ଅନଲାଇନ ଟାକ୍ସି ଡ୍ରାଇଭରଙ୍କ ହିଂସାତ୍ମକ ଆନ୍ଦୋଳନ
ଲୋୟର ପିଏମଜିରେ ରଣକ୍ଷେତ୍ର: ଓଲା-ଉବର-ରାପିଡୋ ଡ୍ରାଇଭରଙ୍କ ଆନ୍ଦୋଳନ ହିଂସାତ୍ମକ। ସ୍ଥିତି ମୁକାବିଲା ଲାଗି ପୁଲିସ ଲାଠିଚାର୍ଜ କରିଥିଲା, ଆନ୍ଦୋଳନକାରୀ ପୁଲିସ ଉପରକୁ କାଚବୋତଲ ଓ ଢେଲା ମାଡ଼।

ଭୁବନେଶ୍ବର: ହିଂସ୍ର ହେଲା ଆନ୍ଦୋଳନ। ଲୋୟର ପିଏମଜିରେ ଓଲା, ଉବର ଓ ରାପିଡୋ ଡ୍ରାଇଭରଙ୍କ ଆନ୍ଦୋଳନରେ ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ତୃତୀୟ ଦିନରେ ଜାରି ଥିବା ଆନ୍ଦୋଳନ ଆଜି ଉଗ୍ର ହୋଇଗଲା। ୩୦ ଦଫା ଦାବି ନେଇ ମାଷ୍ଟରକ୍ୟାଣ୍ଟିନ ଛକରେ ଆନ୍ଦୋଳନ ବେଳେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ସ୍ଥିତି ମୁକାବିଲା ଲାଗି ପୁଲିସ ଲାଠିଚାର୍ଜ କରିଥିଲା। ଆନ୍ଦୋଳନକାରୀ ପୁଲିସ ଉପରକୁ କାଚବୋତଲ ଓ ଢେଲା ମାଡ଼ କରିଥିଲେ। ରେଲଓ୍ୱେ ଷ୍ଟେସନରୁ ଏୟାରପୋର୍ଟ ଛକ ଯାଏ ପୁରା ରାସ୍ତା ଜାମ୍ ହୋଇଯାଇଥିଲା। ଭିଡ଼କୁ ସମ୍ଭାଳିବାକୁ ନୟାନ୍ତ ହୋଇଯାଇଥିଲା ପୁଲିସ। ଆନ୍ଦୋଳନକାରୀ ପ୍ରାୟ ୧୪ ଆମ ବସ୍ କୁ ଭଙ୍ଗାରୁଜା କରିଛନ୍ତି। ଆନ୍ଦୋଳନ ନାଁରେ ଆମ ବସକୁ ପଥରମାଡ଼ ସହ ଭାଙ୍ଗି ଚୁରମାର କଲେ। ଅନେକ ବସକୁ ପଙ୍କଚର ବି କରିଦେଲେ। ଅନଲାଇନ ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନକୁ ନେଇ ଡିସିପି ଦେଇଛନ୍ତି ଚେତାବନୀ। ସେମାନଙ୍କ ଦାବିରେ ଯଥାର୍ଥତା ନାହିଁ। ଏଥିରେ ସରକାରଙ୍କର କିଛି କରିବାର ନାହିଁ। ସେମାନେ ଘରୋଇ କମ୍ପାନୀ ସହ ସଂପୃକ୍ତ। ଆନ୍ଦୋଳନ ଲାଗି ଦିନକ ପାଇଁ ଅନୁମତି ଥିଲା। ହେଲେ ସେମାନେ ଆଜି ଜାଣିଶୁଣି ସର୍ବସାଧାରଣଙ୍କୁ ଅସୁବିଧାରେ ପକାଇଲେ। ୫୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଗାଡି ସିଜ୍ ହେବ।
ଏଭଳି ହିଂସ୍ର ଆଚରଣକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ବି ତାଗିଦ୍ କରିଛନ୍ତି। ଆଉ ଚଳିବନି କ୍ୟାବ୍ ଡ୍ରାଇଭରଙ୍କ ମନମାନି। ପରିବହନ ବିଭାଗ ସହ ସମନ୍ୱୟ ରଖି ଆସିବ କଡ଼ା ନିୟମ। ଯାତ୍ରୀଙ୍କ ସୁବିଧା ପାଇଁ ଓଡ଼ିଶା ଯାତ୍ରୀ ଆପ୍ କୁ ବ୍ୟାପକ କରାଯିବ। ଅନ୍ଯପଟେ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କ ଆନ୍ଦୋଳନ ପଛରେ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ରହିଥିବା ଅଭିଯୋଗ କରିଛନ୍ତି ପରିବହନ ମନ୍ତ୍ରୀ। ଡ୍ରାଇଭରମାନେ ପୂର୍ବରୁ ଯାତ୍ରୀଭଡ଼ା ସମେତ ବିଭିନ୍ନ ଦାବି ନେଇ ତାଙ୍କ ସହ ଆଲୋଚନା କରିଥିବା ସେ କହିଛନ୍ତି। ସେମାନଙ୍କ ସମସ୍ୟା ସମାଧାନ ପାଇଁ ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ କେହି ଡ୍ରାଇଭରମାନଙ୍କୁ ଉସୁକାଇବାରୁ ସେମାନେ ହିଂସାତ୍ମକ ଆନ୍ଦୋଳନ କରିଥିବା ମନ୍ତ୍ରୀ କହିଛନ୍ତି। ସରକାରୀ ଗାଡ଼ି ଭଙ୍ଗାରୁଜା କରିବା ଆଇନ ବିରୋଧୀ ବୋଲି କହିବା ସହ ଏହି ଘଟଣାରେ କିଛି ଭଙ୍ଗାରୁଜାକାରୀଙ୍କୁ ପୁଲିସ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି। ଆଇନ ଅନୁଯାୟୀ ଗିରଫ ବ୍ୟକ୍ତିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।
ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଆନ୍ଦୋଳନ ନାଁରେ ଅରାଜକତା। ଆନ୍ଦୋଳନକୁ ଦେଖୁ କ୍ରୁଟ ବି ମାଷ୍ଟରକ୍ୟାଣ୍ଟିନ ଦେଇ ଯାଉଥିବା ଆମ ବସର ରୁଟ୍ ପରିବର୍ତ୍ତନ କରିଥିଲା। ତା ସତ୍ତ୍ୱେ ଉଗ୍ର ଆନ୍ଦୋଳନରୁ ଲହୁଲୁହାଣ ହେଲା ପୁଲିସ। ଆମ ବସ୍ କ୍ଷତିଗ୍ରସ୍ତ ହେଲା। ସାଧାରଣ ଲୋକେ ବି ବାଦ୍ ପଡ଼ିଲେନି।
