Farmer Death: ବନ୍ୟାରେ ଉଜୁଡ଼ିଲା ଫସଲ, ଋଣ ବୋଝ ସହି ନପାରି ଚାଷୀଙ୍କ ମୃତ୍ୟୁ ଅଭିଯୋଗ
ଋଣ ଭାର ଓ ଫସଲ କ୍ଷତିର କରୁଣ ପରିଣତି । ଗଞ୍ଜାମର କବିସୂର୍ଯ୍ୟନଗର ସଦାବର୍ତ୍ତ ନୂଆଗାଁରେ ଋଣ ଭାର ଓ ଫସଲ ନଷ୍ଟକୁ ନେଇ ୨୭ ବର୍ଷୀୟ ଯୁବ ଚାଷୀ ବୁଲୁ ମଳିକଙ୍କ ମୃତ୍ୟୁ। ପୋଲିସର ତଦନ୍ତ ଜାରି।
ଗଞ୍ଜାମ: ବାତ୍ୟା ଅର୍ଣ୍ଣବ ପରେ ବନ୍ୟାର କରାଳ ରୂପ ଛଡ଼ାଇଦେଲା ଚାଷୀଙ୍କ ମୁହଁରୁ ହସ। ଆଖି ଆଗରେ ନଷ୍ଟ ହୋଇଗଲା ସୁନାର ଫସଲ। ଅନ୍ୟପଟେ ମୁଣ୍ଡ ଉପରେ ପାଖାପାଖି ୧୧ ଲକ୍ଷ ଟଙ୍କାର ଋଣ ବୋଝ। ଏଭଳି ଆର୍ଥିକ ସଙ୍କଟ ସହି ନପାରି ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସଦାବର୍ତ୍ତ ନୂଆଗାଁ ଗ୍ରାମରେ। ମୃତ ଚାଷୀ ହେଉଛନ୍ତି ଗ୍ରାମର ୨୭ ବର୍ଷୀୟ ବୁଲୁ ମଳିକ। ସୂଚନା ଅନୁଯାୟୀ, ବୁଲୁଙ୍କ ବାପା ଓ ମାଆଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ସେ ଏକାକୀ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ତେବେ ପୂର୍ବରୁ ଗ୍ରାମବାସୀଙ୍କଠାରୁ ନେଇଥିବା ଋଣ ଏବଂ ବାତ୍ୟା ପରବର୍ତ୍ତୀ ବନ୍ୟାରେ ଫସଲ ନଷ୍ଟ ହେବା ଯୋଗୁଁ ସେ ଗଭୀର ଆର୍ଥିକ ସଙ୍କଟରେ ପଡ଼ିଥିଲେ। ଅଭିଯୋଗ ଅନୁଯାୟୀ, ଗତ ରାତିରେ ବୁଲୁ ନିଜ ଘରେ କୀଟନାଶକ ସେବନ କରିଥିଲେ ଏବଂ ଏନେଇ ନିଜ ଭଉଣୀମାନଙ୍କୁ ଜଣାଇଥିଲେ। ଖବର ପାଇ ସମ୍ପର୍କୀୟମାନେ ଘରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କବିସୂର୍ଯ୍ୟନଗର ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ତହସିଲଦାର ମଧ୍ୟ ଗ୍ରାମରେ ପହଞ୍ଚି ଫସଲ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି। ବନ୍ୟାରେ ଫସଲ ହରାଇଥିବା ଚାଷୀଙ୍କ ଏଭଳି ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।
