ଚୋରା ଖଣିଜ କାରବାର: ୬ ଅଭିଯୁକ୍ତ ଗିରଫ
ଚୋରା ଖଣିଜ କାରବାର ଉପରେ ବାମେବାରୀ ପୋଲିସର ଚଢ଼ାଉ। ୩ ହାଇୱା, ୨ ବୋଲେରୋ ଓ ସ୍କର୍ପିଓ ଜବତ, ୬ ଅଭିଯୁକ୍ତ ଗିରଫ।

କେନ୍ଦୁଝର: ଚୋରା ଖଣିଜ କାରବାର ଉପରେ ବାମେବାରୀ ପୋଲିସର ବଡ଼ଧରଣର ଚଢ଼ାଉ। ଚୋରା ଲୁହାପଥର ଚାଲାଣ ପୂର୍ବରୁ ପୋଲିସ ଚଢ଼ାଉ କରି ୩ଟି ଖଣିଜ ବୋଝେଇ ହାଇୱା, ୨ଟି ବୋଲେରୋ ଓ ଗୋଟିଏ ସ୍କର୍ପିଓ ଜବତ କରିଛି। ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ବାମେବାରୀ ଥାନା ଅନ୍ତର୍ଗତ ପିଢ଼ପୋଖରୀ ଗ୍ରାମର ମାଲାଙ୍ଗଟୋଲି ବନାଞ୍ଚଳରେ ଚୋରା ଖଣିଜ କାରବାର ଚାଲିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ବାମେବାରୀ ଥାନା ଆଇଆଇସି ପ୍ରଭାତ ସାହୁଙ୍କ ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୨ଟା ୩୦ ସମୟରେ ପୋଲିସ ଟିମ୍ ସଦଳବଳେ ଉକ୍ତ ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଦୁଇଟି ବୋଲେରୋ ଓ ଗୋଟିଏ ସ୍କର୍ପିଓରେ ଅଭିଯୁକ୍ତମାନେ ରହିଥିବା ବେଳେ ୩ଟି ହାଇୱାରେ ଚୋରା ଲୁହାପଥର ବୋଝେଇ କରାଯାଉଥିଲା। ପୋଲିସ ଘଟଣାସ୍ଥଳରୁ ସମସ୍ତ ଗାଡ଼ି ଜବତ କରିବା ସହ ୬ ଜଣଙ୍କୁ କାବୁ କରିଥିଲା। ଜବତ ହୋଇଥିବା ୩ଟି ହାଇୱାରେ ପ୍ରାୟ ୧୨୦ ମେଟ୍ରିକ୍ ଟନ୍ ଉନ୍ନତମାନର ଲୁହାପଥର ବୋଝେଇ ହୋଇଥିବା ଜଣାପଡ଼ିଛି। ଜବତ ଲୁହାପଥରର ଆନୁମାନିକ ବଜାର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାକୁ ନେଇ ବାମେବାରୀ ଥାନାରେ ମାମଲା ରୁଜୁ କରାଯାଇଛି। ଗିରଫ ୬ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଚୋରା ଖଣିଜ କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
