ମେକ୍ସିକୋକୁ 3-2ରେ ହରାଇ କ୍ୱାର୍ଟର ଫାଇନାଲ୍ ରେ ଇଂଲଣ୍ଡ
ଇତିହାସ ରଚିଲା ଇଂଲଣ୍ଡ। ମେକ୍ସିକୋକୁ 3-2ରେ ହରାଇ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ। ଜୁଡ୍ ବେଲିଂହାମଙ୍କ କମାଲ୍, 98 ସେକେଣ୍ଡରେ ଦୁଇ ଗୋଲ୍।
2026 ଫିଫା ବିଶ୍ୱକପ୍ରେ ଏକ ରୋମାଞ୍ଚକର ବିଜୟ ସହ କ୍ୱାର୍ଟର ଫାଇନାଲ୍ ରେ ପ୍ରବେଶ କରିଛି ଇଂଲଣ୍ଡ । ଆୟୋଜକ ମେକ୍ସିକୋକୁ 3-2 ଗୋଲ୍ରେ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି ଇଂଲଣ୍ଡ । ଏହି ରୋମାଞ୍ଚକର ମ୍ୟାଚ୍ର ସବୁଠୁ ବଡ଼ ନାୟକ ଥିଲେ ଜୁଡ୍ ବେଲିଂହାମ୍। ମାତ୍ର 98 ସେକେଣ୍ଡ ମଧ୍ୟରେ ଦୁଇଟି ଗୋଲ୍ କରି ସେ ଇତିହାସ ସୃଷ୍ଟି କରିଛନ୍ତି। ଏଷ୍ଟାଡିଓ ଏଜ୍ଟେକାରେ ଖେଳାଯାଇଥିବା ଏହି ମ୍ୟାଚ୍ର ଦ୍ୱିତୀୟାର୍ଧରେ ଇଂଲଣ୍ଡକୁ 10 ଜଣ ଖେଳାଳି ସହ ଖେଳିବାକୁ ପଡ଼ିଥିଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ହୋଇଥିବା କଡ଼ା ସଂଘର୍ଷ ଦର୍ଶକଙ୍କ ଉତ୍ସାହକୁ ଚରମ ସୀମାକୁ ନେଇଥିଲା। ତଥାପି ଇଂଲଣ୍ଡ ପକ୍ଷରୁ ଅଦମ୍ୟ ଜଲୱା ଦେଖାଇ ବିଜୟ ହାସଲ କରିଥିଲା।
ମ୍ୟାଚ୍ର 36ତମ ମିନିଟ୍ରେ ଜୁଡ୍ ବେଲିଂହାମ୍ ଏକ ଚମତ୍କାର ହେଡର୍ ମାଧ୍ୟମରେ ଇଂଲଣ୍ଡକୁ ଆଗକୁ କରିଥିଲେ। ଏହାର ମାତ୍ର 98 ସେକେଣ୍ଡ ପରେ ସେ ଆଉ ଏକ ଗୋଲ୍ କରି ମେକ୍ସିକୋର ସମସ୍ୟାକୁ ବଢ଼ାଇ ଦେଇଥିଲେ। ତେବେ ଜୁଡ୍ ବେଲିଂହାମଙ୍କ ଏହି କୀର୍ତ୍ତି ବିଶ୍ୱକପ୍ ଇତିହାସରେ ସବୁଠାରୁ ଦ୍ରୁତ ଦୁଇଟି ଗୋଲ୍ର ମଧ୍ୟରେ ସ୍ଥାନ ପାଇଛି। ତଥାପି ମେକ୍ସିକୋ ହାର ମାନିନଥିଲା। ଜୁଲିଆନ୍ କ୍ୱିନୋନେସ୍ ଗୋଟିଏ ଗୋଲ୍ କରି ଦଳକୁ ପୁଣି ମ୍ୟାଚ୍କୁ ଫେରାଇ ଆଣିଥିଲେ ଏବଂ ହାଫ୍ଟାଇମ୍ ପର୍ଯ୍ୟନ୍ତ ସ୍କୋର 2-1 ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ ପାଇଁ ବଡ଼ ଝଟକା ଲାଗିଥିଲା।, ଯେତେବେଳେ ୫୩ତମ ମିନିଟ୍ରେ ଜାରେଲ୍ କ୍ୱାନ୍ସା ଲାଲ୍ କାର୍ଡ ଦେଖି ପଡ଼ିଆ ଛାଡ଼ିବାରୁ ଇଂଲଣ୍ଡ ୧୦ ଜଣ ଖେଳାଳିଙ୍କ ସହ ଖେଳିବାକୁ ବାଧ୍ୟ ହୋଇଥିଲା। କିନ୍ତୁ ତଥାପି ଚାପ ମଧ୍ୟରେ ଇଂଲଣ୍ଡ 60ତମ ମିନିଟ୍ରେ ହ୍ୟାରି କେନଙ୍କ ପେନାଲ୍ଟି ଗୋଲ୍ରେ 3-1 ରେ ଆଗକୁ ହୋଇଥିଲା।
ଏହାପରେ ମେକ୍ସିକୋ ପକ୍ଷରୁ ରାଉଲ୍ ଜିମେନେଜ୍ ପେନାଲ୍ଟି ଗୋଲ୍ କରି ସ୍କୋରକୁ 3-2 କରିଥିଲେ ଏବଂ ମ୍ୟାଚ୍କୁ ରୋମାଞ୍ଚକର କରିଦେଇଥିଲେ। ଶେଷ ୧୧ ମିନିଟ୍ର ଆହତ ସମୟରେ ମେକ୍ସିକୋ ଲଗାତାର ଆକ୍ରମଣ କରିଥିଲେ ମଧ୍ୟ ଦୃଢ଼ ପ୍ରଦର୍ଶନ କରି ସମସ୍ତ ଚେଷ୍ଟାକୁ ବିଫଳ କରିଥିଲେ ଇଂଲଣ୍ଡର ଗୋଲକିପର ଜୋର୍ଡାନ୍ ପିକଫୋର୍ଡ । ଶେଷରେ ଇଂଲଣ୍ଡ ୩-୨ ଗୋଲରେ ବିଜୟୀ ହୋଇ କ୍ବାର୍ଟରରେ ସ୍ଥାନ ସୁନିଶ୍ଚିତ କରିବା ସହ ବିଶ୍ୱକପ୍ ଇତିହାସରେ ଏଷ୍ଟାଡିଓ ଏଜ୍ଟେକାରେ ମେକ୍ସିକୋକୁ ପରାସ୍ତ କରିବାରେ ଇଂଲଣ୍ଡ ପ୍ରଥମ ଦଳ ହୋଇଛି। ଅନ୍ୟପଟେ ଆସନ୍ତା କ୍ବାର୍ଟରଫାଇନାଲ୍ରେ ନରଓ୍ବେକୁ ଭେଟିବ ଇଂଲଣ୍ଡ।
