ଶାନ୍ତିଭଙ୍ଗ କଲେ ଘରୁ ବେଦଖଲ ହେବେ ପୁଅ-ବୋହୂ!
ଯଦି ପୁଅ ବୋହୂ ଶାନ୍ତିଭଙ୍ଗ କରିବା ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନିଅନ୍ତି ବା ଆଚରଣ ଦେଖାଇବେ। ତାହେଲେ ସେମାନଙ୍କୁ ଘରୁ ବେଦଖଲ କରାଯିବ। ଭୁବନେଶ୍ୱର ଡିସିପି ଓ ଖଣ୍ଡଗିରି ଥାନାକୁ ଏ ସନ୍ଦର୍ଭରେ ନିର୍ଦେଶ ଦେଇଛନ୍ତି ଅଦାଲତ।ପୁଅ ବୋହୂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାର ଆରୋପ ଲଦି ପ୍ରେମଲତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଶାନ୍ତିଭଙ୍ଗ କଲେ ଘରୁ ବେଦଖଲ ହେବେ ପୁଅ-ବୋହୂ! ବୃଦ୍ଧା ମାଆଙ୍କୁ ହଇରାଣ କରୁଥିବା ପୁଅବୋହୂଙ୍କୁ ଏମିତି ମିଳିବ ସଜ୍ଜା। ଓଡ଼ିଶା ହାଇକୋର୍ଟର ଜଷ୍ଟିସ ସାବିତ୍ରୀ ରଥଙ୍କ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ। ଖଣ୍ଡଗିରି ଥାନା ଅନ୍ତର୍ଗତ ହାଉସିଂବୋର୍ଡ ଘରେ ରହୁଛନ୍ତି ୭୨ ବର୍ଷୀୟା ବୃଦ୍ଧା ପ୍ରେମଲତା ପାତ୍ର। ପୁଅ ଶୁଭ୍ରାଂଶୁ ପାତ୍ର ଓ ବୋହୂ ମଧୁସ୍ମିତା ସାହୁଙ୍କ ବିରୁଦ୍ଧରେ ବୃଦ୍ଧା ଯାଇଥିଲେ ହାଇକୋର୍ଟ। ପୁଅ ବୋହୂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାର ଆରୋପ ଲଦି ପ୍ରେମଲତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଘଟଣା ଥିଲା ଏମିତି। ଖଣ୍ଡଗିରି ଥାନା ଅନ୍ତର୍ଗତ ହାଉସିଂବୋର୍ଡ ଦ୍ୱାରା ଆବଣ୍ଟିତ ଘରେ ରହୁଛନ୍ତି ପ୍ରେମଲତା। ସେହି ଘରେ ତାଙ୍କ ପୁଅ ବୋହୂ ବି ରହୁଛନ୍ତି। ତେବେ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଚାଲିଛି। ଯେଉଁ ସମ୍ପତ୍ତି ବ୍ରହ୍ମପୁରରେ ଅଛି। ପରିବାର ଭିତରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଜାରି ରହିଛି। ସମ୍ପତ୍ତି ବିବାଦକୁ ନେଇ ଉଭୟ ପକ୍ଷ ଭିତରେ ଅନେକ ଥର ଝଗଡ଼ା ହୋଇଛି। ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଅଦାଲତ ଯେତିକି ଚିନ୍ତିତ ନୁହଁନ୍ତି। ବରଂ ତାଠୁ ଅଧିକ ଚିନ୍ତିତ ଥିଲେ, କେମିତି ପୁଅବୋହୂଙ୍କ ପାଖରେ ରହୁଥିବା ବୃଦ୍ଧା ମାଆଙ୍କ ମାନସିକ ଓ ଶାରୀରିକ ସୁରକ୍ଷା ସୁନିଶ୍ଚିତ ହେବ। ଆବେଦନକାରୀଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବି ମନୋରଞ୍ଜନ ଦାଶ ଓ ଅଜୟ କୁମାର ଜେନା ଅଦାଲତରେ ଦର୍ଶାଇଥିଲେ ଯେ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ ଦ୍ୱାରା ଆବଣ୍ଟିତ ଘରର ପ୍ରଥମ ମହଲାରେ ରହୁଛନ୍ତି ତାଙ୍କ ମହକିଲ ୭୨ ବର୍ଷୀୟା ପ୍ରେମଲତା ପାତ୍ର। ହେଲେ ସାଙ୍ଗରେ ରହୁଥିବା ପୁଅ ଶୁଭ୍ରାଂଶୁ ଓ ବୋହୂ ମଧୁସ୍ମିତା ସବୁବେଳେ ତାଙ୍କୁ ନିର୍ଯାତନା ଦେଉଛନ୍ତି। ସେଥିଲାଗି ଏଥିରେ ଅତିଷ୍ଠ ହୋଇ ନ୍ୟାୟ ପାଇଁ ପ୍ରେମଲତା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଶେଷରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣୀ କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ପୁଅ ବୋହୂ ଶାନ୍ତିଭଙ୍ଗ କରିବା ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନିଅନ୍ତି ବା ଆଚରଣ ଦେଖାଇବେ। ତାହେଲେ ସେମାନଙ୍କୁ ଘରୁ ବେଦଖଲ କରାଯିବ। ଭୁବନେଶ୍ୱର ଡିସିପି ଓ ଖଣ୍ଡଗିରି ଥାନାକୁ ଏ ସନ୍ଦର୍ଭରେ ନିର୍ଦେଶ ଦେଇଛନ୍ତି ଅଦାଲତ। ମେଣ୍ଟାନାନ୍ସ ଆଣ୍ଡ ଓ୍ୱେଲଫେୟାର ଅଫ ପାରେଣ୍ଟସ ସିନିୟର ସିଟିଜେନ ଆକ୍ଟ, ୨୦୧୭ ଅନୁସାରେ ଏହି ପଦକ୍ଷେପ ନିଆଯିବ। ଆଇନଜୀବି ଅଜୟ ଜେନା ଅଦାଲତରେ ଏ ସମ୍ପର୍କିତ ଦସ୍ତାବିଜ ବି ଦାଖଲ କରିଛନ୍ତି। ହାଉସିଂ ବୋର୍ଡର ଆଲଟମେଣ୍ଟ ଚିଠି ସହ ଜୁନ୍ ୨ରେ ରାଜ୍ୟ ମହିଳା କମିଶନଙ୍କ ନୋଟିସ ଚିଠା ଦାଖଲ କରିଛନ୍ତି। ଯେଉଁଠି ଆବେଦନକାରୀଙ୍କୁ ଜୁଲାଇ ୨୦ରେ ମହିଳା କମିଶନଙ୍କ ଆଗରେ ହାଜର ହେବାକୁ କୁହାଯାଇଛି। ଏ ସବୁ ମେମୋ ସହ ହାଜର ହେବାକୁ କୁହାଯାଇଛି। ହାଇକୋର୍ଟ କହିଛନ୍ତି, ଯେହେତୁ ମହିଳା କମିଶନଙ୍କ ଆଗରେ ଏହାର ଶୁଣାଣୀ ଜୁଲାଇ ୨୦ରେ ଅଛି। ସେଥିଲାଗି ହାଇକୋର୍ଟରେ ଏହାର ପରବର୍ତ୍ତୀ ଶୁଣାଣୀ ଜୁଲାଇ ୨୨କୁ ଧାର୍ଯ୍ୟ କରିଛନ୍ତି ଜଷ୍ଟିସ ସାବିତ୍ରୀ ରଥ।
