Stray Dog Attack:ଶୋଇଥିବା ଶିଶୁକୁ ଝୁଣିଦେଲା ବୁଲାକୁକୁର
କୋଡ଼ିଙ୍ଗା ସଦର ଚାଉଁରିଆ ସାହିରେ ଏକ ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି | ଗୁରୁତର ଆହତ ଶିଶୁକୁ କୋଡ଼ିଙ୍ଗା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ମେଡିକାଲକୁ ପଠାଯାଇଥିଲା |

କୋଡ଼ିଙ୍ଗାରେ କୁକୁର ଆତଙ୍କ | ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ସଦର ଚାଉଁରିଆ ସାହିରେ ଏକ ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି | ଆହତ ଶିଶୁ ରାଜୁ ଦଳେଇଙ୍କ ପୁଅ ବୋଲି ଜଣାପଡ଼ିଛି | ସୂଚନା ଅନୁସାରେ, ଶିଶୁଟି ଘର ଭିତରେ ଶୋଇଥିବା ସମୟରେ ଏକ ବୁଲା କୁକୁର ଘରେ ପଶି ତା’ର ମୁହଁ, ଆଖି ଓ ଗାଲକୁ କାମୁଡ଼ି ଗୁରୁତର ଭାବେ ଆହତ କରିଥିଲା | ଶିଶୁର କାନ୍ଦ ଶୁଣି ଘର ବାହାରେ ଥିବା ରାଜୁ ଦଳେଇଙ୍କ ଭଉଣୀ ରେଖା ଦଳେଇ ଦୌଡ଼ି ଆସି କୁକୁରଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ | ଏହି ସମୟରେ କୁକୁରଟି ରେଖାଙ୍କୁ ମଧ୍ୟ ଆକ୍ରମଣ କରିଥିଲା | ଶିଶୁର ଚିତ୍କାର ଶୁଣି ସାହିପଡ଼ିଶା ଲୋକେ ଦୌଡ଼ି ଆସିବାରୁ କୁକୁରଟି ସେଠାରୁ ପଳାଇ ଯାଇଥିଲା | ପରେ ଗୁରୁତର ଆହତ ଶିଶୁକୁ କୋଡ଼ିଙ୍ଗା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ମେଡିକାଲକୁ ପଠାଯାଇଥିଲା | ଶିଶୁର ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି |
