ନୋଏଡ଼ାରେ ୫ ମହଲା ବିଲଡିଂରେ ଅଗ୍ନିକାଣ୍ଡ। ୨ ମୃତ
ନୋଏଡ଼ାରେ ୫ ମହଲା ବିଲଡିଂରେ ଅଗ୍ନିକାଣ୍ଡ। ୨ ଜଣଙ୍କ ମୃତ୍ୟୁ। ୫୦ ପରିବାରକୁ ସିଡି ଲଗାଇ କରାଗଲା ରେସକ୍ୟୁ। ସ୍କୁଟି ଚାର୍ଜିଂ ବେଳେ ବିସ୍ଫୋରଣରୁ ଲାଗିଲା ନିଆଁ। ଅଗ୍ନିକାଣ୍ଡରେ ୩୦ରୁ ୪୦ ବାଇକ୍ ଜଳି ପାଉଁଶ । ସେକ୍ଟର-୬୬ର ମମୁରା ଏରିଆରେ ଲାଗିଥିଲା ନିଆଁ।

ଉତ୍ତର ପ୍ରଦେଶର ନୋଏଡା ମମୁରା ଗାଁରେ ୫ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୫୦ ପରିବାରକୁ କରାଯାଇଛି ସୁରକ୍ଷିତ ଉଦ୍ଧାର। ବୁଧବାର ନୋଏଡାର ମମୁରା ଗାଁର ଏକ ଆବାସିକ ଭବନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ଇଲେକ୍ଟ୍ରିକ୍ ଗାଡ଼ି (EV) ଚାର୍ଜ କରୁଥିବା ବେଳେ ନିଆଁ ଲାଗିଥିଲା। ଭୂତଳର ପାର୍କିଂ ଅଞ୍ଚଳରୁ ନିଆଁ ବ୍ୟାପି ନିକଟରେ ଥିବା ପେଟ୍ରୋଲ ଚାଳିତ ଗାଡ଼ିଗୁଡ଼ିକୁ ମଧ୍ୟ କବଳିତ କରିଥିଲା। ଏହା ସହ ଧୂଆଁ ପୂରା ବିଲଡିଂରେ ବ୍ୟାପିଯାଇଥିଲା, ଯାହା ଫଳରେ ପ୍ରାୟ ୫୦ଟି ପରିବାରକୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସେକ୍ଟର-୬୬ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ବିଲଡିଂରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ସହ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ପୋଲିସ କହିବା ମୁତାବକ, ଏହି ବିଲିଡିଂରେ ୫୦ ପରିବାର ରହୁଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଅତ୍ୟଧିକ ଧୂଆଁ ବ୍ୟାପିଯିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଅଗ୍ନିଶମ ଟିମ୍ କଠିନ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘର ମାଲିକକୁ ଗିରଫ କରି ଅଧିକ ତଦନ୍ତ ଜାରି କରିଛି।
ସେପଟେ ଏହି ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା କରିବା ସହ ପ୍ରଭାବିତ ପରିବାରମାନଙ୍କୁ ଶୀଘ୍ର ସହାୟତା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
