ଘୋଡ଼ାପୋଖରୀରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଖାଦ୍ୟଶସ୍ୟ ନଷ୍ଟ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବଢ଼ୁଛି ହାତୀ-ମଣିଷ ସଂଘର୍ଷ। ରାତିରେ ଗାଁ ମୁହାଁ ହାତୀପଲ, ଘର ଭାଙ୍ଗିବା ସହ ନଷ୍ଟ କଲେ ଖାଦ୍ୟଶସ୍ୟ ।
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ବିଶ୍ୱନାଥପୁର ରେଞ୍ଜରେ ହାତୀ-ମଣିଷ ସଂଘର୍ଷ ବଢ଼ିବାରେ ଲାଗିଛି। ବିଜେପୁର ସେକ୍ସନ୍ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ଦୁର୍ଗମ ଘୋଡ଼ାପୋଖରୀ ଗାଁରେ ଏକ ହାତୀପଲ ଧନୁର୍ଜ ହରିଜନଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଖାଦ୍ୟଶସ୍ୟ ଓ ଘରୋଇ ସାମଗ୍ରୀ ନଷ୍ଟ କରିଛନ୍ତି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଧଡେଲ ଜଙ୍ଗଲ ଅଞ୍ଚଳରୁ ଏକ ଦନ୍ତା ହାତୀ ସମେତ ହାତୀପଲ ଗାଁ ମୁହାଁ ହୋଇଥିଲେ। ହାତୀଙ୍କ ଗର୍ଜନ ଓ ଚଳପ୍ରଚଳ ଶବ୍ଦ ଶୁଣି ଧନୁର୍ଜଙ୍କ ପରିବାର ଭୟଭୀତ ହୋଇ ଘର ଛାଡ଼ି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ଏହାର କିଛି ସମୟ ପରେ ହାତୀପଲ ଘର ଭାଙ୍ଗି ଛପର ସମେତ ବିଭିନ୍ନ ଅଂଶ ନଷ୍ଟ କରିଥିଲେ। ସକାଳେ ପରିବାର ଲୋକେ ଘରକୁ ଫେରି ଦେଖିବାବେଳେ ଧାନ, ଚାଉଳ, ମାଣ୍ଡିଆ, ବିରି ଆଦି ଖାଦ୍ୟଶସ୍ୟ ନଷ୍ଟ ହୋଇଥିବା ସହ ଘରର ଆସବାବପତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।
ଘଟଣା ପରେ ହାତୀପଲ ଗାଁ ନିକଟସ୍ଥ ଜଙ୍ଗଲରେ ରହିଥିବାରୁ ବେନଗାଁ-ଲାଞ୍ଜିଗଡ଼ ରାସ୍ତାରେ ବିଶେଷକରି ରାତି ସମୟରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଖବର ପାଇ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବନବିଭାଗ କର୍ମଚାରୀମାନେ ମଧ୍ୟ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା, ଗ୍ରାମବାସୀଙ୍କୁ ସତର୍କ କରିବା ଏବଂ କ୍ଷତିଗ୍ରସ୍ତ ପରିବାରକୁ ଶୀଘ୍ର ନିୟମାନୁସାରେ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ହାତୀ-ମଣିଷ ସଂଘର୍ଷର ସ୍ଥାୟୀ ସମାଧାନ ପାଇଁ ବନବିଭାଗ ଓ ପ୍ରଶାସନ ଦୀର୍ଘମିଆଦୀ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।
