ଅଯୋଧ୍ୟା ପରେ ବଦ୍ରୀନାଥ ଧାମରେ ଦାନ ଅର୍ଥ ହେରଫେର ଅଭିଯୋଗ
ରାମ ମନ୍ଦିରର ଦାନ ଅର୍ଥ ଆତ୍ମସାତ୍ ଅଭିଯୋଗ ପରେ, ବର୍ତ୍ତମାନ ବଦ୍ରୀନାଥ ଧାମରେ ଦାନ ରାଶିକୁ ନେଇ ବିବାଦ। BKTCର ପକ୍ଷରୁ କାରଣ ଦର୍ଶାଅ ନୋଟିସ।
ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଆତ୍ମସାତ୍ ଅଭିଯୋଗ ପରେ, ବର୍ତ୍ତମାନ ବଦ୍ରୀନାଥ ଧାମରେ ମଧ୍ୟ ଦାନ ରାଶିରେ ଅନିୟମିତତା ଓ ହେରଫେର ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ମନ୍ଦିରକୁ ହେଉଥିବା ଦାନ, ଅର୍ପଣ ଏବଂ ରାଜସ୍ବ ସମ୍ବନ୍ଧୀ ସମସ୍ତ ପ୍ରବନ୍ଧନ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ସମ୍ପୃକ୍ତ କର୍ମଚାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହି ନିର୍ଦ୍ଦେଶରେ ଦାନ, ଅର୍ପଣ ହେଉଥିବା ଜିନିଷର ସଂଗ୍ରହ, ସୁରକ୍ଷା ଏବଂ ପୂର୍ଣ୍ଣ ପାରିଦର୍ଶିତାକୁ ବାଧ୍ୟତାମୂଳକ କରାଯାଇଛି । ଯେପରିକି ଭବିଷ୍ୟରେ କିଛି ଅନିୟମିତତା ନ ହେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଜୁଲାଇ ୨ ତାରିଖରେ ଜାରି ହୋଇଥିବା ନୋଟିସରେ ସମିତିର ଅଧ୍ୟକ୍ଷ କହିଛନ୍ତି ଯେ, ସୋସିଆଲ୍ ମିଡିଆରେ ହୋଇଥିବା ଅଭିଯୋଗକୁ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି ଗୁରୁତ୍ୱର ସହ ନେଇଛି। ଏହି ଘଟଣାର ନିଷ୍ପକ୍ଷ, ସ୍ୱଚ୍ଛ ଓ ତଥ୍ୟାଧାରିତ ତଦନ୍ତ ପାଇଁ ତୁରନ୍ତ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରାଯାଇଛି। ତେବେ ନିର୍ଦ୍ଦେଶରେ କୁହାଯାଇଛି କି, ନଗଦ ଦାନ, ଦାନ କରାଯାଇଥିବା ସାମଗ୍ରୀ କିମ୍ବା ଅର୍ପଣ ହେଉଥିବା ଜିନିଷରେ କୌଣସି ପ୍ରକାରରେ ଅନିୟମିତତାକୁ ଗ୍ରହଣ କରାଯିବ ନାହିଁ । ବର୍ତ୍ତମାନ ଶ୍ରୀ ରାମ ମନ୍ଦିର ଅଯୋଧ୍ୟାରେ ଦାନ ଅର୍ଥ ଆତ୍ମସାତ୍ ଅଭିଯୋଗ ଘଟଣା ପ୍ରଚାର ପରେ, ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧିନସ୍ଥ ମନ୍ଦିରରେ ଦାନ, ଅର୍ପଣ ଇତ୍ୟାଦି ଜିନିଷରେ ସତର୍କତା ଆବଶ୍ୟକତା ରହିଛି । ଏହାଦ୍ବାରା ଭବିଷ୍ୟରେ କୌଣସି ପ୍ରକାରର ଅନିୟମିତତା ଅଭିଯୋଗ ନ ଆସୁ । ସୂଚନା ଅବନୁସାରେ, ଅଯୋଧ୍ୟା ରାମ ମନ୍ଦିର ମାମଲାରେ ସିସିଟିଭି ଯାଞ୍ଚ ପରେ ଟଙ୍କା ଚୋରି ଅଭିଯୋଗରେ ୮ ଜଣ କର୍ମଚାରୀ ଗିରଫ ହୋଇଥିଲେ।
