ଗଡ଼ିଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍
ସବୁଜ ପରିବହନ ଦିଗରେ ଭାରତର ବଡ଼ ପଦକ୍ଷେପ । ହରିୟାଣାର ଜିନ୍ଦ–ସୋନିପତ ରୁଟରେ ଗଡ଼ିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

ନୂଆଦିଲ୍ଲୀ: ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଳ ପରିବହନ ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀ ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଜିନ୍ଦ–ସୋନେପତ ରୁଟ୍ରେ ଶୁଭାରମ୍ଭ କରିଛନ୍ତି। ଏହା ସହ ଭାରତ ଜର୍ମାନୀ, ଜାପାନ, ଚୀନ୍ ଓ ଆମେରିକା ପରି ହାଇଡ୍ରୋଜେନ୍ ଆଧାରିତ ରେଳ ପରିବହନ ବିକାଶ କରୁଥିବା ଦେଶମାନଙ୍କ ଶ୍ରେଣୀରେ ସାମିଲ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ହରିୟାଣାରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ସେ କହିଥିଲେ ଯେ ୧୯ଶତାବ୍ଦୀରେ ଭାପ ଇଞ୍ଜିନ୍, ୨୦ଶତାବ୍ଦୀରେ ଡିଜେଲ୍ ଓ ବିଦ୍ୟୁତ ଚାଳିତ ଟ୍ରେନ୍ ରେଳ ପରିବହନର ପରିଚୟ ଥିବାବେଳେ ୨୧ଶତାବ୍ଦୀର ପରିଚୟ ହେବ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍। ଏହାସହ ମୋଦୀ ଆହୁରି ମଧ୍ଯ କହିଥିଲେ ଯେ, ଜିନ୍ଦ ଓ ହରିୟାଣାର ନାମ ଏବେ ଭାରତୀୟ ରେଳ ଇତିହାସରେ ସ୍ଥାୟୀ ଭାବେ ଲିପିବଦ୍ଧ ହୋଇରହିବ। ଗତ ୧୨ ବର୍ଷ ମଧ୍ୟରେ ଭାରତୀୟ ରେଳ ନେଟୱର୍କର ପ୍ରାୟ ୯୯ ପ୍ରତିଶତ ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଛି।
ସେହିପରି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ହାଇଡ୍ରୋଜେନ୍ ଟ୍ରେନ୍ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ପ୍ରଯୁକ୍ତି ବର୍ତ୍ତମାନ ଭାରତ ପାଖରେ ଉପଲବ୍ଧ ରହିଛି। ୧୦ଟି କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଟ୍ରେନ୍ ବିଶ୍ୱର ସବୁଠାରୁ ବଡ଼ ହାଇଡ୍ରୋଜେନ୍ ଯାତ୍ରୀବାହୀ ଟ୍ରେନ୍ମାନଙ୍କ ମଧ୍ୟରୁ ଅନ୍ୟତମ। ଏହାର ୧,୨୦୦ କିଲୋୱାଟ୍ କ୍ଷମତା ବିଶିଷ୍ଟ ପ୍ରୋପଲ୍ସନ୍ ସିଷ୍ଟମ୍ ରହିଛି ଏବଂ ଏହା ୮୯ କିଲୋମିଟର ଲମ୍ବା ଜିନ୍ଦ–ସୋନେପତ ରୁଟ୍ରେ ଚଳାଚଳ କରିବ। ଟ୍ରେନ୍ଟିରେ ପ୍ରାୟ ୨,୬୦୦ ଯାତ୍ରୀ ଯାତ୍ରା କରିପାରିବେ। ଜିନ୍ଦରେ ଦେଶର ସର୍ବବୃହତ ହାଇଡ୍ରୋଜେନ୍ ସଂରକ୍ଷଣ ଓ ରିଫ୍ୟୁଏଲିଂ କେନ୍ଦ୍ର ସ୍ଥାପନ କରାଯାଇଛି। ଏହା ଏକ ସମୟରେ ପ୍ରାୟ ୩,୦୦୦ କିଲୋଗ୍ରାମ ହାଇଡ୍ରୋଜେନ୍ ସଂରକ୍ଷଣ କରିପାରିବ।
