Effel Tower Shuts: ମହିଳା କର୍ମଚାରୀଙ୍କୁ ହଟାଇବାରୁ ଏଫେଲ ଟାଓ୍ୱାର ବନ୍ଦ- ଚର୍ଚ୍ଚାରେ ହିନ୍ଦୁ ପ୍ରତିନିଧିଦଳ
ପ୍ରତିନିଧିମଣ୍ଡଳ ଯିବା ବେଳେ ମହିଳା କର୍ମଚାରୀଙ୍କୁ କାମର ଜାଗା ଛାଡ଼ିବାକୁ କୁହାଯାଇଥିଲା। ମହିଳାଙ୍କ ସହ ଏମିତି ଭେଦଭାବ କାହିଁକି ହେଲା କହି ଆନ୍ଦୋଳନ କରିଥିଲେ। ସଂଘ ବୈଠକ ଡାକି ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିଲାଗି ଏହାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି। ଲିଙ୍ଗ ଆଧାରରେ ମହିଳାଙ୍କୁ ପଛକୁ ଠେଲିବା ବା ସେମାନଙ୍କ ସହ କୌଣସି ପ୍ରକାର ଭେଦଭାବକୁ ବରଦାସ୍ତ କରାଯିବନି

ମହିଳା କର୍ମଚାରୀଙ୍କୁ ହଟାଇବା ବିବାଦରେ ବଡ଼ ହଙ୍ଗାମା। ଫ୍ରାନ୍ସ ରାଜଧାନୀ ପାରିସର ପ୍ରଖ୍ୟାତ ଏଫେଲ ଟାଓ୍ୱାରକୁ କିଛି ସମୟ ବନ୍ଦ କରିଦିଆଗଲା। ପାରିସର ଏଫେଲ ଟାଓ୍ୱାର ଉପରେ ଶନିବାର ଏକ ହିନ୍ଦୁ ପ୍ରତିନିଧିମଣ୍ଡଳ ପହଞ୍ଚିଥିଲା। ଅଭିଯୋଗ ହୋଇଥିଲା କି, ଏହି ସମୟରେ ସେଠାରେ ଥିବା ମହିଳା କର୍ମଚାରୀଙ୍କୁ ତାଙ୍କ କାମରୁ ହଟାଇ ଦିଆଯାଇଥିଲା। ମହିଳା କର୍ମଚାରୀଙ୍କ ବଦଳରେ ପୁରୁଷ କର୍ମଚାରୀଙ୍କୁ ଛିଡ଼ା କରାଯାଇଥିଲା। ଏ ଘଟଣାକୁ ନେଇ କର୍ମଚାରୀଙ୍କ ଭିତରେ କ୍ଷୋଭ ବଢ଼ିଥିଲା। ଆଉ କର୍ମଚାରୀ ସଂଘ ଏହାର ତୀବ୍ର ପ୍ରତିବାଦ କରିଥିଲା। ଗଲା ଶନିବାର ପ୍ରାୟ ଶହେ ଜଣିଆ ହିନ୍ଦୁ ପ୍ରତିନିଧି ଦଳ ଏଫେଲ ଟାଓ୍ୱାରରେ ପହଞ୍ଚିଥିଲା। ଏହି ପ୍ରତିନିଧିମଣ୍ଡଳ BAPS ସହ ଜଡ଼ିତ ଥିଲା। ପାରିସ ପାଖରେ ନିର୍ମିତ ହିନ୍ଦୁ ମନ୍ଦିର ଉଦଘାଟନ ସହ ଜଡ଼ିତ କାର୍ଯ୍ୟକ୍ରମ ଲାଗି ଫ୍ରାନ୍ସ ଆସିଥିଲେ। ୟୁନିଅନ ପ୍ରତିନିଧିଙ୍କ ମୁତାବକ, ପ୍ରତିନିଧିମଣ୍ଡଳ ଯିବା ବେଳେ ମହିଳା କର୍ମଚାରୀଙ୍କୁ କାମର ଜାଗା ଛାଡ଼ିବାକୁ କୁହାଯାଇଥିଲା। ମହିଳାଙ୍କ ସହ ଏମିତି ଭେଦଭାବ କାହିଁକି ହେଲା କହି ଆନ୍ଦୋଳନ କରିଥିଲେ। ସଂଘ ବୈଠକ ଡାକି ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିଲାଗି ଏହାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି। ଲିଙ୍ଗ ଆଧାରରେ ମହିଳାଙ୍କୁ ପଛକୁ ଠେଲିବା ବା ସେମାନଙ୍କ ସହ କୌଣସି ପ୍ରକାର ଭେଦଭାବକୁ ବରଦାସ୍ତ କରାଯିବନି ବୋଲି ସ୍ପଷ୍ଟ କରିଦେଇଛି ସଂଘ। କର୍ମଚାରୀଙ୍କ ବୈଠକରୁ ଏଫେଲ ଟାଓ୍ୱାର ଖୋଲିବାକୁ ବିଳମ୍ୱ ହୋଇଥିଲା। ଆଉ ପରିଚାଳନା ସମ୍ୱନ୍ଧୀୟ କାରଣରୁ ଟାଓ୍ୱାର ଖୋଲିବାରେ କିଛିଟା ବିଳମ୍ୱ ହେବ ବୋଲି ଏକ ସୂଚନାପତ୍ର ଲଗାଯାଇଥିଲା। ଏ ଘଟଣାକୁ ନେଇ ପରିଚାଳନା କର୍ତ୍ତୃପକ୍ଷ ସଂଘକୁ କ୍ଷମା ମାଗିବା ପରେ ଏଫେଲ ଟାଓ୍ୱାର ଖୋଲିବା ନେଇ ଅନିଶ୍ଚିତତା ହଟିଥିଲା। କର୍ମଚାରୀ ଏହା ବି ଦାବି କରିଛନ୍ତି ଯେ, ମାମଲାର ପୁରା ଯାଞ୍ଚ ଜରୁରୀ। ଏଫେଲ ଟାଓ୍ୱାର ପରିଚାଳନା କରୁଥିବା କମ୍ପାନୀ SETE ଘଟଣା ଉପରେ କହିଛି ଯେ, ମହିଳା କର୍ମଚାରୀଙ୍କ ସହ କମ୍ ସମ୍ପର୍କ ରଖିବାକୁ ଦାବି କରିଥିଲେ ହିନ୍ଦୁ ପ୍ରତିନିଧିମଣ୍ଡଳ। ଆଉ ଏଭଳି ସର୍ତ୍ତକୁ ସ୍ୱୀକାର କରିବାର ନଥିଲା। ପାରିସ ମେୟର ଇମାନୁଏଲ ଗ୍ରେଗୋୟର ମାମଲାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଫ୍ରାନ୍ସର ନାସନାଲ ଆସେମ୍ୱ୍ଲିର ଅଧ୍ୟକ୍ଷ ୟାଏଲ ବ୍ରନ୍- ପିଓ୍ୱେ ବି ଘଟଣା ଉପରେ କ୍ଷୋଭ ଝାଡ଼ିଛନ୍ତି। ବିଦେଶୀ ଅତିଥିଙ୍କ ଦାବି ପୁରା କରିବାକୁ ମହିଳାଙ୍କୁ ପଛକୁ ହଟାଯାଇପାରିବନି। ଅନ୍ୟ ଦେଶର ଅତିଥିଙ୍କୁ ସ୍ୱାଗତ କରିବାର ଅର୍ଥ ଏୟା ନୁହେଁ ଯେ, ଫ୍ରାନ୍ସର ମୂଲ୍ୟବୋଧକୁ ଛାଡ଼ିଦେବା। ଫ୍ରାନ୍ସରେ ସାର୍ବଜନିକ ଜୀବନରେ ମହିଳାଙ୍କ ଭାଗିଦାରୀ ସଦାସର୍ବଦା ରହିଆସିଛି। କୌଣସି ମହିଳାଙ୍କୁ ଅଦୃଶ୍ୟ ହେବାକୁ କୁହାଯାଇପାରିବନି। ଏ ବିବାଦ ଏମିତି ସମୟରେ ଆସିଥିଲା, ପାରିସ୍ ପାଖରେ BAPS ର ବଡ଼ ହିନ୍ଦୁ ମନ୍ଦିରର ଉଦଘାଟନ ହୋଇଥିଲା। ରବିବାର ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲିରେ ସାମିଲ୍ ହୋଇଥିଲେ। ଭାରତ ଓ ଫ୍ରାନ୍ସର ସାଂସ୍କୃତିକ ସମ୍ପର୍କ ବାବଦରେ କହିଥିଲେ ମୋଦି। ମୋଦି କହିଥିଲେ, ଭାରତର ପ୍ରାଚୀନ ବିଚାର ଓ ମାନବୀୟ ମୂଲ୍ୟକୁ ଫ୍ରାନ୍ସ ଯାଏ ପହଞ୍ଚାଇବାକୁ ମନ୍ଦିର ଜରିଆ ସାଜିବ।
