ମୁଜାଫରପୁରରେ ଡବଲ ମର୍ଡର- କଣ୍ଟ୍ରାକ୍ଟ କିଲର ସାଜି ଆସିଥିଲା ଭଡ଼ାଟିଆ!
ନିଜ ସାଙ୍ଗରେ କେବଳ ଏକ ବ୍ୟାଗ୍ ନେଇଆସିଥିଲା। କହିଥିଲା, ତାଙ୍କ ପତ୍ନୀ ଗର୍ଭବତୀ ଅଛି। ପିଲା ଓ ପତ୍ନୀ ଗାଁରେ ଅଛନ୍ତି। ସେମାନେ ଦୁଇ ଦିନ ପରେ ଆସିବେ। ସୋମବାର ଅପରାହ୍ନ ୪ଟାରେ ସଂପୃକ୍ତ ଯୁବକ ଘରୁ ଦୌଡ଼ି ପଳାଉଥିବାର ଚିତ୍ର ସିସିଟିଭିରେ ଦେଖାଯାଇଛି। ପୁଲିସ ସଂପୃକ୍ତ ଯୁବକକୁ ଖୋଜୁଛି। ପ୍ରମାଣ ନଷ୍ଟ କରିବାକୁ ଦମ୍ପତ୍ତିଙ୍କ ମୋବାଇଲ ଫୋନ୍ ଓ ଦସ୍ତାବିଜ ସାଙ୍ଗରେ ନେଇ ଗାଏବ ହୋଇଯାଇଛି ହତ୍ୟାକାରୀ।

ମୁଜାଫରପୁରରେ ଡବଲ ମର୍ଡର। ଝୁଲା, ଟେପ୍ ଓ ଗ୍ଲୋବ୍ସ ନେଇ ଘରେ ପଶିଲେ ଦୁର୍ବୃତ୍ତ। ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କୁ କଲେ ନୃଶଂସ ହତ୍ୟା। ସମ୍ପତ୍ତି ବିବାଦରୁ ଡବଲ ମର୍ଡର ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତକ ହେଲେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଅଶୋକ କୁଓ୍ୱଁର ଓ ତାଙ୍କ ପତ୍ନୀ ନିଲମ କୁଓ୍ୱଁର। ବିହାର ମୁଜାଫରପୁରର ମିଠନପୁରା ଥାନା ଅନ୍ତର୍ଗତ ରାମବାଗ ମହଲ୍ଲାରେ ରହୁଥିଲେ ଅଶୋକ। ୬୫ ବର୍ଷୀୟ ଅଶୋକଙ୍କୁ ଗ୍ରାଉଣ୍ଡ ଫ୍ଲୋରରେ ଛୁରୀ ଭୁଷି ହତ୍ୟା କରାଯାଇଥିଲା ବେଳେ ତୃତୀୟ ମହଲାରେ ଥିବା ୬୦ ବର୍ଷୀୟା ପତ୍ନୀ ନିଲମଙ୍କ ହାତ ଗୋଡ଼ ବାନ୍ଧି ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ମୁହଁରେ ଟେପ୍ ଲଗାଯାଇଥିଲା। ଯେମିତି ସେମାନଙ୍କ ପାଟି ବାହାରକୁ ଶୁଭିବନି। ତେବେ ସକାଳୁ ମର୍ଡର ଘଟିଥିଲେ ହେଁ କେହି କିଛି ଜାଣିପାରିନଥିଲେ। ବେଙ୍ଗାଲୁରୁରେ ରହୁଥିବା ପୁଅ ନିଖିଲ ସୋମବାର ସଂଧ୍ୟା ସାଢ଼େ ୭ଟାରେ ଘରକୁ ଫୋନ୍ କରିଥିଲେ। ହେଲେ ବାପା ମାଆ ଦୁହିଁଙ୍କ ମୋବାଇଲ ବନ୍ଦ ଥିଲା। ସେଥିଲାଗି ନିଖିଲ ପଡ଼ୋଶୀଙ୍କୁ ଫୋନ୍ କରି ଘରେ ଯାଇ ଦେଖିବାକୁ କହିଥିଲେ। ପଡ଼ୋଶୀ ଘରେ ଯାଇ ଦେଖନ୍ତି ତ ଗ୍ରାଉଣ୍ଡ ଫ୍ଲୋରରେ ଅଶୋକ ଓ ତୃତୀୟ ମହଲାରେ ନିଲମଙ୍କ ରକ୍ତ ଜୁଡୁବୁଡ଼ୁ ଶବ ପଡ଼ିଛି। ତୁରନ୍ତ ପୁଲିସକୁ ସୂଚନା ଦିଆଯାଇଥିଲା। ସେପଟେ ଘରର ସିସିଟିଭି ଆକ୍ସେସ ଥିଲା ନିଖିଲଙ୍କ ପାଖରେ। ବେଙ୍ଗାଲୁରୁରେ ସଫ୍ଟଓ୍ୱେର ଇଞ୍ଜିନିୟର ଥିବା ନିଖିଲ ନିଜ ମୋବାଇଲରେ ଘରର ସିସିଟିଭି କ୍ୟାମେରାର ଲାଇଭ୍ ଆକ୍ସେସ ଚାଲୁ କରିବା ମାତ୍ରେ ତାଙ୍କର ହୋସ୍ ଉଡ଼ିଗଲା। କାରଣ ଘରେ ଚାଲିଥିଲା ନରସଂହାର। ଫରେନସିକ ଟିମ୍ ଓ ଡଗ୍ ସ୍ୱ୍କାର୍ଡ ନେଇ ପୁଲିସ ପହଞ୍ଚିଥିଲା। