ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣା: ୧୧୩ ଗିରଫ, ୩୫୪ ଗାଡ଼ି ଜବତ
ଅନଲାଇନ୍ ଗାଡି ଚାଳକ ସଙ୍ଘ ଓ ପୁଲିସ ମୁହାଁମୁହିଁ ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା । ରାତି ୧ଟା ୩୦ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଘଟଣାସ୍ଥଳରୁ ୩୫୪ଟି ଗାଡ଼ି ଜବତ।
ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ୍ ଓଲା, ଉବର ଓ ରାପିଡୋ ଡ୍ରାଇଭରଙ୍କ ଆନ୍ଦୋଳନ ସମୟରେ ଘଟିଥିବା ହିଂସା ଘଟଣାକୁ ନେଇ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ। ଗାଡି ଚାଳକ ସଙ୍ଘ ଓ ପୁଲିସ ମୁହାଁମୁହିଁ ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା । ହିଂସା ବେଳେ ଆମ ବସ, ପୋଲିସ ଭ୍ୟାନ ସହ ୧୫ ଗାଡ଼ି ଚୁରମାର ହୋଇଥିଲା । ଏହି ଘଟଣାରେ ରାତି ୧ଟା ୩୦ ସୁଦ୍ଧା ପୋଲିସ ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି । ଅନ୍ୟପଟେ, ଘଟଣାସ୍ଥଳରୁ ୩୫୪ଟି ଗାଡ଼ି ଜବତ କରିଛି ପୋଲିସ। ଏନେଇ ଖାରବେଳନଗର ଥାନାରେ ମୋଟ ୭ଟି ଏଫଆଇଆର୍ ରୁଜୁ ହୋଇଛି। ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ଏଫଆଇଆର୍ ରୁଜୁ ହୋଇଛି। ମାଷ୍ଟରକ୍ୟାଣ୍ଟିନରେ ଓଲା, ଉବର ଓ ରାପିଡୋ ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ପୋଲିସ ଉପରେ ଆକ୍ରମଣ ଅଭିଯୋଗ ପରେ କମିଶନରେଟ୍ ପୋଲିସ ବଡ ଆକ୍ସନ୍। ଆଇନକୁ ହାତକୁ ନେଇ ହିଂସା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
