କାକଟପୁରରେ ସାପ କାମୁଡ଼ା ମୃତ୍ୟୁ ରୋକିବାକୁ ପ୍ରଶିକ୍ଷଣ କର୍ମଶାଳା
ICMR ଏବଂ NIHRର ମିଳିତ ଆନୁକୂଲ୍ୟରେ କାକଟପୁରରେ ସାପ କାମୁଡ଼ା ମୃତ୍ୟୁ ରୋକିବାକୁ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ, ସାପ କାମୁଡ଼ାଜନିତ ମୃତ୍ୟୁ ହ୍ରାସ ସହ ଗ୍ରାମାଞ୍ଚଳରେ ସାପ କାମୁଡ଼ା ସମ୍ପର୍କରେ ବ୍ୟାପକ ସଚେତନତା।
କାକଟପୁର: କାକଟପୁର ବ୍ଲକ ସମ୍ମିଳନୀ କକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଓ ଜାତୀୟ ସ୍ୱାସ୍ଥ୍ୟ ଏବଂ ଯତ୍ନ ଗବେଷଣା ପ୍ରତିଷ୍ଠାନ (NIHR)ର ମିଳିତ ଆନୁକୂଲ୍ୟରେ ସାପ କାମୁଡ଼ା ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଓ ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ସାପ କାମୁଡ଼ାଜନିତ ମୃତ୍ୟୁ ହ୍ରାସ କରିବା ସହ ଗ୍ରାମାଞ୍ଚଳରେ ସାପ କାମୁଡ଼ା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ବ୍ଲକ ବିଡିଓ ନାରାୟଣ ଦୀକ୍ଷିତ, ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଅତିରିକ୍ତ ବିଡିଓ ଜୟଶ୍ରୀ ମିଶ୍ର ଓ ଜିପିଡିଓ ରଞ୍ଜନ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ କର୍ମଶାଳାର ଶୁଭାରମ୍ଭ କରିଥିଲେ।
ସର୍ପାଘାତ ବା ସାପ କାମୁଡ଼ା ବର୍ତ୍ତମାନ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି।
ବିଶେଷକରି ଗ୍ରାମାଞ୍ଚଳ ଓ କୃଷିପ୍ରଧାନ ଅଞ୍ଚଳର ଲୋକେ ବର୍ଷା ଋତୁରେ ଅଧିକ ବିପଦରେ ରହିଥାନ୍ତି। ଚାଷୀ, କୃଷି ଶ୍ରମିକ ଏବଂ ରାତିରେ ବାହାରେ ଯାତାୟାତ କରୁଥିବା ଲୋକଙ୍କ ପ୍ରତି ସାପ କାମୁଡ଼ାର ଆଶଙ୍କା ଅଧିକ ଥାଏ। ଅପର୍ଯ୍ୟାପ୍ତ ଆଲୋକ, ଚଟାଣରେ ଶୋଇବା ଏବଂ ଖୋଲା ସ୍ଥାନରେ ଶୌଚ କରିବା ଭଳି କାରଣ ମଧ୍ୟ ସାପ କାମୁଡ଼ାର ସମ୍ଭାବନା ବଢ଼ାଇଥାଏ। କର୍ମଶାଳାରେ ପ୍ରଶିକ୍ଷକ ଭାବେ NIHRର ଡା. ରଶ୍ମି ରଞ୍ଜନ ନାୟକ ଯୋଗଦେଇ ସାପ କାମୁଡ଼ାରୁ ସୁରକ୍ଷା, ପ୍ରତିରୋଧ, ନିୟନ୍ତ୍ରଣ ଏବଂ ଜରୁରୀ ସମୟରେ ଗ୍ରହଣୀୟ ପଦକ୍ଷେପ ସମ୍ପର୍କରେ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ନିର୍ବାହୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଓ ଅଭିମୁଖୀକରଣ ପ୍ରଦାନ କରିଥିଲେ। ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ ମଧ୍ୟ ବିଭିନ୍ନ ସଚେତନତାମୂଳକ ବିଷୟ ବୁଝାଇ ଦିଆଯାଇଥିଲା। NIHR ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ କାନୁନଗୋ, ସତ୍ୟବ୍ରତ ବିଶ୍ୱାଳ, ସନତ ମିଶ୍ର, ନିକିତା ନନ୍ଦିନୀ ଓ ରୋଲି ସିହ୍ନା ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିଲେ।
