆଗକୁ ବଢ଼ିବାକୁ ଦେବେ। ଏହାପରେ ଆବଶ୍ୟକ ହେଲେ ତାଙ୍କ ଜାମିନ ଆବେଦନ ଉପରେ ପୁନର୍ବିଚାର କରାଯିବ। ଦ୍ୱିତୀୟତଃ, ସେ ଯଦି ଆତ୍ମସମର୍ପଣ ନକରନ୍ତି, ତେବେ ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ବିଷୟରେ କୋର୍ଟ ବିଚାର କରିପାରନ୍ତି। ସୁପ୍ରିମକୋର୍ଟ ଏହା ମଧ୍ୟ ପଚାରିଥିଲେ ଯେ, ଗିରଫ ସମୟରେ ଗିରଫର କାରଣ ସମ୍ୱନ୍ଧୀୟ ଦସ୍ତାବିଜ ନମିଳିବା ନେଇ ସେ ତୁରନ୍ତ ଆପତ୍ତି ଉଠାଇନଥିଲେ କାହିଁକି ଏବଂ ପରେ କାହିଁକି ଏହି ପ୍ରସଙ୍ଗ ଉଠାଇଥିଲେ। ମାମଲାରେ ଲଗାତାର ଶୁଣାଣୀ ସ୍ଥଗିତ ହେବାରୁ ମୃତକ ରାଜାଙ୍କ ପରିବାର ଚିନ୍ତାପ୍ରକଟ କରିଛନ୍ତି। ପରିବାରର କହିବା କଥା, ସେମାନେ ଲମ୍ୱା ସମୟ ଧରି ନ୍ୟାୟର ଅପେକ୍ଷାରେ ଅଛନ୍ତି। କିନ୍ତୁ ବାରମ୍ୱାର ତାରିଖ ଗଡ଼ୁଥିବାରୁ ଆଶାଭରସା ମରିଯାଉଛି। ଏ ପ୍ରକରଣରେ ଆଜି ଯାଏ ଚାରିରୁ ଅଧିକ ଥର ଶୁଣାଣୀ ତାରିଖ ପଡିଲାଣି ସୁପ୍ରିମକୋର୍ଟରେ। ମାମଲା ବିଳମ୍ୱିତ ହେଉଥିବାରୁ ତୁରନ୍ତ ନିର୍ଣ୍ଣୟ ନେବାକୁ ସୁପ୍ରିମକୋର୍ଟଙ୍କୁ ଅପିଲ୍ କରିଛନ୍ତି ସ୍ୱର୍ଗତ ରଘୁବଂଶୀଙ୍କ ଭାଇ ବିପିନ ରଘୁବଂଶୀ। ଯେତେଦିନ ସୋନମ ଜେଲରୁ ବାହାର ରହିବେ। ସେତେଦିନ ପ୍ରମାଣକୁ ନଷ୍ଟ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହି ମାମଲାରେ ସୋନମ ରଘୁବଂଶୀଙ୍କ ଜାମିନ ବଜାୟ ରହିବ କି ବାତିଲ ହେବ, ସେନେଇ ସୁପ୍ରିମକୋର୍ଟଙ୍କ ଅନ୍ତିମ ରାୟକୁ ସମସ୍ତଙ୍କ ଅପେକ୍ଷା ରହିଛି। ରାଜା ରଘୁବଂଶୀ ହନିମୁନ୍ ହତ୍ୟା ମାମଲାରେ ସୋନମ ରଘୁବଂଶୀଙ୍କୁ ମାମଲାର (Merits) ଆଧାରରେ ନୁହେଁ, ବରଂ ଏକ ପ୍ରକ୍ରିୟାଗତ (Technical) ତ୍ରୁଟି ଆଧାରରେ ଜାମିନ ମିଳିଥିଲା। ମେଘାଳୟ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ, ଚାର୍ଜସିଟ୍ ଏବଂ ଏହା ସମ୍ବନ୍ଧୀୟ ଆଇନଗତ ପ୍ରକ୍ରିୟାରେ ପ୍ରଯୁଜ୍ୟ ଆଇନର ଧାରା ଉଲ୍ଲେଖ କରିବା ବେଳେ ଏକ ଟାଇପିଂ (Typographical) ତ୍ରୁଟି ହୋଇଥିଲା। ହାଇକୋର୍ଟ ଏହାକୁ ଏକ ଗୁରୁତର ପ୍ରକ୍ରିୟାଗତ ତ୍ରୁଟି ବୋଲି ବିବେଚନା କରିଥିଲେ ଏବଂ ସେହି ଆଧାରରେ ସୋନମଙ୍କୁ ମିଳିଥିବା ଜାମିନକୁ ବଜାୟ ରଖିଥିଲେ। ତେବେ ଏହି ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ପ୍ରାଥମିକ ଭାବେ ଅସହମତି ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, କେବଳ ଏକ ଟାଇପିଂ ତ୍ରୁଟି ଭଳି ପ୍ରକ୍ରିୟାଗତ କାରଣ ଦର୍ଶାଇ ଏତେ ଗୁରୁତର ହତ୍ୟା ମାମଲାରେ ଜାମିନ ଦେବା ଯଥେଷ୍ଟ କାରଣ ହୋଇପାରିବ ନାହିଁ। ତଥାପି, ସୋନମ ରଘୁବଂଶୀ ପୂର୍ବରୁ ଜାମିନରେ ମୁକ୍ତ ହୋଇସାରିଥିବାରୁ ସୁପ୍ରିମକୋର୍ଟ ତୁରନ୍ତ ତାଙ୍କ ଜାମିନକୁ ସ୍ଥଗିତ କିମ୍ୱା ବାତିଲ କରିନାହାନ୍ତି। ବର୍ତ୍ତମାନ ମେଘାଳୟ ସରକାରଙ୍କ ଜାମିନ ବାତିଲ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ନବବିବାହିତ ଦମ୍ପତି ରାଜା ଓ ସୋନମ ରଘୁବଂଶୀ ହନିମୁନ୍ ପାଇଁ ମେଘାଳୟ ଯାଇଥିବାବେଳେ ୨୩ ମେ ୨୦୨୫ରେ ଉଭୟ ନିଖୋଜ ହୋଇଥିଲେ। ପରେ ୨ ଜୁନ୍ରେ ସୋହରା (ଚେରାପୁଞ୍ଜି)ର ୱେଇ ସାଓଡୋଙ୍ଗ ଝରଣା ନିକଟସ୍ଥ ଏକ ଗଭୀର ଖାଇରୁ ରାଜାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ତଦନ୍ତରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ ପ୍ରକାଶ କରିଥିଲା। ତଦନ୍ତରେ ମେଘାଳୟ ପୋଲିସ ଦାବି କରିଛି ଯେ ରାଜାଙ୍କ ସ୍ତ୍ରୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକ ରାଜ ସିଂହ କୁଶୱାହାଙ୍କ ସହ ମିଶି ସୁପାରି କିଲର ନିଯୁକ୍ତ କରି ରାଜାଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ଏହି ମାମଲାରେ ସୋନମଙ୍କ ସମେତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ସୋନମଙ୍କ ପରିବାର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରି ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି।
