ହାରୁ ହାରୁ ଅଳ୍ପକେ ବର୍ତ୍ତିଲା ଆର୍ଜେଣ୍ଟିନା
ଆର୍ଜେଣ୍ଟିନାକୁ କଡ଼ା ଟକ୍କର ଦେଲା କେପ୍ ଭର୍ଦେ। କେପ୍ ଭର୍ଡେକୁ ୩-୨ରେ ହରାଇ ଶେଷ-୧୬ରେ ଆର୍ଜେଣ୍ଟିନା। ଶେଷ ୧୧୪ ମିନିଟରେ ଆତ୍ମଘାତୀ ଗୋଲରେ ଜିତିଲା ଆର୍ଜେଣ୍ଟିନା।
ମିଆମି: ହାରୁ ହାରୁ ଅଳ୍ପକେ ବର୍ତ୍ତିଗଲା ଆର୍ଜେଣ୍ଟିନା। ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଟିମକୁ କଡ଼ା ଟକ୍କର ଦେଲା କେପ୍ ଭର୍ଦେ । ଶେଷ ୧୧୪ ମିନିଟରେ ଏକ ଆତ୍ମଘାତୀ ଗୋଲରେ ଜିତିଲା ଆର୍ଜେଣ୍ଟିନା। ୨୦୨୬ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ ୩୨ରେ ବିଶ୍ୱକପ୍ ନବାଗତ ଟିମ୍ କେପ୍ ଭର୍ଦେକୁ ଅତିରିକ୍ତ ସମୟରେ ୩-୨ ଗୋଲ୍ରେ ପରାସ୍ତ କରି ରାଉଣ୍ଡ ଅଫ-୧୬ରେ ନିଜ ଜାଗା ପକ୍କା କରିଛି ଆର୍ଜେଣ୍ଟିନା । ପ୍ରଥମ ଥର ବିଶ୍ୱକପ ଖେଳୁଥିବା କେପ୍ ଭର୍ଦେ ଟିମ୍ ଚାମ୍ପିଅନ ଟିମକୁ କଡ଼ା ଟକ୍କର ଦେଇଥିବା ବେଳେ, ତିନିଥରର ବିଶ୍ୱ ଚାମ୍ପିଅନ୍ଙ୍କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚାପରେ ରଖିଥିଲା। ମିଆମି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଅତିରିକ୍ତ ସମୟର ଦ୍ୱିତୀୟାର୍ଦ୍ଧର ଷଷ୍ଠ ମିନିଟରେ ଲିଓନେଲ ମେସିଙ୍କ କର୍ଣ୍ଣରରୁ କ୍ରିଷ୍ଟିଆନ୍ ରୋମେରୋଙ୍କ ହେଡର କେପ୍ ଭର୍ଡେ ଡିଫେଣ୍ଡର ଡିନେଇ ବୋର୍ଜେସଙ୍କ ହାତରେ ଲାଗି ଆତ୍ମଘାତୀ ଗୋଲରେ ପରିଣତ ହୋଇଥିଲା। ଏହି ଗୋଲ୍ ଆର୍ଜେଣ୍ଟିନାକୁ ବିଜୟ ଦେଇଥିଲା। ମ୍ୟାଚ୍ର ୨୯ତମ ମିନିଟରେ ମେସି ତାଙ୍କର ଟୁର୍ଣ୍ଣାମେଣ୍ଟର ସପ୍ତମ ଗୋଲ୍ କରି ଆର୍ଜେଣ୍ଟିନାକୁ ଆଗୁଆ କରିଥିଲେ। କିନ୍ତୁ ୫୯ତମ ମିନିଟରେ ଡେରୋୟ ଡୁଆର୍ଟେ ସମତା ଫେରାଇଥିଲେ। ନିର୍ଦ୍ଧାରିତ ସମୟ ୧-୧ରେ ଶେଷ ହେବା ପରେ ଖେଳ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ସମୟର ଆରମ୍ଭରେ ଲିସାନ୍ଦ୍ରୋ ମାର୍ଟିନେଜ୍ ଚମତ୍କାର ଗୋଲ୍ କରି ଆର୍ଜେଣ୍ଟିନାକୁ ୨-୧ରେ ଆଗୁଆ କରିଥିଲେ। କିନ୍ତୁ କେପ୍ ଭର୍ଦେ ପୁଣି ହାର ମାନିନଥିଲା। ସିଡ୍ନି ଲୋପେସ କାବ୍ରାଲଙ୍କ ଦୂରପାଳ୍ଲାର ଦର୍ଶନୀୟ ଶଟ୍ରେ ସ୍କୋର ୨-୨ ହୋଇଯାଇଥିଲା। ଶେଷରେ ମେସିଙ୍କ କର୍ଣ୍ଣରରୁ କ୍ରିଷ୍ଟିଆନ୍ ରୋମେରୋଙ୍କ ହେଡର କେପ୍ ଭର୍ଦେ ଡିଫେଣ୍ଡର ଡିନେଇ ବୋର୍ଜେଙ୍କ ଦେହରେ ଲାଗି ଆତ୍ମଘାତୀ ଗୋଲ୍ରେ ପରିଣତ ହୋଇଥିଲା। ଏହି ଗୋଲ୍ ହିଁ ଆର୍ଜେଣ୍ଟିନାର ବିଜୟର କାରଣ ହୋଇଥିଲା।
ପରାଜୟ ସତ୍ତ୍ୱେ କେପ୍ ଭର୍ଦେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା ଏବଂ ପେନାଲ୍ଟି ଶୁଟ୍ଆଉଟ୍କୁ ମ୍ୟାଚ୍ ନେବାର ନିକଟରେ ପହଞ୍ଚିଥିଲା। ବିଶ୍ୱକପ୍ରେ ପ୍ରଥମଥର ଅଂଶଗ୍ରହଣ କରିଥିବା ଏହି ଆଫ୍ରିକୀୟ ଦଳ କେପ୍ ଭର୍ଦେ ଶେଷରେ ପରାଜିତ ହେଲେ ମଧ୍ୟ ନିଜ ଦମଦାର ପ୍ରଦର୍ଶନରେ ବିଶ୍ୱ ଫୁଟବଲ୍ରେ ଏକ ନୂଆ ପରିଚୟ କରିପାରିଛି। ସୋସିଆଲ ମିଡିଆରେ ମଧ୍ୟ ଅନେକେ କହିଛନ୍ତି ଯେ, ପରାଜୟ ସତ୍ତ୍ୱେ କେପ୍ ଭର୍ଦେ ଏହି ବିଶ୍ୱକପ୍ର ଅନ୍ୟତମ ବଡ଼ ଆକର୍ଷଣ ହୋଇ ଉଭା ହୋଇଛି।
