ବ୍ୟାଙ୍କକ ପବ୍ରେ ଭୟାବହ ଅଗ୍ନିକାଣ୍ଡ, ୨୭ ମୃତ
ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ପବରେ ଭୟଙ୍କର ଅଗ୍ନିକାଣ୍ଡ। ୨୭ ମୃତ। ୬୩ ଆହତ। ୨୨ ଗୁରୁତର। ଅଧ ରାତିରେ ଲାଗିଥିଲା ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ। ତଦନ୍ତ ଜାରି।
ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଉତ୍ତର ଅଞ୍ଚଳରେ ଥିବା ରୋଙ୍ଗ ବିୟର୍ ନା ଲାଟ୍ ଫ୍ରାଓ (Rong Beer Na Lat Phrao) ନାମକ ଏକ ପବ୍ରେ ରବିବାର ମଧ୍ୟରାତ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଗ୍ନିକାଣ୍ଡ ପରେ ସାମ୍ନାକୁ ଆସିଥିବା ଭିଡିଓରେ ପବ୍ର ମୁଖ୍ୟ ପ୍ରବେଶ ଦ୍ୱାରରୁ ପ୍ରବଳ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଷ୍ଟେଜ ପାଖରେ ଲାଗିଥିବା ସର୍କିଟ ବ୍ରେକରରେ ଧୂଆଁ ଲାଗି ବିସ୍ଫୋରଣ ହୋଇଥିଲା ଓ ନିଆଁ ବ୍ୟାପିଥିଲା। ପ୍ରାଣ ବଞ୍ଚାଇବା ପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ବାହାରକୁ ଦୌଡ଼ୁଥିବା ବେଳେ ଚାରିଆଡ଼େ କଳା ଧୂଆଁ ବ୍ୟାପିଯାଇଥିଲା। କିଛି ଲୋକଙ୍କ ପୋଷାକରେ ମଧ୍ୟ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀର ବଡି-କ୍ୟାମେରା ଫୁଟେଜ୍ରେ ପବ୍ର ଭିତର ଦୃଶ୍ୟ ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିବା ଦେଖାଯାଇଛି। ଚେୟାର, ଟେବୁଲ ଓ ବୋତଲ ଉପରେ ପାଉଁଶର ମୋଟା ଆସ୍ତରଣ ଜମି ରହିଥିବା ବେଳେ ପ୍ରବଳ ଉତ୍ତାପ ଯୋଗୁଁ ଛାତର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା।

ଅନେକ ପୀଡିତ ଅଗ୍ନିକାଣ୍ଡ ସମୟରେ ଟଏଲେଟ୍ ଭିତରେ ଆଶ୍ରୟ ନେଇଥିଲେ ଏବଂ ଅନେକଙ୍କ ମୃତଦେହ ଶୌଚାଳୟରୁ ମିଳିଥିଲା । ପବ୍ ବାହାରେ ସୁରକ୍ଷା ବଳୟ ସୃଷ୍ଟି କରାଯାଇ ମୃତଦେହଗୁଡ଼ିକୁ ଧାଡ଼ିରେ ରଖାଯାଇଥିଲା। ତେବେ ଅଗ୍ନିକାଣ୍ଡ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଘଟିଥିଲା। ଦମକଳ ବାହିନୀ ପ୍ରାୟ ୩୦ ମିନିଟ୍ ଧରି ଉଦ୍ୟମ କରିବା ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିଛନ୍ତି । ଘଟଣା ପରେ ଫଟୋରେ ଦେଖାଯାଉଛି ଯେ ପବର ଭିତର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଅନ୍ୟପଟେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଥାଇଲ୍ୟାଣ୍ଡ କର୍ତ୍ତୃପକ୍ଷ ପକ୍ଷରୁ ତଦନ୍ତ ଜାରି ହୋଇଛି।
ଅନ୍ୟପଟେ ଏହି ଘଟଣା ଥାଇଲ୍ୟାଣ୍ଡରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ମାରାତ୍ମକ ପବ୍ ଅଗ୍ନିକାଣ୍ଡ ମଧ୍ୟରୁ ଗୋଟିଏ। ସୂଚନା ଅନୁଯାୟୀ, ଏହାପୂର୍ବରୁ ୨୦୨୨ ମସିହାରେ ଥାଇଲ୍ୟାଣ୍ଡର ପୂର୍ବାଞ୍ଚଳର ଏକ ମ୍ୟୁଜିକ୍ ପବ୍ରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାଛଡ଼ା ୨୦୦୯ ମସିହାରେ ବ୍ୟାଙ୍କକର ସାଣ୍ଟିକା ନାଇଟ୍ କ୍ଲବ୍ରେ ନୂଆ ବର୍ଷ ଉତ୍ସବ ସମୟରେ ଘଟିଥିବା ଅଗ୍ନିକାଣ୍ଡରେ ୬୬ ଜଣଙ୍କ ମୃତ୍ୟୁ ଓ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
