Delhi Factory Tragedy : ଦିଲ୍ଲୀରେ ଜୋତା କାରଖାନାରେ ଭୟାବହ ନିଆଁ
ଦିଲ୍ଲୀରେ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ! ନିଆଁରେ ଜଳିଗଲା ୪ ଶ୍ରମିକଙ୍କ ଜୀବନ, ୨ ଗୁରୁତର ଆହତ। ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ !

ଦିଲ୍ଲୀରେ ଜୋତା ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ। ଏହି ଘଟଣାରେ ୪ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକ ଆହତ ହୋଇଛନ୍ତି। ବାହାର ଦିଲ୍ଲୀର ମଙ୍ଗୋଲପୁରୀ ଇଣ୍ଡଷ୍ଟ୍ରିଆଲ୍ ଏରିଆ ଫେଜ୍-୧ରେ ଥିବା ଏକ ଜୋତା ତିଆରି କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି | ଆହତ ବିକାଶ ମଧ୍ୟ ନାଳନ୍ଦା ଜିଲ୍ଲାର ବାସିନ୍ଦା | ଅନ୍ୟ ଆହତ ହରେନ୍ଦ୍ରଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି | ସେହିପରି ବିକାଶଙ୍କୁ ICUରେ ରଖାଯାଇଛି।
ମୃତକଙ୍କ ପରିଚୟ
ମୃତକଙ୍କ ପରିଚୟ ପ୍ରେମଚନ୍ଦ,ହରିହର ,ଅଶୋକ ଓ ଲାଲବାବୁଙ୍କ ରୂପରେ ହୋଇଛି | କୁହାଯାଉଛି ଯେ ଫାକ୍ଟ୍ରିରେ କାମ କରୁଥିବା ଶ୍ରମିକ ବାହାରରଜ୍ୟରୁ ଆସି ଦିଲ୍ଲୀରେ ରହୁଥିଲେ | ଏଥିରେ କିଛି ଲୋକ ଆଖପାଖରେ ଘର କିଣି ରହୁଥିଲେ |
ଅଗ୍ନିକାଣ୍ଡ ସୂଚନାରେ ପହଁଚିଲା ଟିମ
ପୋଲିସ ମୃତକମାନଙ୍କର ସମ୍ପୂର୍ଣ୍ଣ ପରିଚୟ ଏବଂ ସେମାନଙ୍କ ମୂଳ ବାସସ୍ଥାନ ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରୁଛି | ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ବି-୨୯୩/୨୯୪, ମଙ୍ଗୋଲପୁରୀ ଶିଳ୍ପାଞ୍ଚଳ ଫେଜ୍-୧ରେ ଥିବା ଏକ କାରଖାନାରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା |
ବେଶମେଣ୍ଟରେ ଲାଗିଥିଲା ନିଆଁ
ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀର ପ୍ରାୟ ୨୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ନିଆଁ ଲିଭାଇବା ଅଭିଯାନ ଆରମ୍ଭ କରିଥିଲେ | କାରଖାନାର କୋଠାଟି ବେସମେଣ୍ଟ, ଭୂତଳ ଏବଂ ତିନିଟି ଉପର ମହଲାକୁ ନେଇ ନିର୍ମିତ ହୋଇଥିଲା। ଚତୁର୍ଥ ମହଲାରେ ମଧ୍ୟ ଆଂଶିକ ନିର୍ମାଣ କାର୍ଯ୍ୟ ହୋଇଥିଲା | ବେସମେଣ୍ଟରେ ହିଁ ନିଆଁ ଲାଗିଥିଲା | ଅଗ୍ନିଶମ କର୍ମଚାରୀମାନେ ତୃତୀୟ ଓ ଚତୁର୍ଥ ମହଲାରୁ ୬ ଜଣଙ୍କୁ ଉଦ୍ଧାର କରିଥିଲେ | ସମସ୍ତଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ | ନିଆଁ ଲିଭାଇବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ କୁଲିଂ ପ୍ରକ୍ରିୟା ଜାରି ରଖିଥିଲେ। ପୋଲିସ ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି | ଫାକ୍ଟ୍ରିର ମାଲିକ ମୁକେଶ ବଂଶଲ ଓ ରୋହିତ ଗୋୟଲଙ୍କୁ ପଚରାଉଚରା କରାଯାଉଛି | ପ୍ରାରମ୍ଭିକ ତଦନ୍ତରେ ସର୍ଟ-ସର୍କିଟରୁ ନିଆଁ ଲାଗି ଥିବାର ଆଶଙ୍କା ରହିଛି | ବାସ୍ତବରେ, ନିଆଁ ଲାଗିବ ବାସ୍ତବ କାରଣ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଏହା ଜଣାପଡ଼ିବ |
