କାମ ନସାରିଲେ କାହାରିକୁ ଛାଡ଼ିବିନି- ବ୍ୟାଙ୍କ ମ୍ୟାନେଜର
ମ୍ୟାନେଜର ସେମାନଙ୍କୁ ବେଆଇନ ଭାବେ ବ୍ୟାଙ୍କ ଭିତରେ ଅଟକାଇ ରଖିଥିଲେ। ନିର୍ଦ୍ଧାରିତ କାର୍ଯ୍ୟ ସମୟ ପରେ ମଧ୍ୟ ବାଧ୍ୟ କରି କାମ କରାଯାଉଥିଲା।ଏପରି ବ୍ୟବହାର ଫଳରେ କାର୍ଯ୍ୟସ୍ଥଳରେ ଭୟ ଓ ଚାପର ପରିବେଶ ସୃଷ୍ଟି ହେଉଥିଲା।

କାମ ସାରିଲେ ଯାଇ ଘରକୁ ଯିବ। ନଚେତ କାହାକୁ ଛାଡ଼ିବିନି। ଏଭଳି ଧମକ ଦେଇ ବ୍ୟାଙ୍କ୍ ଗେଟରେ ତାଲା ଠୁଙ୍କିଦେଲେ ବ୍ୟାଙ୍କ ମ୍ୟାନେଜର। କର୍ଣ୍ଣାଟକ ଗ୍ରାମୀଣ ବ୍ୟାଙ୍କର ଅରକଲଗୁଦ ଶାଖାରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଭଳି ଆଚରଣକୁ ନେଇ କର୍ମଚାରୀ ସଂଘ ମ୍ୟାନେଜରଙ୍କ ବିରୁଦ୍ଧରେ ବର୍ଷିଛନ୍ତି। କର୍ମକ୍ଷେତ୍ରରେ କେମିତି ଚାପ ପକାଯାଉଛି ଓ ଚାକିରୀ ନେଇଯିବାର ଧମକ ଦିଆଯାଉଛି, ତାହାର ଅବତାରଣା କରିଛନ୍ତି। ସାର୍ବଜନୀନ ଭାବେ ସେମାନଙ୍କୁ ଲଜ୍ଜିତ କରିବା ସହ ଗେଟରେ ତାଲା ପକାଇ ଏଭଳି ଆଚରଣ ସେମାନଙ୍କୁ ଅତିଷ୍ଠ କରିଛି ବୋଲି ଆରୋପ ଲଦିଛନ୍ତି। କର୍ଣ୍ଣାଟକରେ ଏହି ବ୍ୟାଙ୍କ ମ୍ୟାନେଜରଙ୍କ ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହୋଇଛି। ହାସନ ଜିଲ୍ଲାର ଆରକଲଗୁଡ଼ ଶାଖାରେ ଅବସ୍ଥିତ କର୍ଣ୍ଣାଟକ ଗ୍ରାମୀଣ ବ୍ୟାଙ୍କରେ ମ୍ୟାନେଜର ଅଫିସ୍ ସମୟ ଶେଷ ହେବା ପରେ ମଧ୍ୟ କର୍ମଚାରୀଙ୍କୁ ବାହାରକୁ ଯିବାକୁ ନ ଦେଇ ବ୍ୟାଙ୍କର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଭାଇରାଲ୍ ଭିଡିଓରେ ମ୍ୟାନେଜରଙ୍କୁ "ଓଭରଟାଇମ୍ କରିବା ବାଧ୍ୟତାମୂଳକ" ବୋଲି କହୁଥିବା ଶୁଣିବାକୁ ମିଳିଛି। ସେ କର୍ମଚାରୀମାନଙ୍କୁ ଅଫିସ୍ ସମୟ ସମାପ୍ତ ହୋଇଥିଲେ ମଧ୍ୟ କାମ ଜାରି ରଖିବାକୁ କହୁଥିବା ଦାବି କରାଯାଇଛି। ସୂଚନା ଅନୁଯାୟୀ, ବ୍ୟାଙ୍କର ଜଣେ କଷ୍ଟମର ସର୍ଭିସ୍ ଆସୋସିଏଟ୍ (CSA) ବାଧ୍ୟତାମୂଳକ ଓଭରଟାଇମ୍କୁ ବିରୋଧ କରିଥିଲେ। ସେ ଏହି ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ସେୟାର୍ କରିବା ପରେ ଏହା ଭାଇରାଲ୍ ହୋଇଯାଇଥିଲା। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ମ୍ୟାନେଜର ସେମାନଙ୍କୁ ବେଆଇନ ଭାବେ ବ୍ୟାଙ୍କ ଭିତରେ ଅଟକାଇ ରଖିଥିଲେ। ନିର୍ଦ୍ଧାରିତ କାର୍ଯ୍ୟ ସମୟ ପରେ ମଧ୍ୟ ବାଧ୍ୟ କରି କାମ କରାଯାଉଥିଲା।ଏପରି ବ୍ୟବହାର ଫଳରେ କାର୍ଯ୍ୟସ୍ଥଳରେ ଭୟ ଓ ଚାପର ପରିବେଶ ସୃଷ୍ଟି ହେଉଥିଲା। ଏହି ଘଟଣାକୁ ନେଇ କର୍ମଚାରୀମାନେ ସମ୍ପୂର୍ଣ୍ଣ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏପର୍ଯ୍ୟନ୍ତ କର୍ଣ୍ଣାଟକ ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ବିସ୍ତୃତ ସରକାରୀ ବିବୃତ୍ତି କିମ୍ୱା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦିଆଯାଇନାହିଁ। ଏହି ଘଟଣା ପରେ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟ ପରିବେଶ ଓ ଅଧିକାରକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।
