Duleep Trophy: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶନ, ଫାଇନାଲରେ ୩୫୦ ରନ୍!
ଇଷ୍ଟ ଜୋନ୍ ଅଧିନାୟକ ଇଶାନ କିଶନ ଦୁଲୀପ ଟ୍ରଫି ଫାଇନାଲରେ ମୋଟ ୩୫୦ ରନ୍ କରି ନୂଆ ରେକର୍ଡ କରିଛନ୍ତି। ତାଙ୍କ ୨୭୦ ରନ୍ର ବିସ୍ଫୋରକ ଇନିଂସ ବଳରେ ଇଷ୍ଟ ଜୋନ୍ ୧୩ ବର୍ଷ ପରେ ଟ୍ରଫି ଜିତିଛି।

ଚେନ୍ନାଇ: ଦୁଲୀପ ଟ୍ରଫି ୨୦୨୬ ଫାଇନାଲରେ ଇତିହାସ ରଚିଛନ୍ତି ଇଷ୍ଟ ଜୋନ୍ର ଅଧିନାୟକ ଇଶାନ କିଶନ। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମରେ ସାଉଥ୍ ଜୋନ୍ ବିପକ୍ଷ ଫାଇନାଲରେ ଇଶାନ ମୋଟ ୩୫୦ ରନ୍ ସ୍କୋର କରି ରେକର୍ଡ ବୁକ୍ରେ ନାଁ ଲେଖାଇଛନ୍ତି। ପ୍ରଥମ ଇନିଂସରେ ଇଶାନଙ୍କ ବ୍ୟାଟ୍ରୁ ଆସିଥିଲା ଧୂଆଁଧାର ୨୭୦ ରନ୍। ତାଙ୍କ ଏହି ଦମଦାର ଇନିଂସ ବଳରେ ଇଷ୍ଟ ଜୋନ୍ ପ୍ରଥମ ଇନିଂସରେ ୭୦୮ ରନ୍ର ବିଶାଳ ସ୍କୋର କରିଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ଇଶାନ ଆଉ ୮୦ ରନ୍ କରିଥିଲେ। ଫଳରେ ଫାଇନାଲରେ ତାଙ୍କ ମୋଟ ସ୍କୋର ୩୫୦ ରନ୍ରେ ପହଞ୍ଚିଥିଲା।
ଏହି ପ୍ରଦର୍ଶନ ସହ ଇଶାନ ଦୁଲୀପ ଟ୍ରଫି ଫାଇନାଲରେ ଜଣେ ବ୍ୟାଟରଙ୍କ ସର୍ବାଧିକ ମୋଟ ରନ୍ର ରେକର୍ଡ ନିଜ ନାମରେ କରିଛନ୍ତି। ଏହା ସହ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ରନ୍ କରିଥିବା ୱିକେଟକିପର-ବ୍ୟାଟର ଭାବେ ମଧ୍ୟ ସେ ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଦିନେଶ କାର୍ତ୍ତିକଙ୍କ ନାମରେ ଥିଲା, ଯିଏ ୨୦୦୬ରେ ୩୩୩ ରନ୍ କରିଥିଲେ। ଇଶାନଙ୍କ ଦମଦାର ପ୍ରଦର୍ଶନ ସହ ଇଷ୍ଟ ଜୋନ୍ ମଧ୍ୟ ଫାଇନାଲରେ ଦବଦବା ଦେଖାଇଛି। ଇଷ୍ଟ ଜୋନ୍ର ୭୦୮ ରନ୍ର ଜବାବରେ ସାଉଥ୍ ଜୋନ୍ ୩୩୬ ରନ୍ରେ ଅଲଆଉଟ୍ ହୋଇଥିଲା। ଫଳରେ ଇଷ୍ଟ ଜୋନ୍ ପ୍ରଥମ ଇନିଂସରେ ୩୭୨ ରନ୍ର ବଡ଼ ଅଗ୍ରଣୀ ହାସଲ କରିଥିଲା। ଶେଷରେ ମ୍ୟାଚ୍ ଡ୍ର ହୋଇଥିଲେ ମଧ୍ୟ ପ୍ରଥମ ଇନିଂସର ବିଶାଳ ଅଗ୍ରଣୀ ଆଧାରରେ ଇଷ୍ଟ ଜୋନ୍ ଚାମ୍ପିଅନ୍ ହୋଇଛି। ଇଶାନ କିଶନଙ୍କୁ ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ପ୍ଲେୟର ଅଫ୍ ଦ ମ୍ୟାଚ୍ ମଧ୍ୟ ଚୟନ କରାଯାଇଛି।
