Weed Smuggling:ବାଇକ ଦୁର୍ଘଟଣା ଧରାଇଦେଲା ଗଞ୍ଜେଇ ଚାଲାଣ
ପୋଲିସକୁ ଦେଖି ଦ୍ରୁତଗତିରେ ଖସିଯିବାକୁ ଉଦ୍ୟମ କରୁଥିଲେ। ହେଲେ ଅନ୍ୟ ଏକ ବାଇକ୍ ସହ ଧକ୍କା ହେବାରୁ ରାସ୍ତାରେ ବିଛାଡ଼ି ହୋଇପଡ଼ିଲା ଗଞ୍ଜେଇ। ନବରଙ୍ଗପୁରରେ ଦୁର୍ଘଟଣାରୁ ଖୋଲିଲା ଚାଲାଣର ଗୁମର।
ନବରଙ୍ଗପୁର:ଦୁର୍ଘଟଣା ଧରାଇଦେଲା ଗଞ୍ଜେଇ ଚାଲାଣ। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ରାସ୍ତା ଉପରେ ବିଛାଡ଼ି ହୋଇପଡ଼ିଲା ଗଞ୍ଜେଇ। ଏହାପରେ ସାମ୍ନାକୁ ଆସିଲା ଚୋରା ଚାଲାଣର ପୂରା ଘଟଣା। ନବରଙ୍ଗପୁର ସହରର FCI ଗୋଦାମ ନିକଟ ଜାତୀୟ ରାଜପଥ-୨୬ରେ ଘଟିଛି ଏଭଳି ଘଟଣା। ଏହି ମାମଲାରେ ଦୁଇ ଜଣଙ୍କୁ ପୋଲିସ ଧରିଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଅଭିଯୁକ୍ତମାନେ ମାଲକାନଗିରିରୁ ଗଞ୍ଜେଇ ଧରି କଳାହାଣ୍ଡି ଯାଉଥିଲେ। ନବରଙ୍ଗପୁର ସହରରେ ପୋଲିସ ଗାଡ଼ିକୁ ଦେଖି ସେମାନେ ଦ୍ରୁତଗତିରେ ଖସିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ FCI ଗୋଦାମ ନିକଟରେ ଅନ୍ୟ ଏକ ବାଇକ୍ ସହ ସେମାନଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗୋଟିଏ ବାଇକ୍ର ଡିକିରୁ ଗଞ୍ଜେଇ ବାହାରି ରାସ୍ତା ଉପରେ ବିଛାଡ଼ି ହୋଇପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଦୁଇଜଣ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୁଣ୍ଠିଗୁଡ଼ା ଗ୍ରାମର ଲୋକନାଥ ନାୟକ ଓରଫ ଅରୁଣ ନାୟକ ଏବଂ ତାଙ୍କ ସମ୍ପର୍କୀୟ ଜ୍ୱାଇଁ ହେମନ୍ତ ନାୟକ ବୋଲି ଜଣାପଡ଼ିଛି। ଫେରାର ହେବାକୁ ଉଦ୍ୟମ କରିଥିବା ହେମନ୍ତଙ୍କୁ ମାଝୀଗୁଡ଼ା ନିକଟରୁ କାବୁ କରିଥିଲା ପୋଲିସ। ଅନ୍ୟପଟେ ଆହତ ଲୋକନାଥ ନାୟକ ଚିକିତ୍ସାଧୀନ ଥିବାବେଳେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ତଦନ୍ତ ଚଳାଇଛି। ସେହିପରି ଦୁର୍ଘଟଣାରେ ଅନ୍ୟ ବାଇକ୍ରେ ଥିବା ନବରଙ୍ଗପୁର ଥାନା ଅନ୍ତର୍ଗତ ତାରାଗାଁର ଉଗ୍ରସେନ ହରିଜନ ଓ ଧାରଣାବେଡ଼ା ଗ୍ରାମର ଗୁପ୍ତ ହରିଜନ ଆହତ ହୋଇଛନ୍ତି। ଉଭୟ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
