Erasama Storm Damage:ଏରସମାରେ ପ୍ରକୃତିର ପ୍ରକୋପ
ହଠାତ୍ ମାଡ଼ି ଆସିଲା ପ୍ରବଳ ଘୂର୍ଣ୍ଣିଝଡ଼। ଆଖି ପିଛୁଳାକେ ଘରର ଛାତ, ଦ୍ୱାର ଓ ଆସବାବପତ୍ର ଉଡ଼ିଗଲା। ଜଗତସିଂହପୁର ଏରସମାରେ ଏହି ଘଟଣା ପରେ ବଳରାମ ଦାସଙ୍କ ପରିବାର ଏବେ ଅସହାୟ।

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ହଠାତ୍ ଆସିଥିବା ପ୍ରବଳ ଝଡ଼ରେ ଘରଦ୍ୱାର ଭାଙ୍ଗିବା ସହ ଆକାଶମାର୍ଗରେ ଉଡ଼ିଗଲା ଆଜବେଷ୍ଟସ୍ ଓ ଘରର ଆସବାବପତ୍ର। ଏହି ଘଟଣା ଏରସମା ବ୍ଲକ୍ ଅନ୍ତର୍ଗତ ଆମ୍ବିକି ପଞ୍ଚାୟତର କିଆଦାର ସାଆଙ୍ଗା ଗ୍ରାମରେ ଘଟିଛି। ସୂଚନା ଅନୁସାରେ, ଆଜି ଅପରାହ୍ନରେ ହଠାତ୍ ଆସିଥିବା ଝଡ଼ରେ ଗ୍ରାମର ବଳରାମ ଦାସଙ୍କ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଝଡ଼ର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଆଜବେଷ୍ଟସ୍ ଛାତ, ଦ୍ୱାର ଓ ଅନ୍ୟାନ୍ୟ ସାମଗ୍ରୀ ଉଡ଼ି ଦୂରଦୂରାନ୍ତରେ ପଡ଼ିଥିଲା। ମାତ୍ର କିଛି ସମୟର ଝଡ଼ରେ ବଳରାମଙ୍କ ପରିବାରର ସବୁକିଛି ନଷ୍ଟ ହୋଇଯାଇଛି।ଘଟଣା ପରେ ଘରର ଭଗ୍ନାବଶେଷ ଓ ଏଣେତେଣେ ପଡ଼ିଥିବା ଘରୋଇ ସାମଗ୍ରୀର ଦୃଶ୍ୟ ସାମ୍ନାକୁ ଆସିଛି। ଏଭଳି ଅଚାନକ ଝଡ଼କୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପଟେ ଘର ନଷ୍ଟ ହେବା ପରେ ବଳରାମ ଦାସଙ୍କ ପରିବାର ଏବେ ଅସହାୟ ସ୍ଥିତିରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯିବା ସହ ପ୍ରଭାବିତ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
