ସମୁଦ୍ରରେ ମୃତ୍ୟୁର ତାଣ୍ଡବ । ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
ଜଳେଶ୍ୱର- ସମୁଦ୍ରକୁ ମାଛ ମାରି ଯାଇଥିବା ୯ ମତ୍ସ୍ୟଜୀବିଙ୍କ ମୃତ ଦେହ ଉଦ୍ଧାର। କାଳଦ୍ୱୀପ ନିକଟରୁ ଉଦ୍ଧାର ହେଲା ୯ ମତ୍ସ୍ୟଜୀବିଙ୍କ ମୃତଦେହ। ଏବେ ବି ୬ ନିଖୋଜ।

ଜଳେଶ୍ୱର: ବଙ୍ଗୋପସାଗରର ନୀଳ ଲହରୀ ଆଜି ରକ୍ତମୁଖା ସାଜିଛି। ଯେଉଁ ସମୁଦ୍ର ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାର ପ୍ରତିପୋଷଣର ମାଧ୍ୟମ ସାଜିଥାଏ, ସେହି ସମୁଦ୍ର ଆଜି କେତେ ଯେ ମା'ର କୋଳ ଶୂନ୍ୟ କରିଦେଇଛି, ଆଉ କେତେ ଯେ ସ୍ତ୍ରୀଙ୍କ ସିନ୍ଦୂର ଲିଭାଇ ଦେଇଛି, ଯାହାର କରୁଣ ଚିତ୍ର ସାମ୍ନାକୁ ଆସିଛି। ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିବା ମା କାଳୀ' ମାଛଧରା ଟ୍ରଲରର ସନ୍ଧାନ ତ ମିଳିଛି, କିନ୍ତୁ ଏହା ସାଙ୍ଗରେ ଆଣିଛି ମୃତ୍ୟୁର ଏକ ଭୟଙ୍କର ଖବର। ସମୁଦ୍ର ଗର୍ଭରୁ ଉଦ୍ଧାର ହୋଇଛି ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ। ଆଉ ଏବେ ବି ସମୁଦ୍ରର ଭିତରେ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ବାକି ୬ ଜଣ ନିଖୋଜ ମତ୍ସ୍ୟଜୀବୀ।

ସୂଚନା ଅନୁଯାୟୀ, ଚଳିତ ମାସ ୨ ତାରିଖରେ, ଦୀଘା ପୂର୍ବ ମେଦିନୀପୁରର ଶଙ୍କରପୁର ବେଳାଭୂମିରୁ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ଧରି ସମୁଦ୍ରକୁ ଯାତ୍ରା କରିଥିଲା 'FB ମା କାଳୀ' ଟ୍ରଲର। କିନ୍ତୁ ପ୍ରକୃତିର କୋପ ଏବଂ ସମୁଦ୍ରର ଅଶାନ୍ତ ରୂପ ଆଗରେ ସେମାନଙ୍କ ଜୀବନ ହାରିଗଲା। ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଏହି ଟ୍ରଲରଟି।
ଗତକାଲି ଅପରାହ୍ନରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାର ଗୋବର୍ଦ୍ଧନପୁର ଥାନା ପୋଲିସ, ବନ ବିଭାଗ ଏବଂ ଭାରତୀୟ ତଟରକ୍ଷୀ ବାହିନୀ(Coast Guard)ର ମିଳିତ ଉଦ୍ୟମରେ ରକ୍ତାଚର ନିକଟରେ ବୁଡ଼ିଯାଇଥିବା ଏହି ଟ୍ରଲରକୁ ଚିହ୍ନଟ କରାଯାଇଥିଲା। ଏହାପରେ ଟ୍ରଲରକୁ କୂଳକୁ ଅଣାଯାଇଥିଲା। ବିପଜ୍ଜନକ ସ୍ଥିତିରେ ଉଦ୍ଧାରକାରୀ ଦଳ ରାତିସାରା ସମୁଦ୍ରରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ, ଯାହା ପରେ ଜଣକ ପରେ ଜଣେ ପ୍ରାଣହୀନ ମତ୍ସ୍ୟଜୀବୀଙ୍କ ଶରୀର ବାହାରକୁ ଆସିଥିଲା।
କାନ୍ଦବୋବାଳିରେ ଫାଟି ପଡୁଛି ହସ୍ପିଟାଲ ପରିସର, ଉଦ୍ଧାର ହୋଇଥିବା ସମସ୍ତ ୯ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାକଦ୍ୱୀପ ସବଡିଭିଜନ ହସ୍ପିଟାଲକୁ ପଠାଯାଇଛି। ଆଉ ସେଠାରେ ନିଜ ପ୍ରିୟଜନଙ୍କ ଚେହେରା ଦେଖି ପରିବାର ଲୋକଙ୍କ କାନ୍ଦବୋବାଳିରେ ପୂରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି।
ଅନ୍ୟପଟେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଟ୍ରଲରରେ ଥିବା ବାକି ୬ ଜଣ ମତ୍ସ୍ୟଜୀବୀ ଏବେ କେଉଁ ସ୍ଥିତିରେ ଅଛନ୍ତି? ସେମାନେ ସମୁଦ୍ର ସ୍ରୋତରେ କୁଆଡ଼େ ଭାସିଯାଇଛନ୍ତି ନା କେଉଁଠି ଅଟକିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜୀବନ୍ତ ଉଦ୍ଧାର କରିବା ପାଇଁ ଏବେ ବି ସମୁଦ୍ରରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।
