People Return Home: ବାତ୍ୟା ମୁରାସୁ ପରେ ଭିଟାମାଟିକୁ ଫେରିଲେ ୨୦୦ରୁ ଊର୍ଦ୍ଧ୍ୱ ଲୋକ
ବାତ୍ୟା ମୁରାସୁ ପରେ ଦିଗପହଣ୍ଡିର ଆଶ୍ରୟସ୍ଥଳୀରୁ ୩ ଦିନ ପରେ ଘରକୁ ଫେରିଲେ ୨୦୦ରୁ ଊର୍ଦ୍ଧ୍ୱ ଲୋକ। ପ୍ରଶାସନ ଓ ଜନପ୍ରତିନିଧିଙ୍କ ସହଯୋଗରେ ସୁରକ୍ଷିତ ଘରବାହୁଡ଼ା।
ଗଞ୍ଜାମ: ବାତ୍ୟା ମୁରାସୁର ପ୍ରଭାବକୁ ଦୃଷ୍ଟିରେ ରଖି ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନେଇଥିଲା ସ୍ଥାନୀୟ ପ୍ରଶାସନ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ୍. ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟାଙ୍କ ଉଦ୍ୟମରେ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ବାତ୍ୟାର ପ୍ରକୋପ ହ୍ରାସ ପାଇବା ପରେ ଦୀର୍ଘ ତିନି ଦିନ ଧରି ଆଶ୍ରୟସ୍ଥଳୀରେ ରହିଥିବା ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳର ଗୋଛାପେଟା ଓ ଦାଦୃମା ଗ୍ରାମବାସୀ ଆଜି ନିଜ ନିଜ ଭିଟାମାଟିକୁ ଫେରିଛନ୍ତି। ଏହି ଅବସରରେ ଦିଗପହଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶ୍ରୟସ୍ଥଳୀରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷକରି ଖାଦ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଆଶ୍ରୟସ୍ଥଳୀରେ ଥିବା ଛୋଟ ଛୋଟ ଶିଶୁଙ୍କ ଟିକାକରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଆବଶ୍ୟକୀୟ ଯତ୍ନ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପଦକ୍ଷେପ ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଯାଇଥିଲା। ଏହି ଘରବାହୁଡ଼ା କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି, ସମିତିସଭ୍ୟା, ସମାଜସେବୀ, ୱାର୍ଡ ମେମ୍ବରଙ୍କ ସମେତ ପୂର୍ବତନ ସମିତିସଭ୍ୟ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଘରକୁ ଫେରାଇ ନେବାରେ ସହଯୋଗ କରିଥିଲେ। ବିପଦ ସମୟରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇବାଠାରୁ ଆରମ୍ଭ କରି ବାତ୍ୟା ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଆବଶ୍ୟକତା ପ୍ରତି ଯତ୍ନବାନ ହେବା ପର୍ଯ୍ୟନ୍ତ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ମିଳିତ ପ୍ରୟାସକୁ ଆଶ୍ରୟସ୍ଥଳୀରେ ରହିଥିବା ଲୋକମାନେ ପ୍ରଶଂସା କରିଛନ୍ତି।
