ସିଜେପି ଆନ୍ଦୋଳନକୁ ସମ୍ଭାଳିପାରିଲେନି- ବିଦା ହେଲେ ଦିଲ୍ଲୀ କମିଶନର!
ଏହି ଆନ୍ଦୋଳନ ନିରନ୍ତର ସାମାଜିକ ଓ ପାଓ୍ୱାର କରିଡରରେ ଚିନ୍ତା ଓ ଚର୍ଚ୍ଚା ବଢ଼ାଇ ଆସିଥିଲା। ଦିଲ୍ଲୀ ପୁଲିସ ଏହି ସମ୍ୱେଦନଶୀଳ ଓ ରାଷ୍ଟ୍ରୀୟ ଚର୍ଚ୍ଚାରେ ଥିବା ମୁଦ୍ଦାକୁ ହ୍ୟାଣ୍ଡେଲ କରିପାରିଲାନି। ଏହି ପ୍ରଦର୍ଶନକୁ ଯେଭଳି କୂଟନୀତିକ ଓ ଦକ୍ଷତା ଅନ୍ଦାଜର ସହ ସମ୍ଭାଳିବା କଥା, ତାକୁ ନେଇ ଆଣି ଥୋଇପାରିଲେନି ସିପି ସତୀଶ ଗୋଲଚା।

ଦିଲ୍ଲୀ ଜନ୍ତରମନ୍ତରରେ ସିଜେପି ଆନ୍ଦୋଳନ କରୁଛି। ସିଜେପି ସମର୍ଥନରେ ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକ ୨୦ ଦିନ ହେଲା ବସିଥିଲେ ଆମରଣ ଅନଶନରେ। ଜୁଲାଇ ୨୦ରେ ସଂସଦକୁ ଶାନ୍ତି ଶୋଭାଯାତ୍ରା କରିବାକୁ ସଜବାଜ ହେଉଛି ସିଜେପି। ଆଉ ଆଜି ସକାଳୁ ସୋନମଙ୍କୁ ସାଦା ପୋଷାକରେ ଧାରଣାସ୍ଥଳରୁ ଉଠାଇ ନେଇ ହସ୍ପିଟାଲରେ ଭର୍ତ୍ତି କରିଛି ଦିଲ୍ଲୀ ପୁଲିସ। ଆନ୍ଦୋଳନକାରୀଙ୍କୁ ବି ଜନ୍ତରମନ୍ତର ଖାଲି କରିବାକୁ ଅପିଲ୍ କରିଛି। ସୋନମଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ିଥିବାରୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ସୋନମଙ୍କୁ ହସ୍ପିଟାଲ ସ୍ଥାନାନ୍ତର କଲା ବୋଲି କହୁଛି ପୁଲିସ। ତେବେ ଆମରଣ ଅନଶନରେ ବସିବାର ୨୦ ଦିନ ପରେ ଅଚାନକ କେମିତି ପୁଲିସ ଆସିଲା ଆକ୍ସନକୁ। ଏ ନେଇ ଏବେ ଚର୍ଚ୍ଚାରେ ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାର। ଦିଲ୍ଲୀ ପୁଲିସ କମିଶନର ଭାବେ ଦାୟିତ୍ୱ ନେବାର ୨୪ ଘଣ୍ଟା ନ ପୁରୁଣୁ ଜନ୍ତରମନ୍ତରରେ ଏଭଳି ଆକ୍ସନ ନେଇ ଏବେ ଚର୍ଚ୍ଚାରେ। ୨୦ ବର୍ଷ ହେଲା କେନ୍ଦ୍ରୀୟ ଡେପୁଟେସନରେ ଥିଲେ ଅନୁରାଗ। ୩୨ ବର୍ଷର ପ୍ରଶାସନିକ ଅନୁଭବ। ଆଉ କାଲି ଦିଲ୍ଲୀ ପୁଲିସ କମିଶନର ଭାବେ ଦାୟିତ୍ୱ ନେଇଥିଲେ। ବଦଳି ଅର୍ଡର ବାହାରିବାର ମାତ୍ର କେଇ ଘଣ୍ଟା ଭିତରେ ସିପି ଭାବେ ଦାୟୀତ୍ୱ ନେଇଥିଲେ। ୧୯୯୪ ବ୍ୟାଚର ଆଇପିଏସ ଅନୁରାଗ। ଶୁକ୍ରବାର ଦିଲ୍ଲୀ ପୁଲିସ କମିଶନର ଥିବା ସତୀଶ ଗୋଲଚାଙ୍କୁ କେନ୍ଦ୍ର ସରକାର ହଟାଇ ଅନୁରାଗଙ୍କୁ ୩ ବର୍ଷ ଲାଗି ଦିଲ୍ଲୀ ପୁଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଦିଲ୍ଲୀ ସିପି ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଆଇନବ୍ୟବସ୍ଥା ଓ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ତାଙ୍କର ବେଶ୍ ଅନୁଭବ ରହିଛି। ସିପି ଥିବା ୧୯୯୨ ବ୍ୟାଚର ସତୀଶ ଗୋଲଚା ଏପ୍ରିଲ ୨୦୨୭ରେ ଅବସର ନେଇଥାଆନ୍ତେ। ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ଯେ, ସତୀଶଙ୍କ ପରବର୍ତ୍ତୀ ନିଯୁକ୍ତି କେଉଁଠି ହେବ, ସେ ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ରିପୋର୍ଟ କରିବେ। ଅଗଷ୍ଟ ୨୦୨୫ରେ ଦିଲ୍ଲୀର ସିପି ହୋଇଥିଲେ ସତୀଶ। କହିବାକୁ ଗଲେ ବର୍ଷେ ବି ସିପି ଭାବେ ରହିପାରିଲେନି ସତୀଶ। କୁହାଯାଉଛି, ଦିଲ୍ଲୀ ଜନ୍ତରମନ୍ତରରେ ସିଜେପି ପ୍ରଦର୍ଶନକୁ ସଠିକ ଢଙ୍ଗରେ ମୁକାବିଲା କରିପାରିନଥିଲେ ସତୀଶ। ଏହି ଆନ୍ଦୋଳନ ନିରନ୍ତର ସାମାଜିକ ଓ ପାଓ୍ୱାର କରିଡରରେ ଚିନ୍ତା ଓ ଚର୍ଚ୍ଚା ବଢ଼ାଇ ଆସିଥିଲା। ଦିଲ୍ଲୀ ପୁଲିସ ଏହି ସମ୍ୱେଦନଶୀଳ ଓ ରାଷ୍ଟ୍ରୀୟ ଚର୍ଚ୍ଚାରେ ଥିବା ମୁଦ୍ଦାକୁ ହ୍ୟାଣ୍ଡେଲ କରିପାରିଲାନି। ଏହି ପ୍ରଦର୍ଶନକୁ ଯେଭଳି କୂଟନୀତିକ ଓ ଦକ୍ଷତା ଅନ୍ଦାଜର ସହ ସମ୍ଭାଳିବା କଥା, ତାକୁ ନେଇ ଆଣି ଥୋଇପାରିଲେନି ସିପି ସତୀଶ ଗୋଲଚା। ଏହା ସହ ଦିଲ୍ଲୀ ଥାନାଗୁଡ଼ିକରେ ଏସଏଚଓ ପୋଷ୍ଟିଂରେ ବଡ଼ ଧରଣର ମନମାନି ଓ ଭ୍ରଷ୍ଟାଚାରର ଗନ୍ଧ ବି ଆସିଥିଲା। ସରକାରଙ୍କ ଉପରେ ପଡ଼ୁଥିଲା ଚାପ। ୨୦ରୁ ସଂସଦର ଅଧିବେଶନ। ସେଠାରେ ବି ସିଜେପି ଆନ୍ଦୋଳନ ପ୍ରଭାବିତ କରିବ ବୋଲି ସରକାର ଜାଣିଥିଲେ। ସେଥିଲାଗି ଏହା ପୂର୍ବରୁ ବଦଳିଗଲା ସମୀକରଣ। କାଲି ସକାଳ ୧୦ଟା୪୦ରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ଚାରାରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସତୀଶ। ଆଉ ବଦଳି ଆଦେଶ ବାହାରିବା ମାତ୍ରେ ତୁରନ୍ତ ନିଜ ଅଫିସରେ ପହଞ୍ଚିଥିଲେ। ଆଉ ଅନୁରାଗଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଚାଲିଯାଇଥିଲେ ସତୀଶ। ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ସିପି ଅନୁରାଗଙ୍କ କାର୍ଯ୍ୟଶୈଳୀ ଭିତରେ କଅଣ ପ୍ରାଥମିକତା ଥିଲା, ତାହା ଆଜି ସକାଳୁ ଜଣାପଡ଼ିଗଲା ବୋଲି ବିରୋଧୀ କହିଛନ୍ତି। ସିଜେପି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅନୁରାଗଙ୍କୁ ତରବରିଆ ଭାବେ ସରକାର ସିପି ଦାୟିତ୍ୱ ଦେଲେ ବୋଲି ଆକ୍ଷେପ ଲଦିଛନ୍ତି ବିରୋଧୀ। ସେପଟେ ସରକାରଙ୍କ କହିବା କଥା, ଏହା ପ୍ରଶାସନିକ ପଦକ୍ଷେପର ଏକ ଅଂଶବିଶେଷ।
