Police Security: ଆନ୍ଧ୍ର ନିର୍ବାଚନକୁ ନେଇ ଓଡ଼ିଶାର ସୀମାନ୍ତ ଗାଁରେ କଡ଼ା ପହରା
ଆନ୍ଧ୍ରପ୍ରଦେଶ ନିର୍ବାଚନକୁ ନେଇ ମାଲକାନଗିରିର ଜୁମଡାଙ୍ଗ ଗାଁରେ କଡ଼ା ସୁରକ୍ଷା। ୨ ପ୍ଲାଟୁନ୍ ପୋଲିସ ମୁତୟନ, ଭୋଟର ତାଲିକା ବିବାଦ ଓ ଗ୍ରାମବାସୀଙ୍କ ପାଇଁ ସେବା ଶିବିର ଆୟୋଜନ।
ମାଲକାନଗିରି/ଚିତ୍ରକୋଣ୍ଡା: ଆନ୍ଧ୍ରପ୍ରଦେଶରେ ଆଜି ଚାଲିଛି ନିର୍ବାଚନ। ହେଲେ ଏହାର ପ୍ରଭାବ ପଡ଼ିଛି ଓଡ଼ିଶାର ମାଲକାନଗିରି ଜିଲ୍ଲାର ସୀମାନ୍ତ ଜୁମଡାଙ୍ଗ ଗାଁରେ। ଗାଁକୁ ଚାରିପଟୁ ଘେରି ରହିଛି ପୋଲିସ। ମୁତୟନ ହୋଇଛନ୍ତି ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ। ଗାଁର ବିଭିନ୍ନ ପ୍ରବେଶ ପଥରେ କଡ଼ା ଯାଞ୍ଚ ସହ ଚେକ୍ପୋଷ୍ଟ ମଧ୍ୟ ଖୋଲାଯାଇଛି। ସୂଚନା ଅନୁଯାୟୀ, ଜୁମଡାଙ୍ଗ ଗାଁର କିଛି ବାସିନ୍ଦାଙ୍କ ନାମ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ରହିଥିବା ଜଣାପଡ଼ିଛି। ତେଣୁ ସେମାନେ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଭୋଟ୍ ଦେବାକୁ ଯାଉଛନ୍ତି କି ନାହିଁ, ତାହା ଉପରେ ପ୍ରଶାସନ ଓ ପୋଲିସର କଡ଼ା ନଜର ରହିଥିଲା। ଦ୍ୱିତୀୟ ଭୋଟ୍ ବା ନିର୍ବାଚନୀ ଅନିୟମିତତାକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପ୍ରଶାସନ, ପୋଲିସ, ବିଭିନ୍ନ ରାଜନୈତିକ ଦଳ ଓ ଆଦିବାସୀ ସଂଘର ପ୍ରତିନିଧିମାନେ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଫଳରେ ଜୁମଡାଙ୍ଗ ଗ୍ରାମବାସୀ ଆନ୍ଧ୍ରପ୍ରଦେଶକୁ ଭୋଟ୍ ଦେବାକୁ ଯାଇନଥିବା ସୂଚନା ମିଳିଛି। ଅନ୍ୟପଟେ ଜୁମଡାଙ୍ଗବାସୀ ନିଜର ମୌଳିକ ଅଧିକାର ଓ ଆବଶ୍ୟକୀୟ ସରକାରୀ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ଗାଁରେ ଏକ ସେବା ଶିବିର ଆୟୋଜନ କରାଯାଇଛି। ଗ୍ରାମବାସୀଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି।
