PNB Scam:ବିନା OTP ରେ ପିଏନବି ବ୍ୟାଙ୍କରୁ ୩୫ କୋଟି ଗାଏବ
ପିଏନବି ବ୍ୟାଙ୍କ ସହ ଜଡିତ ଆଉ ଏକ ଧୋକାଧାଡି ମାମଲା ସାମ୍ନାକୁ ଆସିଛି | ଗ୍ରେଟର ନୋଏଡାରେ ପିଏନବିର ଏକ ଶାଖାର ସଞ୍ଚୟ ଖାତା ଓ ଫିକ୍ସଡ୍ ଡିପୋଜିଟ୍ରୁ ପ୍ରାୟ 35 କୋଟି ତାଙ୍କ ଗାୟବ ହେବାର ଅଭିଯୋଗ ଆସିଛି | ଆଶ୍ଚର୍ଯ୍ୟର କଥା ହେଉଛି ଟଙ୍କା ଗାୟବ ହେବ ପୂର୍ବରୁ ଖାତାଧାରୀଙ୍କୁ ନା ମିଳିଥିଲା ଟ୍ରାଞ୍ଜାକ୍ସନ୍ ଆଲର୍ଟ, ନା ସେମାନେ ଦେଇଥିଲେ କୌଣସି ଦସ୍ତଖତ।
ଉତ୍ତରପ୍ରଦେଶ:ବ୍ୟାଙ୍କ ଆକାଉଣ୍ଟରେ ନା ଅଛି ଟଙ୍କା, ନା ମିଳିଛି କୌଣସି ଟ୍ରାଞ୍ଜାକ୍ସନ୍ ଆଲର୍ଟ। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ଏକ ଶାଖାରୁ ପ୍ରାୟ ୩୫ କୋଟି ଟଙ୍କା ଗାଏବ ହୋଇଥିବା ଅଭିଯୋଗ ଆସିଛି। ଐଚ୍ଛର ଅଞ୍ଚଳର ସେକ୍ଟର ପାଇ-୧ରେ ଥିବା ଏହି ବ୍ୟାଙ୍କ ଶାଖାରେ ଗ୍ରାହକଙ୍କ ସଞ୍ଚୟ ଖାତା ଓ ଫିକ୍ସଡ୍ ଡିପୋଜିଟ୍ରୁ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।ଏହି ପୁରା ଘୋଟାଲାର ସବୁଠୁ ଚିନ୍ତାଜନକ କଥା ହେଉଛି, ପୀଡିତ ଗ୍ରାହକଙ୍କୁ ଟଙ୍କା ଉଠାଣ କିମ୍ବା ଟ୍ରାନ୍ସଫର ପାଇଁ ନା କୌଣସି ଟ୍ରାଞ୍ଜାକ୍ସନ୍ ଆଲର୍ଟ ମିଳିଥିଲା ନା ସେମାନେ କୌଣସି ଦସ୍ତାବିଜ୍ରେ ଦସ୍ତଖତ କରିଥିଲେ। ଏପରିକି ଟଙ୍କା କାରବାର ସମ୍ପର୍କରେ କୌଣସି ମେସେଜ୍ ମଧ୍ୟ ପାଇନଥିଲେ। ଅନେକ ଗ୍ରାହକଙ୍କ କହିବା ଅନୁଯାୟୀ, ଆକାଉଣ୍ଟର ବାଲାନ୍ସ ଯାଞ୍ଚ କରିବା କିମ୍ବା ଟଙ୍କା ଉଠାଇବାକୁ ଯିବା ସମୟରେ ସେମାନେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।ଅନ୍ୟପଟେ, ଜମି ଅଧିଗ୍ରହଣ ବାବଦକୁ ମିଳିଥିବା କ୍ଷତିପୂରଣ ଟଙ୍କା ମଧ୍ୟ ଏହି ଘଟଣାରେ ପ୍ରଭାବିତ ହୋଇଛି। ଏହି ମାମଲାରେ ଯେଉଁ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଆକାଉଣ୍ଟରେ ଜମି ଅଧିଗ୍ରହଣ ବଦଳରେ ପ୍ରଶାସନ ପକ୍ଷରୁ ମିଳିଥିବା କ୍ଷତିପୂରଣ ଟଙ୍କା ଥିଲା। ପେସାରେ ଜଣେ କୃଷକ ବିଜେନ୍ଦ୍ର ସିଂହ କହିଛନ୍ତି ଯେ, ତାଙ୍କ ସଞ୍ଚୟ ଖାତାରେ ପୂର୍ବରୁ ପ୍ରାୟ ୮୭ରୁ ୮୮ ଲକ୍ଷ ଟଙ୍କା ଥିଲା। କିନ୍ତୁ ଏବେ ଆକାଉଣ୍ଟରେ ମାତ୍ର ୧ ଲକ୍ଷ ଟଙ୍କା ବାକି ଅଛି। ଏହି ଟଙ୍କା ପ୍ରଶାସନ ପକ୍ଷରୁ ତାଙ୍କୁ କ୍ଷତିପୂରଣ ବାବଦରେ ମିଳିଥିଲା। ସେହିପରି ବିରୋଣ୍ଡା ଗାଁର ଜଣେ ମହିଳା କହିଛନ୍ତି ଯେ, ସେ ଚା’ ଓ ସମୋସା ବିକ୍ରି କରନ୍ତି। ଜେୱର ବିମାନବନ୍ଦର ପାଇଁ ତାଙ୍କ ଜମି ଅଧିଗ୍ରହଣ କରାଯାଇଥିଲା। ଏହା ବଦଳରେ ତାଙ୍କୁ ୧.୨୯ କୋଟି ଟଙ୍କା କ୍ଷତିପୂରଣ ମିଳିଥିଲା। ତାଙ୍କ ଆକାଉଣ୍ଟରୁ ମଧ୍ୟ ୧.୧୮ କୋଟି ଟଙ୍କା ଗାଏବ ହୋଇଯାଇଛି। ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ଅନେକ ବ୍ୟାଙ୍କ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଏହି ସମୟରେ ବ୍ୟାଙ୍କ ପୀଡ଼ିତ ଗ୍ରାହକମାନଙ୍କୁ ଆଶ୍ୱାସନା ଦେଇଛି ଯେ, ଆଭ୍ୟନ୍ତରୀଣ ତଦନ୍ତ ଶେଷ ହେବା ପରେ, ଅର୍ଥାତ୍ ପ୍ରାୟ ୭ରୁ ୧୫ ଦିନ ମଧ୍ୟରେ, ସେମାନଙ୍କ ହରାଇଥିବା ଟଙ୍କା ପୁଣି ଆକାଉଣ୍ଟରେ ଜମା କରାଯିବ। ତେବେ ଏତେ ବଡ଼ ଧରଣର ଆର୍ଥିକ ଅନିୟମିତତା କିପରି ହେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