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାସ୍ଥଳରୁ ଫିଙ୍ଗରପ୍ରିଣ୍ଟ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଥିଲା। ଆଖପାଖରେ ଥିବା ସିସିଟିଭି ଫୁଟେଜ ବି ଛାନଭିନ କରୁଛି ପୁଲିସ। ପ୍ରାରମ୍ଭିକ ତଦନ୍ତରୁ ଲୁଟପାଟ୍ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହେଲେ ନୀଲମଙ୍କୁ ଯେଭଳି କ୍ରୁରତାର ସହ ହତ୍ୟା କରାଯାଇଛି। ସେଥିରେ ସମ୍ପତ୍ତି ବିବାଦ ବା ପୁରୁଣା ପ୍ରତିଶୋଧର ଦିଗକୁ ଯାଞ୍ଚ କରୁଛି ପୁଲିସ। ପରିବାର ଲୋକଙ୍କ ସହ କଥାବାର୍ତ୍ତା ପରେ ସମ୍ପତ୍ତି ବିବାଦର କିଛି ସୁରାକ୍ ପାଇଛି ପୁଲିସ। ତଦନ୍ତରୁ ଜଣାପଡ଼ିଛି, ଦୁଇ ସନ୍ଦିଗ୍ଧ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ହତ୍ୟା କରି ଘରୁ ବାହାରି ଅଲଗା ଅଲଗା ଦିଗରେ ଯାଇଥିଲେ। ମୁଜାଫରପୁର ସିଟି ଏସପିଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ ହୋଇଥିଲା। ତେବେ ଏହାର ଖୁଲାସା କରିଛି ପୁଲିସ। ଏହି ନୃଶଂସ ହତ୍ୟାକାଣ୍ଡ ପଛରେ ଆଉ କେହି ନୁହେଁ। ବରଂ ଦୁଇ ଦିନ ତଳେ ରହିବାକୁ ଆସିଥିବା ନୂଆ ଭଡ଼ାଟିଆ। ଘରର ପୁରୁଣା ଭଡ଼ାଟିଆ କୃଷ୍ଣା ଦେବୀଙ୍କଠୁ ପୁଲିସ ସୂଚନା ପାଇଥିଲା ଯେ, ଅଭିଯୁକ୍ତ ଯୁବକ ଜୁଲାଇ ୧୮ରେ ଘରର ଦ୍ୱିତୀୟ ମହଲାର ଏକ କୋଠରୀରୁ ଭଡ଼ା ନେଇଥିଲା। ନିଜ ସାଙ୍ଗରେ କେବଳ ଏକ ବ୍ୟାଗ୍ ନେଇଆସିଥିଲା। କହିଥିଲା, ତାଙ୍କ ପତ୍ନୀ ଗର୍ଭବତୀ ଅଛି। ପିଲା ଓ ପତ୍ନୀ ଗାଁରେ ଅଛନ୍ତି। ସେମାନେ ଦୁଇ ଦିନ ପରେ ଆସିବେ। ସୋମବାର ଅପରାହ୍ନ ୪ଟାରେ ସଂପୃକ୍ତ ଯୁବକ ଘରୁ ଦୌଡ଼ି ପଳାଉଥିବାର ଚିତ୍ର ସିସିଟିଭିରେ ଦେଖାଯାଇଛି। ପୁଲିସ ସଂପୃକ୍ତ ଯୁବକକୁ ଖୋଜୁଛି। ପ୍ରମାଣ ନଷ୍ଟ କରିବାକୁ ଦମ୍ପତ୍ତିଙ୍କ ମୋବାଇଲ ଫୋନ୍ ଓ ଦସ୍ତାବିଜ ସାଙ୍ଗରେ ନେଇ ଗାଏବ ହୋଇଯାଇଛି ହତ୍ୟାକାରୀ। ମୃତ ଦମ୍ପତ୍ତିଙ୍କ ଝିଅ ଗୀତା କହିଛନ୍ତି, କାହାକୁ ଭଡ଼ା ଦେବା ଆଗରୁ ସମସ୍ତ ନିୟମକାନୁନ ମାନୁଥିଲେ ତାଙ୍କ ବାପା। ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଓ ଆଇଡି ନେଉଥିଲେ। ଅଶୋକ କୁଓ୍ୱଁର ୨୦୧୪ରେ ପିଏନବିରୁ ଅବସର ନେଇଥିଲେ। ଲୋକ ତାଙ୍କୁ କ୍ୟାସିଅର ସାହେବ କହୁଥିଲେ। ପୁଲିସ ସନ୍ଦେହ କରୁଛି, ଦମ୍ପତ୍ତିଙ୍କୁ ମାରିବାକୁ କଣ୍ଟ୍ରାକ୍ଟ କିଲରଙ୍କୁ ଭଡ଼ାଟିଆ ଭାବେ ପଠାଇ ପୁରା ଷଡ଼ଯନ୍ତ୍ରକୁ ସାକାର କରାଗଲା। ତେବେ କିଏ ସେ ଷଡ଼ଯନ୍ତ୍ରକାରୀ, ପୁଲିସ ତନାଘନା କରୁଛି।
