koraput heavy rainfall : ମାଲିଗୁଡାରେ ବର୍ଷାର ଭୟଙ୍କର ତାଣ୍ଡବ, ଧସିଲା ମାଟି ଭାଙ୍ଗିଲା ବିଦ୍ୟୁତ ଟାୱାର
ବର୍ଷାର ତାଣ୍ଡବରେ ମାଲିଗୁଡା ନିକଟରେ ବିଦ୍ୟୁତ ଟାୱାର ଧରାଶାୟୀ ହୋଇଥିବା ସହ ମାଟି ଧସିବାରୁ ରେଳ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି | ଯୁଦ୍ଧକା ଟ୍ରାକ୍କୁ ସୁରକ୍ଷିତ କରିବା ଏବଂ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଜାରି ରହିଛି।

ବର୍ଷାର ତାଣ୍ଡବରେ କିଭଳି ଏକ ବିଦ୍ୟୁତ ଟାୱାର ଆଖି ପିଛୁଳାକେ ଧରାଶାୟୀ ହୋଇ ପଡ଼ୁଛି | ଗଭୀର ଅବପାତ ଯୋଗୁଁ ଲଗାଣ ବର୍ଷା ଜାରି ରହିଥିବା ବେଳେ, କୋରାପୁଟ ଜିଲ୍ଲାର ମାଲିଗୁଡା ରେଳଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ବର୍ଷାର ଏଭଳି ତାଣ୍ଡବ। ମାଟି ଅତଡ଼ା ଧସିବାରୁ ଷ୍ଟେସନ ନିକଟରେ ଥିବା ଏକ ବଡ଼ ବିଦ୍ୟୁତ ଟାୱାର ଭାଙ୍ଗି ପଡ଼ିଛି। କେବଳ ବିଦ୍ୟୁତ ଟାୱାର ନୁହେଁ, ମାଟି ଧସିବାର ପ୍ରଭାବ ରେଳ ଟ୍ରାକ୍ ଉପରେ ମଧ୍ୟ ପଡ଼ିଛି। ମାଲିଗୁଡା ଷ୍ଟେସନର ଏକ ରେଳ ଟ୍ରାକ୍ର ତଳଭାଗ ଓ ପାର୍ଶ୍ୱ ଅଂଶରୁ ମାଟି ଖସିଯିବାରୁ ଟ୍ରାକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରାକ୍ ଉପରେ ଜମିଥିବା ମାଟିକୁ ଜେସିବି ମେସିନ୍ ଲଗାଇ ହଟାଇବା କାମ ଚାଲିଛି। ଲଗାଣ ବର୍ଷାରେ ରାୟଗଡ-କୋରାପୁଟ ରେଳପଥର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି। ଲିଲିଗୁମ୍ମା ଓ ରାଉଳି ମଧ୍ୟରେ ଥିବା ୩ ନମ୍ବର ଟନେଲ ନିକଟରେ ମାଟି ଅତଡ଼ା ଖସିଥିବା ବେଳେ, ଲକ୍ଷ୍ମୀପୁର.ରୋଡ୍ ଓ କାକିରିଗୁମ୍ମା ମଧ୍ୟରେ ଜଳ ଜମିଛି। ଏଭଳି ସ୍ଥିତିରେ ରେଳ ବିଭାଗ ପକ୍ଷରୁ ସମ୍ବେଦନଶୀଳ ସ୍ଥାନ, ଟନେଲ ଓ ରେଳପଥ ଉପରେ ଲଗାତାର ନଜର ରଖାଯାଉଛି। ପ୍ରଭାବିତ ସ୍ଥାନରେ ରେଳ ବିଭାଗର କର୍ମଚାରୀ ନିୟୋଜିତ ହୋଇଛନ୍ତି। ଟ୍ରାକ୍କୁ ସୁରକ୍ଷିତ କରିବା ଏବଂ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଜାରି ରହିଛି। ଲଗାଣ ବର୍ଷା ମଧ୍ୟରେ ମାଲିଗୁଡା ଭଳି ପାହାଡ଼ିଆ ଓ ସମ୍ବେଦନଶୀଳ ରେଳପଥର ସୁରକ୍ଷା ଏବେ ରେଳ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
