Drug Smuggling: ୪୬ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ବ୍ରହ୍ମପୁରର ଆଇନା ବନ୍ଧ ସାହି ଛକ ନିକଟରୁ ୪୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଆନୁମାନିକ ୪.୬ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ସହ ଜଣେ ବ୍ୟକ୍ତି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ‘ସୀତାରାମ’ କୋଡ୍ ୱାର୍ଡ ବ୍ୟବହାର କରି ଅବକାରୀ କର୍ମଚାରୀମାନେ ଏହି ଅଭିଯୁକ୍ତଙ୍କୁ ଧରିଥିବା ଜଣାପଡ଼ିଛି।

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବ୍ରାଉନ ସୁଗାର କାରବାର ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଆଇନା ବନ୍ଧ ସାହି ଛକ ନିକଟରେ ଚଢ଼ାଉ କରି ୪୬ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗ।
ସୂଚନା ଅନୁସାରେ, ବ୍ରହ୍ମପୁର ସହରରେ ବ୍ରାଉନ ସୁଗାର କାରବାର ଚାଲିଥିବା ନେଇ ଅବକାରୀ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଗୁଇନ୍ଦା ବିଭାଗର କର୍ମଚାରୀମାନେ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲେ। ଗ୍ରାହକ ଭାବେ ଯାଇ ‘ସୀତାରାମ’ କୋଡ୍ ୱାର୍ଡ ବ୍ୟବହାର କରି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଆଇନା ବନ୍ଧ ସାହି ଛକ ନିକଟରେ ତାଙ୍କୁ କାବୁ କରିଥିବା ଜଣାପଡ଼ିଛି। ଅବକାରୀ ବିଭାଗର ସୂଚନା ଅନୁସାରେ, ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ୬୦ ହଜାର ଟଙ୍କା ହେବ। ଗିରଫ ଅଭିଯୁକ୍ତ ଗତ ପ୍ରାୟ ୬ ମାସ ଧରି ଏହି ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ବିଶେଷ କରି ଯୁବପିଢ଼ିକୁ ଟାର୍ଗେଟ କରି ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଜବତ ନିଶାଦ୍ରବ୍ୟ ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ବ୍ରହ୍ମପୁରକୁ ଆସୁଥିବା ନେଇ ସୂଚନା ମିଳିଛି ବୋଲି ବ୍ରହ୍ମପୁର ସଦର ରେଞ୍ଜ ଅବକାରୀ ଇନ୍ସପେକ୍ଟର କହିଛନ୍ତି। ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଏହାର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏବଂ ଭୁବନେଶ୍ୱର-ଖୋର୍ଦ୍ଧାରୁ କିଏ ଏହି ନିଶାଦ୍ରବ୍ୟ ଯୋଗାଉଛି, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
