ଟିଟିଲାଗଡ଼ରେ ମାଲବାହୀ ଟ୍ରେନରେ ଲାଗିଲା ନିଆଁ
ସମ୍ବଲପୁର-ରାୟଗଡା ମାଲବାହୀ ଟ୍ରେନରେ ନିଆଁ। ସିକେର ରେଳ ଷ୍ଟେସନ ଅତିକ୍ରମ ପରେ ବଗିରେ ଲାଗିଥିଲା ନିଆଁ, ଟିଟିଲାଗଡ଼ରେ ନିଆଁ ଲିଭାଇବା ଉଦ୍ୟମ ।
ଟିଟିଲାଗଡ଼: ସମ୍ବଲପୁର ରେଳ ଷ୍ଟେସନରୁ ରାୟଗଡା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଟ୍ରେନଟି ସିକେର ରେଳ ଷ୍ଟେସନ ଅତିକ୍ରମ କରିବା ପରେ ଏକ ବଗିରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଟିଟିଲାଗଡ଼ ରେଳ ଷ୍ଟେସନ ମ୍ୟାନେଜରଙ୍କୁ ଖବର ଦିଆଯାଇଥିଲା। ଏହାପରେ ଟିଟିଲାଗଡ଼ ଷ୍ଟେସନ ମ୍ୟାନେଜର ସ୍ଥାନୀୟ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସକାଳ ପ୍ରାୟ ୫ଟା ୪୫ ମିନିଟରେ ଘଟଣା ଘଟିଥିବା ବେଳେ ଟ୍ରେନଟି ସକାଳ ୭ଟା ୧୫ ମିନିଟରେ ଟିଟିଲାଗଡ଼ ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। ଟ୍ରେନ ପହଞ୍ଚିବା ପରେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ କୋଇଲା ବୋଝେଇ ବଗିରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସୂଚନାଅନୁଯାୟୀ, ଗତ କିଛି ମାସ ପୂର୍ବରୁ ମଧ୍ୟ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ୫ରୁ ୬ଟି ବଗିରେ ନିଆଁ ଲାଗିଥିବା ଘଟଣା ଘଟିଥିଲା। ବର୍ତ୍ତମାନର ଘଟଣା ପରେ ରେଳବାଇ ପକ୍ଷରୁ ଏହାର କାରଣ ଖୋଜିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ତଦନ୍ତ ଜାରି ରହିଛି।
