ଶିମିଳିପାଳରେ କଳା ବାଘୁଣୀ ମୃତ-ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ
ଶିମିଳିପାଳ ଟାଇଗର ରିଜର୍ଭର ଗଭୀର କୋର୍ ଅଞ୍ଚଳରେ ଏକ ୫ ବର୍ଷୀୟା ମାଈ କଳା ବାଘୁଣୀର ମୃତଦେହ ମିଳିବା ପରେ ବନ ବିଭାଗରେ ଚିନ୍ତା ବଢ଼ିଛି।

ଶିମିଳିପାଳ ଟାଇଗର ରିଜର୍ଭର ଗଭୀର କୋର୍ ଅଞ୍ଚଳରେ ଏକ ୫ ବର୍ଷୀୟା ମାଈ କଳା ବାଘୁଣୀର ମୃତଦେହ ମିଳିବା ପରେ ବନ ବିଭାଗରେ ଚିନ୍ତା ବଢ଼ିଛି। ଅଗଷ୍ଟ ୬ ତାରିଖ ସନ୍ଧ୍ୟାରେ ଶିମିଳିପାଳ ସାଉଥ୍ ଡିଭିଜନର UBK ରେଞ୍ଜ ଅଧୀନ ଜାଟିଆଣି କ୍ୟାମ୍ପ ନିକଟରୁ ପାଟ୍ରୋଲିଂ କର୍ମଚାରୀମାନେ ବାଘୁଣୀର ମୃତଦେହ ଠାବ କରିଥିଲେ। PCCF (Wildlife) ପ୍ରେମ କୁମାର ଝାଙ୍କ ସୂଚନା ଅନୁସାରେ, ମୃତଦେହରେ କୌଣସି ଦୃଶ୍ୟମାନ ଆଘାତ ଚିହ୍ନ କିମ୍ବା ସଂକ୍ରମଣର ଲକ୍ଷଣ ମିଳିନାହିଁ। ଅଗଷ୍ଟ ୭ରେ NTCAର SOP ଅନୁସାରେ ବିଶେଷଜ୍ଞ ଟିମ୍ ଦ୍ୱାରା ପୋଷ୍ଟମର୍ଟମ କରାଯାଇଥିଲା। ଭେଟେରିନାରୀ ସର୍ଜନ୍ ଏବଂ NTCA ଦ୍ୱାରା ମନୋନୀତ ପ୍ରତିନିଧିଙ୍କ ଉପସ୍ଥିତିରେ ଜୈବିକ ନମୁନା ସଂଗ୍ରହ କରାଯାଇଛି।
ନମୁନାଗୁଡ଼ିକୁ OUATର Centre for Wildlife Healthକୁ ପଠାଯାଇଛି। ଟକ୍ସିକୋଲୋଜିକାଲ୍ ଓ ପାଥୋଲୋଜିକାଲ୍ ପରୀକ୍ଷା ପରେ ବାଘୁଣୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ପୋଷ୍ଟମର୍ଟମ ପରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁସାରେ ବନ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହକୁ ଦାହ କରାଯାଇଥିବା ଶିମିଳିପାଳ ଫିଲ୍ଡ ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନେନି କହିଛନ୍ତି। ନିକଟରେ କ୍ୟାମେରା ଟ୍ରାପ୍ ଆଧାରରେ ଶିମିଳିପାଳରେ ମୋଟ ୩୫ଟି ବାଘ ଥିବା ଆକଳନ କରାଯାଇଥିଲା। ସେଥିରୁ ୧୭ଟି ଅଣ୍ଡିରା ଓ ୧୮ଟି ମାଈ ବାଘ। ଏହାସହ ୧୯ଟି ପ୍ସ୍ୟୁଡୋ-ମେଲାନିଷ୍ଟିକ୍ ବାଘ ଏବଂ ୧୬ଟି ବାଘ ଛୁଆ ଥିବା ଆକଳନ କରାଯାଇଛି।
