Cough Syrup Seizure:୨୧୪ ବୋତଲ କଫ୍ ସିରଫ୍ ଜବତ
ମୟୂରଭଞ୍ଜ ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି। ଏହି କ୍ରମରେ କୁଳିଅଣା ଥାନା ଅନ୍ତର୍ଗତ ବାଲିମୁଣ୍ଡଳୀରେ ଚଢ଼ାଉ କରି ୨୧୪ ବୋତଲ କଫ୍ ସିରଫ୍ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି।
ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲାରେ ନିଶା କାରବାର ଉପରେ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଥିବା ବେଳେ କୁଳିଅଣା ଥାନା ଅଞ୍ଚଳରୁ ମିଳିଛି ବଡ଼ ସଫଳତା। ବାଲିମୁଣ୍ଡଳୀ ଅଞ୍ଚଳରେ ଅବକାରୀ ମୋବାଇଲ ଟିମ୍ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣର କଫ୍ ସିରଫ୍ ଜବତ କରାଯାଇଛି। ଚଢ଼ାଉ ସମୟରେ ମୋଟ ୨୧୪ଟି କଫ୍ ସିରଫ୍ ବୋତଲ ଅବକାରୀ ଟିମ୍ ହାତରେ ଲାଗିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଟିମ୍ ଗିରଫ କରିଛି। ତେବେ ଏତେ ପରିମାଣର କଫ୍ ସିରଫ୍ କେଉଁଠାରୁ ଅଣାଯାଇଥିଲା ଏବଂ କେଉଁଠାରେ ବିକ୍ରି କରିବାକୁ ଯୋଜନା ଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି କାରବାର ପଛରେ କେବଳ ଗିରଫ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ନା ଏହା ପଛରେ ଏକ ବଡ଼ ନିଶା କାରବାର ନେଟୱାର୍କ କାମ କରୁଛି, ସେନେଇ ଅବକାରୀ ବିଭାଗ ତଦନ୍ତ କରୁଛି। ଜବତ କଫ୍ ସିରଫ୍ର ଉତ୍ସ ଓ ଏହାର ଯୋଗାଣ ଶୃଙ୍ଖଳା ସମ୍ପର୍କରେ ମଧ୍ୟ ଖୋଳତାଡ଼ ଜାରି ରହିଛି। ତଦନ୍ତ ପରେ ଏହି କାରବାର ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିପାରେ।
