"Gyanesh, it's done, bro":'ଜ୍ଞାନେଶ, ଇଟ୍ସ ଡନ୍ ବ୍ରୋ':ଇସ୍ତଫା ଦାବିରେ ତେଜିଲା ଆନ୍ଦୋଳନ
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗକୁ ନେଇ ନିର୍ବାଚନ ସଦନ ମୁହାଁ ଇଣ୍ଡିଆ ମେଣ୍ଟର ସାଂସଦମାନେ। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ନେତା ଆକାଶବାଣୀ ଭବନ ପରିସରରେ ହାଲ୍ଲାବୋଲ୍ କରୁଥିବା ବେଳେ ଢିଲା ପଡିଛି ସୁରକ୍ଷା ବଳୟ | ଆଗାମୀ ଦିନରେ ଦେଶବ୍ୟାପୀ ପଦଯାତ୍ରା ଓ ଜନସଭା ପାଇଁ ରୋଡମ୍ୟାପ୍ ଘୋଷଣା କରିଛି ବିରୋଧୀ ମେଣ୍ଟ।
ନୂଆଦିଲ୍ଲୀ:ନୂଆଦିଲ୍ଲୀରେ ନିର୍ବାଚନ କମିଶନ ବିରୋଧରେ INDIA ବ୍ଲକ୍ର ପ୍ରତିବାଦ ଜୋରଦାର ହୋଇଛି। ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟାରେ କଥିତ ଅନିୟମିତତା,ଭୋଟର ତାଲିକାରେ ପରିବର୍ତ୍ତନ ଏବଂ ନିର୍ବାଚନ କମିଶନର ନିଷ୍ପତ୍ତି ନେଇ ଉଠିଥିବା ପ୍ରଶ୍ନକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇବାସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି। ବିରୋଧୀ ଦଳର ନେତା ଓ ସାଂସଦମାନେ ସଂସଦ ପରିସରରୁ ନିର୍ବାଚନ କମିଶନର ମୁଖ୍ୟାଳୟ ନିର୍ବାଚନ ସଦନ ଅଭିମୁଖେ ପ୍ରତିବାଦ ମାର୍ଚ୍ଚ କରିଥିଲେ। ତେବେ ପୁଲିସ ସେମାନଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଆକାଶବାଣୀ ଭବନ ନିକଟରେ ଅଟକାଇଥିଲା। ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟାନ୍ୟ ବିରୋଧୀ ସାଂସଦମାନେ ସେଠାରେ ହିଁ ଧାରଣା ଦେଇ ବସିଥିଲେ। ବିରୋଧୀ ମେଣ୍ଟର ହୋହାଲ୍ଲା ଭିତରେ ସିଇସି ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଥିଲେ, "ଜ୍ଞାନେଶ, ଇଟ୍ସ ଡନ୍ ବ୍ରୋ,ବର୍ତ୍ତମାନ ଇସ୍ତଫା ଦିଅନ୍ତୁ।"
ଗୋଟେ ପଟେ ଏହି ରାଜନୈତିକ ଆନ୍ଦୋଳନକୁ ସମ୍ଭାଳିବାକୁ ଯାଇ ପ୍ରଶାସନ ନାକେଦମ , ସେଥିରେ ପୁଣି ଦେଶବ୍ୟାପୀ ଆନ୍ଦୋଳନର ରୋଡମ୍ୟାପ୍ ଘୋଷଣା କରିଛନ୍ତି କଂଗ୍ରେସ ସାଂସଦ ଜୟରାମ ରମେଶ |ତେବେ,ମାର୍ଚ୍ଚ ଶାନ୍ତିପୂର୍ଣ୍ଣ ରହିବ ବୋଲି ସାଂସଦ ଜୟରାମ ରମେଶ କହିଛନ୍ତି । ଏହାସହ ଅକ୍ଟୋବର ୮ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପଦଯାତ୍ରା, ଅକ୍ଟୋବର ୧୦ରୁ ୨୦ ମଧ୍ୟରେ ବ୍ଲକ୍ସ୍ତରୀୟ ବୈଠକ ଏବଂ ଅକ୍ଟୋବର ୨୫ ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ସମଗ୍ର ଦେଶରେ "ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ" ନାଁରେ ବିଶାଳ ରାଲି ଅନୁଷ୍ଠିତ କରାଯିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏହି ବିବାଦ ଆହୁରି ଘନେଇବାର ସମ୍ଭାବନା ରହିଛି।
