Keonjhar news : ସାଇଲେଣ୍ଟ କିଲର୍ ଜେନେରେଟର
ଖୁସି ମଧ୍ୟରେ ଖେଳିଗଲା ଶୋକର ଛାୟା! କେନ୍ଦୁଝରରେ ବନ୍ଦ କୋଠରୀରେ ଜେନେରେଟରର ବିଷାକ୍ତ ଧୂଆଁ ନେଲା ୨ ଯୁବକଙ୍କ ଜୀବନ, ୩ ଗୁରୁତର।

କେନ୍ଦୁଝର: ଲକ୍ଷ୍ମୀପୂଜା ଆନନ୍ଦ ଉତ୍ସବ ମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ଆସିଛି ଏକ ମର୍ମନ୍ତୁଦ ଘଟଣା। ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନା ସୁଡୁଙ୍ଗା ଗାଁରେ ରାତିରେ ଚାଲିଥିବା ଜେନେରେଟରର ବିଷାକ୍ତ ଧୂଆଁ (କାର୍ବନ ମୋନୋକ୍ସାଇଡ୍) ଶ୍ୱାସରୋଧ କରିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଶୋଇଥିବା ଅବସ୍ଥାରେ ଘଟଣା
ସୂଚନା ଅନୁଯାୟୀ, ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ପାଞ୍ଚ ଜଣ ଯୁବକ ଗୋଟିଏ କୋଠରୀ ଭିତରେ ଶୋଇଥିଲେ ଏବଂ ଭିତରେ ଜେନେରେଟର ଚାଲୁଥିଲା। ବନ୍ଦ କୋଠରୀ ଭିତରେ ଜେନେରେଟରରୁ ବାହାରିଥିବା ବିଷାକ୍ତ ଧୂଆଁ ଭରିଯିବାରୁ ସେମାନେ ସମସ୍ତେ ଅଚେତ ହୋଇଯାଇଥିଲେ।
ଆଜି ସକାଳେ କୋଠରୀର କବାଟ ନ ଖୋଲିବାରୁ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ପରେ କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରାଯାଇ ବାଂଶପାଳ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ମୃତାହତଙ୍କ ପରିଚୟ
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକ ହେଲେ ସୁଡୁଙ୍ଗା ଗାଁର ରାଜେନ୍ଦ୍ର ସାନ୍ତା ଏବଂ ନିତୁ ସାନ୍ତା।
ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ଥିବା ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ ଏବଂ ନିରଦାଶ ଦେହୁରୀଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
